ଭୁବନେଶ୍ୱର : ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ହେଉଥିବା ପ୍ରବାସୀ ଭାରତୀୟ ସମାରୋହ କେବଳ ପ୍ରବାସୀ ଭାରତୀୟଙ୍କୁ ସେମାନଙ୍କ ମୂଳ ପରିଚୟକୁ ପରିଚିତ କରାଇବାର ଅବସର ନୁହେଁ, ବରଂ ବିଶ୍ୱ ମାନଚିତ୍ରରେ ଓଡ଼ିଶାକୁ ଏକ ନୂଆ ପରିଚୟ ଦେବାର ଏକ ଐତିହାସିକ କାର୍ଯ୍ୟକ୍ରମ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ଗୁରୁବାର ଭୁବନେଶ୍ୱରରେ ଆୟୋଜିତ ୧୮ତମ ‘ପ୍ରବାସୀ ଭାରତୀୟ ଦିବସ’ର ଉଦଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଯୋଗଦେବା ସହ ୟୁଏସ, ଓମାନ ଓ କାତାରରୁ ଆସିଥିବା ପ୍ରତିନିଧି ଦଳ, ଭାରତୀୟ ପ୍ରବାସୀଙ୍କ ସହ କଥା ହୋଇଛନ୍ତି । ଏହି ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭୂମି ତଥା ମନ୍ଦିର ମାଳିନୀ ଭୁବନେଶ୍ୱରରେ ସମବେତ ହୋଇଥିବା ପ୍ରବାସୀ ଭାରତୀୟଙ୍କୁ ହାର୍ଦ୍ଦିକ ସ୍ୱାଗତ ଜଣାଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ପ୍ରବାସୀ ଭାରତୀୟ ଆୟୋଜନ ଦ୍ୱାରା ଓଡ଼ିଶା ଆଜି ବିଶ୍ୱବିଦିତ ହୋଇଛି । ଓଡ଼ିଶାର ପରିବେଶ, ଓ ଆତିଥେୟତାକୁ ବୈଶ୍ୱିକ ସ୍ତରର ଲୋକମାନେ ସମସ୍ତେ ପସନ୍ଦ କରୁଛନ୍ତି । ଆଜି ଐତିହ୍ୟ ପ୍ରେରିତ ଯୁବଶକ୍ତି ସମ୍ପନ୍ନ ପ୍ରବାସୀ ଭାରତୀୟଙ୍କ ଗୌରବମୟ ସାଫଲ୍ୟର ସମାରୋହରେ ପ୍ରଧାନମନ୍ତ୍ରୀ ଉଦୟଗିରି, କୋଣାର୍କ, ଆମର ପ୍ରାଚୀନ ସାମୁଦ୍ରିକ ବାଣିଜ୍ୟ, ଐତିହାସିକ ବାଲିଯାତ୍ରା, ବୌଦ୍ଧ ସର୍କିଟ୍ ତଥା ଓଡ଼ିଶାର ସମୃଦ୍ଧ ସଂସ୍କୃତି, ଗୌରବମୟ ଇତିହାସ ଓ ଅନନ୍ୟ ଐତିହ୍ୟକୁ ଉପସ୍ଥାପନ କରିଛନ୍ତି । ଓଡ଼ିଶା ହେଉଛି ଶାନ୍ତିର ମାଟି । କଳିଙ୍ଗ ଯୁଦ୍ଧର ପରିଚୟ ଶାନ୍ତି ପାଇଁ ଖ୍ୟାତି ଅର୍ଜନ କରିଛି । ପ୍ରଧାନମନ୍ତ୍ରୀ ଯୁଦ୍ଧ ନୁହେଁ ବରଂ ବୁଦ୍ଧର ଆହ୍ୱାନ ଦେଇ ଆମର ବହୁତ ପୁରୁଣା ଐତିହାସିକ ତଥ୍ୟ ଓ ସମାଜରେ ତା’ର ମୂଳ ଚରିତ୍ର କଣ ଥିଲା ତାକୁ ଦର୍ଶାଇଛନ୍ତି । ଶାନ୍ତିର ଚରିତ୍ର ହିଁ ଆମ ସମାଜରେ ଥିଲା । ତେଣୁ ଆମ ସମାଜର ଚରିତ୍ରକୁ ପ୍ରଧାନମନ୍ତ୍ରୀ ବିଶ୍ୱ ସ୍ତରରେ ତଥା ରାଜନୈତିକ ଓ କୁଟନୈତିକ ସ୍ତରରେ ରଖି ଆମ ଓଡ଼ିଶାର ମର୍ଯ୍ୟାଦା ବଢ଼ାଇଛନ୍ତି । ଏଥିପାଇଁ ପ୍ରଧାନମନ୍ତ୍ରୀ ଓ ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ସେ ଆହୁରି କହିଛନ୍ତି ଯେ ଭାରତ ହେଉଛି ଐତିହ୍ୟ ଓ ପରମ୍ପରାର ଏକ ଅପାର ଗନ୍ତାଘର । ଭାରତର ପରମ୍ପରା, ଐତିହ୍ୟ ଓ ଐତିହାସିକ ପୃଷ୍ଠଭୂମିକୁ ପ୍ରଦର୍ଶିତ କରିବା ତଥା ବିଶ୍ୱ ସ୍ତରର ପର୍ଯ୍ୟଟକମାନଙ୍କୁ ଏହା ଉପରେ ଅବଗତ କରାଇବା ଏହାର ଉଦ୍ଦେଶ୍ୟ । ପ୍ରବାସୀ ଭାରତୀୟମାନେ କିପରି ଭାରତର ଆମ୍ବାସେଡର ଭାବେ କାର୍ଯ୍ୟ କରିବେ, ସେ ଦିଗରେ ପ୍ରଧାନମନ୍ତ୍ରୀ ଆହ୍ୱାନ କରିଛନ୍ତି । ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ହେଉଥିବା ପ୍ରବାସୀ ଭାରତୀୟ ଦିବସ କେବଳ ପ୍ରବାସୀ ଭାରତୀୟଙ୍କୁ ସ୍ୱାଗତ କରିବା ପାଇଁ ନୁହେଁ ବରଂ ହଜାର ହଜାର ବର୍ଷ ଧରି ବିଦେଶରେ ଭାରତର ମାନ ସମ୍ମାନ ବୃଦ୍ଧି କରିଥିବା ଆମର ପ୍ରବାସୀ ଭାରତୀୟଙ୍କ ପ୍ରତିଭା, କଠିନ ପରିଶ୍ରମ ଏବଂ ଅତୁଳନୀୟ ଅବଦାନକୁ ସମ୍ମାନିତ କରିବାର ଏକ ଅନନ୍ୟ ଅବସର ।

ଏହି ସମାରୋହ ଅବସରରେ ଶ୍ରୀ ପ୍ରଧାନ ୟୁଏସ, ଓମାନ ଓ କାତାରରୁ ଆସିଥିବା ପ୍ରତିନିଧି ଦଳ, ଭାରତୀୟ ପ୍ରବାସୀଙ୍କ ସହ କଥା ହୋଇଛନ୍ତି । ଶିକ୍ଷା, ସାଂସ୍କୃତିକ ସଂଗଠନ ତଥା ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କ ସହ ମତ ବିନିମୟ କରିବା ବେଳେ ଶିକ୍ଷା ମନ୍ତ୍ରୀ ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା, ଐତିହ୍ୟ, ଖାଦ୍ୟପେୟ ଓ ପର୍ଯ୍ୟଟନ ଉପରେ ଅବଗତ କରାଇଥିଲେ । ଦେଶରେ ଗୁଣାତ୍ମକ ଶିକ୍ଷାର ପରିଚାଳନା, ଜାତୀୟ ଶିକ୍ଷା ନୀତିରେ ଶିଶୁଙ୍କୁ ପ୍ରାରମ୍ଭିକ ଅବସ୍ଥାରେ ଭାରତ ସରକାର ନେଉଥିବା ପଦକ୍ଷେପ, ଶିଶୁଙ୍କ କ୍ରିଟିକାଲ ଥିଙ୍କିଂର ବିକାଶ ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ଆମେ କିପରି ପ୍ରବାସୀ ଭାରତୀୟଙ୍କ ମାଧ୍ୟମରେ ଥିବା ଭାରତ ଓ ଅନ୍ୟ ଦେଶ ମାନଙ୍କ ମଧ୍ୟରେ ଥିବା ଶିକ୍ଷା ଓ ଅନ୍ୟ ସମ୍ପର୍କକୁ ଗଭୀର କରିପାରିବା ସେ ବିଷୟରେ ଫଳପ୍ରଦ ଆଲୋଚନା ହୋଇଛି । ଉପସାଗରୀୟ ଦେଶ ବିଶେଷତଃ ସ୍କୁଲ ଏବଂ ଉଚ୍ଚ ଶିକ୍ଷା କ୍ଷେତ୍ରରେ ପ୍ରବାସୀଙ୍କ ଆବଶ୍ୟକତା ଉପରେ ଶ୍ରୀ ପ୍ରଧାନ ଆଲୋକପାତ କରିଥିଲେ । ଅପରପକ୍ଷରେ ପ୍ରବାସୀ ଭାରତୀୟ ସଦସ୍ୟମାନେ କିପରି ଭାରତରେ ଶିକ୍ଷା ବ୍ୟବସ୍ଥାକୁ ମଜଭୂତ୍ କରିବେ ସେ ଦିଗରେ ଉପାଦେୟ ପରାମର୍ଶ ଉପରେ ମତ ରଖିଥିଲେ ।
ବିକଶିତ ଭାରତରେ ଯୋଗଦାନ ଦେବା ଦିଗରେ ଓଡ଼ିଶାର ବିପୁଳ ସମ୍ଭାବନା ଉପରେ ସେ କହିଥିଲେ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଥିଲେ ବିକଶିତ ଭାରତରେ ଯୋଗଦାନ ରଖିବା ପାଇଁ ଓଡ଼ିଶାରେ ବହୁତ ଅପାର ସମ୍ଭାବନା ଅଛି । ଓଡ଼ିଶା ସରକାର ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ପାଇଁ କାମ କରୁଛନ୍ତି । ପ୍ରବାସୀ ଭାରତୀୟ ଦିବସ ପରେ ମଧ୍ୟ ଭାରତକୁ ଆସୁଥିବା ପ୍ରବାସୀ ଓ ପ୍ରତିନିଧିମାନେ ଓଡ଼ିଶାର ପର୍ଯ୍ୟଟନକୁ ଉପଭୋଗ କରିବା ସହ ପୁଞ୍ଜିନିବେଶ ପାଇଁ ଆମନ୍ତ୍ରିତ କରିଥିଲେ ।
ପ୍ରବାସୀ ଭାରତୀୟ ଉତ୍ସବ ସଫଳ ହୋଇଛି । ବିଭିନ୍ନ ଦେଶରୁ ଆସିଥିବା ପ୍ରତିନିଧିମାନଙ୍କ ମଧ୍ୟରେ ବହୁତ ଉତ୍ସାହ ଅଛି । ଓଡ଼ିଶାକୁ ଦେଶ ବିଦେଶରୁ ଆସିଥିବା ପ୍ରତିନିଧି ଓଡ଼ିଶାର ଭୂୟସୀ ପ୍ରଶଂସା କରିଛନ୍ତି । ଓଡ଼ିଶାର କଳା, ସଂସ୍କୃତି, ହସ୍ତତନ୍ତ ପ୍ରତି ପ୍ରବାସୀଙ୍କ ରୁଚି ବଢିଛି । ପ୍ରବାସୀ ଭାରତୀୟ ଦିବସର ଉଦ୍ଦେଶ୍ୟ ସାଧିତ ହେଉଛି । ଭାରତ ସରକାର ପ୍ରବାସୀଙ୍କ ଏକଲ୍ୟାଣ ପାଇଁ ପ୍ରତିଶ୍ରୁତିବଦ୍ଧ ।
ଶ୍ରୀ ପ୍ରଧାନ ନ୍ୟୁଜ ୱିକ ସିଇଓ ଡକ୍ଟର ଦେବ ପ୍ରଗାଡଙ୍କୁ ସାକ୍ଷାତ କରି ଗଣମାଧ୍ୟମ ଜଗତରେ ଡିଜିଟାଲ ପରିବର୍ତ୍ତନ ଉପରେ ଆଲୋଚନା କରିଥିଲେ । ସେ କହିଥିଲେ ଭାରତୀୟ ବଂଶୋଦ୍ଭବ ଯୁବ ବ୍ୟବସାୟୀ ନେତାମାନେ ବିଶ୍ୱସ୍ତରରେ ନିଜର ପରିଚୟ ସୃଷ୍ଟି କରିବା ସବୁବେଳେ ଆନନ୍ଦଦାୟକ । ଜାତୀୟ ଶିକ୍ଷା ନୀତି କାର୍ଯ୍ୟକାରୀ ଉପରେ ଶ୍ରୀ ପ୍ରଧାନ ଚର୍ଚ୍ଚା କରିବା ସହ ବାଲବାଟିକାଠାରୁ ଆରମ୍ଭ କରି ଭାରତୀୟ ବିଶ୍ୱବିଦ୍ୟାଳୟ ଗୁଡିକରେ ନୂଆ ଶିକ୍ଷା ନୀତିର ପ୍ରଭାବ ଉପରେ ମଧ୍ୟ ସେ କହିଥିଲେ ।