ଗାଁକୁ ଆମ୍ବୁଲାନ୍ସ ପହଞ୍ଚି ନପାରିବା ୨୫ ବର୍ଷ ଶାସନର ରୂପାନ୍ତରଣ କି ? – ଧର୍ମେନ୍ଦ୍ର ପ୍ରଧାନ

ରାଜନୀତି
ସେୟାର କରନ୍ତୁ

ସମ୍ବଲପୁର : ସ୍ୱାଧୀନତାର ୭୬ ବର୍ଷ ପରେ ବି ଗାଁକୁ ଆମ୍ବୁଲାନ୍ସ ପହଞ୍ଚି ପାରୁନି । ନୂଆପିଢିର ପିଲା ଅପପୁଷ୍ଟିର ଶୀକାର ହେଉଛନ୍ତି । ସରକାରୀ ଡାକ୍ତରଖାନାରେ ଡାକ୍ତର ନାହାନ୍ତି । ଏହା ୨୫ ବର୍ଷ ଶାସନର ରୂପାନ୍ତରଣ କି ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ଗଡ଼ଲୋଇସିଂହ ପଂଚାୟତ ବେଲପାଣି ଗାଁର ଜଣେ ରୋଗୀଙ୍କୁ ଖଟିଆରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେବା ଘଟଣାରେ ପ୍ରତିକ୍ରିୟା ରଖି ଶ୍ରୀ ପ୍ରଧାନ କହିଛନ୍ତି, ସ୍ଵାଧୀନତାର ୭୬ ବର୍ଷ ପରେ ବି ରୋଗୀଙ୍କୁ ଭାରରେ, ଖଟିଆରେ ନେବାର ଦୃଶ୍ୟ ସାମ୍ନାକୁ ଆସିଛି । ଓଡ଼ିଶାରେ ୧୯% ଶିଶୁ ଜନ୍ମ ବେଳେ କମ ଓଜନ ହୋଇଥିବା ବେଳେ ୩୧% ଶିଶୁ ବୟସ ଅନୁସାରେ ଉଚ୍ଚତା କମ, ୧୮% ଶିଶୁ ଉଚ୍ଚତା ଅନୁସାରେ ଓଜନ କମ ଏବଂ ୬୪% ଶିଶୁ ଓ ୬୨% ମହିଳା ରକ୍ତହୀନତାରେ ପୀଡ଼ିତ । ସରକାରୀ ଡାକ୍ତରଖାନା ନାହିଁ, ଡାକ୍ତରଖାନା ଥିଲେ ସେଠାରେ ଡାକ୍ତର, ନର୍ସ ଓ ସ୍ଵାସ୍ଥ୍ୟକର୍ମୀଙ୍କ ଘୋର ଅଭାବ । ଜିଲ୍ଲା ସଦର ମହକୁମା ଠାରୁ ୪୦-୫୦ କିମି ଦୂରରେ ଏହି ଅବସ୍ଥା, ଆଭ୍ୟନ୍ତରୀଣ ଅଞ୍ଚଳରେ ପରିସ୍ଥିତି ଆହୁରି ଶୋଚନୀୟ । ଏହା କ’ଣ ଦୀର୍ଘ ୨୫ ବର୍ଷ ଶାସନର “ରୂପାନ୍ତରଣ”?

ଅନ୍ୟପକ୍ଷେ ଶାସକ ଦଳର କୁହାଳିଆ ନେତା ମାନେ ଓଡ଼ିଶାକୁ ଏକ ନମ୍ବର କରିବାର ମିଛ ପ୍ରଚାର କରୁଛନ୍ତି । ଏହି ଘଟଣା ରାଜ୍ୟର ସ୍ୱାସ୍ଥ୍ୟବସ୍ଥାର ବାସ୍ତବ ସ୍ଥିତିକୁ ପଦାରେ ପକାଇଛି । କୁହାଳିଆ ନେତାଙ୍କ ମିଛ ପ୍ରଚାର ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି, ଦେଶରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏକ ଜନକଲ୍ୟାଣକାରୀ ସରକାର ଚାଲିଛି । ଅନ୍ୟ ରାଜ୍ୟମାନେ ଏହାକୁ ଗ୍ରହଣ କଲେଣି । ଓଡ଼ିଶାବାସୀ ମଧ୍ୟ ପୁଣି ଥରେ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ କରିବା ସହ ଡବଲ ଇଞ୍ଜିନ ସରକାର ଆଣିବାକୁ ମନସ୍ଥ କଲେଣି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଏହା ସହ ଶ୍ରୀ ପ୍ରଧାନ ସମ୍ବଲପୁରଠାରେ ବିଜେପି କାର୍ଯ୍ୟକର୍ତ୍ତାମାନଙ୍କ ସାଙ୍ଗଠନିକ ବୈଠକରେ ଯୋଗଦେଇ ନିର୍ବାଚନ ରଣନୀତି ସମ୍ପର୍କରେ ଆଲୋଚନା କରିଥିଲେ । ଘରକୁ ଘର ବୁଲି ପ୍ରଧାନମନ୍ତ୍ରୀଙ୍କ ଗରିବ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ସାଧାରଣ ଲୋକଙ୍କୁ ଅବଗତ କରାଇବାକୁ ପରାମର୍ଶ ଦେଇଥିଲେ । ବିକଶିତ ଭାରତ ବିକଶିତ ଓଡ଼ିଶା ଗଠନ ଲକ୍ଷ୍ୟ ନେଇ କାର୍ଯ୍ୟ କରିବାକୁ କାର୍ଯ୍ୟକର୍ତ୍ତାମାନଙ୍କୁ ଆହ୍ୱାନ ଦେଇଥିଲେ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ସ୍ଥିତ ମାନେଶ୍ୱର ଶ୍ରୀରାମ ମନ୍ଦିରରେ ପ୍ରଭୁଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ । ପରେ ସମ୍ବଲପୁର ଗୋବିନ୍ଦପାଲିଠାରେ ସାମାଜିକ ସଂଗଠନ “ସେବା ଭାରତୀ” ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିରରେ ସାମିଲ ହୋଇଥିଲେ । ରକ୍ତଦାନ ଭଳି ଏକ ପବିତ୍ର କାର୍ଯ୍ୟରେ ସମ୍ବଲପୁର ଯୁବବର୍ଗଙ୍କ ଯୋଗଦାନ ପ୍ରଶଂସନୀୟ ବୋଲି କହିବା ସହ ସଂଗଠନର ଏପରି ପ୍ରୟାସକୁ ପ୍ରଶଂସା କରିଥିଲେ କେନ୍ଦ୍ରମନ୍ତ୍ରୀ । ଏହା ସହ ଥେଲକୋପଡ଼ା ଠାରେ ଚାଲିଥିବା ମା’ ବୁଢୀମା’ଙ୍କ ଯାତ୍ରାରେ ସାମିଲ ହୋଇ ଆଶୀର୍ବାଦ ନେଇଛନ୍ତି ।


ସେୟାର କରନ୍ତୁ