କାମାକ୍ଷାନଗର : କାମାକ୍ଷାନଗର ଏନଏସି ୬ନଂ ଓ୍ବାଡର କଲ୍ୟାଣମଣ୍ଡପ ଠାରେ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ ଆଜି ଉତ୍ସାହର ସହ ଶୁଣାଯାଇଥିଲା । ଏହି ଅବସରରେ ଯୁବନେତା ସରୋଜକାନ୍ତ ବେହେରାଙ୍କ ନେତୃତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ଶତାଧିକ ବୁଦ୍ଧିଜୀବୀ, ସମାଜସେବୀ, ଯୁବକ, ମହିଳା ଓ ସାଧାରଣ ଲୋକମାନେ ଏକତ୍ରିତ ହୋଇ କାର୍ଯ୍ୟକ୍ରମ ଶ୍ରବଣ କରିଥିଲେ।କାର୍ଯ୍ୟକମରେ ପ୍ରଧାନମନ୍ତ୍ରୀ ଦେଶର ଉନ୍ନତି, ସାମାଜିକ ସଚେତନତା, ସ୍ୱଚ୍ଛତା, ପରିବେଶ ସୁରକ୍ଷା ଓ ଯୁବପିଢିର ଭୂମିକା ସମ୍ପର୍କରେ ମତ ରଖିଥିଲେ । ସେ ସାଧାରଣ ଲୋକଙ୍କ ଅଂଶଗ୍ରହଣ ଦ୍ୱାରା ରାଷ୍ଟ୍ର ଗଠନରେ ସହଯୋଗ କରିବାକୁ ଆହ୍ୱାନ କରିଥିଲେ ।
ଏହି ଅବସରରେ ଉପସ୍ଥିତ ଅତିଥିମାନେ କହିଥିଲେ ଯେ, ‘ମନ କି ବାତ’ କାର୍ଯ୍ୟକ୍ରମ ସମାଜରେ ସକାରାତ୍ମକ ଚିନ୍ତାଧାରା ସୃଷ୍ଟି କରିବା ସହ ଜନସାଧାରଣଙ୍କୁ ବିଭିନ୍ନ ଜାତୀୟ ବିଷୟରେ ସଚେତନ କରୁଛି । ଶେଷରେ ସମସ୍ତେ ଦେଶର ଉନ୍ନତି ଓ ସାମାଜିକ ସମନ୍ୱୟ ପାଇଁ ସଂକଳ୍ପ ନେଇଥିଲେ ।