୨୫ ବର୍ଷ ଧରି ଓଡ଼ିଶାର ସର୍ବସ୍ୱ ଲୁଟ କରିଥିବା ଲୋକ ହିଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି – ଧର୍ମେନ୍ଦ୍ର ପ୍ରଧାନ

ରାଜନୀତି
ସେୟାର କରନ୍ତୁ

କୁଚିଣ୍ଡା/ସମ୍ବଲପୁର : ଦୀର୍ଘ ୨୫ ବର୍ଷ ଧରି ଯେଉଁମାନେ ଓଡ଼ିଶାକୁ ଲୁଟ କରିଛନ୍ତି, ଏବେ ଓଡ଼ିଶାର ନେତୃତ୍ୱ ମାନଙ୍କୁ ଆଡେଇ ଦେବା ପାଇଁ ଷଡଯନ୍ତ୍ର କରିଛନ୍ତି, ସେମାନେ ହିଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଏଥର ନିର୍ବାଚନରେ ଓଡ଼ିଶାବାସୀ ବିଜେଡିକୁ ମୂଳପୋଛ କରିବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବୁଧବାର କୁଚିଣ୍ଡା ନିର୍ବାଚନମଣ୍ଡଳୀର ଭୋଜପୁର, କୁସୁମୀ, ଗୋଛରା, କେଶାଇବାହାଲ, ବାମରା ଓ ଗଡପୋଷ ସମେତ ଅନେକ ସ୍ଥାନରେ ନିର୍ବାଚନୀ ପ୍ରଚାର କରିଛନ୍ତି । ବିଭିନ୍ନ ଶୋଭାଯାତ୍ରାରେ ପଦ୍ମ ଫୁଲରେ ଭୋଟ୍ ଦେବା ପାଇଁ ଲୋକଙ୍କୁ ନିବେଦନ କରିଛନ୍ତି । ଦଳ ପକ୍ଷରୁ ଆୟୋଜିତ ବିଜୟ ସଂକଳ୍ପ ସଭାରେ ଯୋଗଦେଇ ସେ କହିଛନ୍ତି ଯେ ଯେଉଁମାନେ ୨୫ ବର୍ଷ ହେବ ଗାଁରେ ପିଇବା ପାଣି ଦେଇନାହାନ୍ତି, ଜମିକୁ ଜଳସେଚନର ବ୍ୟବସ୍ଥା କରିନାହାନ୍ତି ସେମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଓଡ଼ିଶାରେ ଅନେକ ପରିମାଣରେ ପନିପରିବା ଉତ୍ପାଦନ ପରେ ମଧ୍ୟ ସଂରକ୍ଷଣ ପାଇଁ ଶୀତଳଭଣ୍ଡାର ବ୍ୟବସ୍ଥା ନାହିଁ । ସରକାରୀ ଡାକ୍ତରଖାନାରେ ଡାକ୍ତର ଦେଇନାହାନ୍ତି । ସ୍କୁଲରେ ଶିକ୍ଷକ ରଖିନାହାନ୍ତି । ଓଡ଼ିଶାର ଏକ ତୃତାୟାଂଶ ଲୋକ ଭିଟାମାଟି ଛାଡି ବାହାର ରାଜ୍ୟରେ କାମ କରୁଛନ୍ତି । ଏଥିରୁ କୁମ୍ଭୀର କାନ୍ଦଣା କିଏ ହେଉଛି, ତାହା ଲୋକ ବିଚାର କରିବେ ।

୨୫ ବର୍ଷର ବିଜେଡି ସରକାରରେ କୁଚିଣ୍ଡା ଅବହେଳିତ । କୃଷିଭିତ୍ତିକ ଅଞ୍ଚଳରେ ଜମିକୁ ଜଳସେଚନ ହୋଇପାରୁନଥିବାରୁ ଚାଷୀମାନେ ଅସୁବିଧା ଭୋଗୁଛନ୍ତି । ମରୁଡ଼ି ହେଉଛି । ଜଙ୍ଗଲଜାତ ଦ୍ରବ୍ୟର ଉପଯୁକ୍ତ ମୂଲ୍ୟ ରାଜ୍ୟ ସରକାର ଦେଉନାହାନ୍ତି । ପେସା ଆକ୍ଟ କାର୍ଯ୍ୟକାରୀ ହେଉନଥିବା ବେଳେ ଆଦିବାସୀଙ୍କୁ ସ୍ଥାୟୀ ପଟ୍ଟା ମିଳୁନାହିଁ । ଆଦିବାସୀଙ୍କ ଜମି ବିକିବା ପାଇଁ କିଏ କ୍ୟାବିନେଟ୍ ନିଷ୍ପତ୍ତି କରିଥିଲା ? ଦୀର୍ଘ ୨୫ ବର୍ଷରେ ଜମିକୁ ଜଳସେଚନ ବ୍ୟବସ୍ଥା ନକରିବା, ଶୀତଳ ଭଣ୍ଡାର ସ୍ଥାପନ ନ କରିବା କ’ଣ ରୂପାନ୍ତରଣ ? କୃଷିଭିତ୍ତିକ ଅଞ୍ଚଳ ଛେଣ୍ଡିପଦାରେ ଧାନ କିଣାରେ କଟନୀ-ଛଟନୀ ମଧ୍ୟ ହେଉଛି । ଏହା ବିରୋଧରେ ଲୋକେ ମେଳି ବାନ୍ଧିଛନ୍ତି । ଓଡ଼ିଶାରେ ଏଥର ପିଇବା ପାଣି, ଜଳସେଚନ, ଶିକ୍ଷା, ସ୍ୱାସ୍ଥ୍ୟସେବା, ରୋଜଗାର ଓ ମହିଳା ସୁରକ୍ଷା ପାଇଁ ପରିବର୍ତ୍ତନ ହେବ ।

ବିଜେପିର ସଂକଳ୍ପ ପତ୍ର ଉପରେ ସମବେତ ଜନସାଧାରଣଙ୍କୁ ଅବଗତ କରାଇଛନ୍ତି କେନ୍ଦ୍ରମନ୍ତ୍ରୀ । ରାଜ୍ୟରେ ବିଜେପି ସରକାର ହେଲେ ଧାନର ଏମଏସପି କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ହେବ । ଧାନ କିଣିବାର ୪୮ ଘଣ୍ଟା ମଧ୍ୟରେ ବ୍ୟାଙ୍କ ଖାତାରେ ଏହି ଅର୍ଥ ଦିଆଯିବ । କଟନୀଛଟନୀ ନାଁରେ ଚାଷୀଙ୍କୁ ଯେଉଁ ଶୋଷଣ ହେଉଛି, ତାହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବ । ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କା ମୂଲ୍ୟର ଭାଉଚର ଦିଆଯିବ । ଦିବ୍ୟାଙ୍ଗ, ନିରାଶ୍ରୟ ଓ ବାର୍ଦ୍ଧକ୍ୟ ଭତ୍ତାକୁ ତିନି ହଜାର ଟଙ୍କା କରାଯିବ । କେନ୍ଦୁପତ୍ର ବିଡା ୧.୬୦ ଟଙ୍କାରୁ ୨ ଟଙ୍କା ବୃଦ୍ଧି କରାଯିବ । ରାଜ୍ୟରେ ମୋଦୀ ସରକାରଙ୍କ ଏସଏଚଜି ସମୂହକୁ ନେଇ ୨୫ ଲକ୍ଷ ଲକ୍ଷପତି ଦିଦି ତିଆରି କରାଯିବ । କୁଚିଣ୍ଡାକୁ ଏକ ଅଗ୍ରଣୀ ସବଡିଭିଜନ ଭାବେ ଗଢିବା ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଜନତାଙ୍କ ଅପାର ସ୍ନେହ ଓ ଉତ୍ସାହ ବିଜେପିର ଅଭୁତପୂର୍ବ ବିଜୟର ସନ୍ଦେଶ ଦେଉଛି ବୋଲ କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଏହି ଅବସରରେ ଆୟୋଜିତ ପୃଥକ ପୃଥକ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଅନେକ ନେତା, କର୍ମୀ ଓ ଯୁବବର୍ଗମାନେ ସାମିଲ ହୋଇଥିଲେ । ଦୁଇ ଗୁଣା ପଦ୍ମ, ଦୁଇ ଗୁଣା ବିକାଶର ନାରା ଦେବା ସହ ଲୋକସଭା ଓ ବିଧାନସଭାରେ ଦୁଇ ଥର ପଦ୍ମଫୁଲରେ ଭୋଟ୍ ଦେବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।


ସେୟାର କରନ୍ତୁ