ପେରାପେରୀ ପାହାଡ ଶୀର୍ଷରେ ପୂଜା ପାଉଛନ୍ତି ମା ବନଦୁର୍ଗା

ରାଜ୍ୟ
ସେୟାର କରନ୍ତୁ

ଢେଙ୍କାନାଳ : ଢେ଼ଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଳକ ଗଡ଼ପଳାଶୁଣି ଗ୍ରାମଠାରୁ ୫ କିମି ଦୂର ପେରାପେରୀ ପାହାଡ଼ ଶୀର୍ଷରେ ପୂଜା ପାଉଥିବା ମା’ବନଦୁର୍ଗା ଅଞ୍ଚଳର ଆରାଧ୍ୟ ଦେବୀ । ମାଙ୍କ ପୀଠରେ ପ୍ରତିବର୍ଷ ରଜ ସଂକ୍ରାନ୍ତିରେ ମା’ଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥାଏ । ମନୋରମ ପ୍ରାକୃତିକ ପରିବେଶରେ ପାହାଡ଼ ଶୀର୍ଷରେ ରହିଥିବା ମା’ଙ୍କ ପୂଜାର୍ଚ୍ଚନା ଓ ଦର୍ଶନ କରିବାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ଜିଲ୍ଲାର ବିଭିନ୍ନ ଅଞ୍ଚଳ ସମେତ ଅନୁଗୁଳ,ଯାଜପୁର,କେନ୍ଦୁଝର,ଦେବଗଡ଼ ଆଦି ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଛୁଟି ଆସନ୍ତି ଏଇ ମାଙ୍କ ପୀଠକୁ ।

ଗ୍ରାମର ବୟୋଜ୍ୟୋଷ୍ଠ ବ୍ୟକ୍ତି ପ୍ରାକ୍ତନ ପ୍ରଧାନଶିକ୍ଷକ ଦୁର୍ଯ୍ୟୋଧନ ବେହେରା କହିଛନ୍ତି,୫ଶହ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ପାହାଡ଼ ଶୀର୍ଷରେ ମା’ ପୂଜା ପାଇ ଆସୁଛନ୍ତି । ପ୍ରତିବର୍ଷ ରଜ ସଂକ୍ରାନ୍ତିରେ ମା’ବନଦୁର୍ଗାଙ୍କ ବାର୍ଷିକ ଉତ୍ସବ ପାଳନ କରାଯିବା ସହ ଗ୍ରାମବାସୀ ତଥା ବିଶ୍ଵବାସୀଙ୍କ ମଙ୍ଗଳକାମନା କରାଯାଇଥାଏ । ମନୋସ୍କାମନା ରଖି ମା’ଙ୍କ ନିକଟରେ ଏକ ପଥର ଥୋଇ ଆସିଲେ ତାହା ପୂର୍ଣ ହୋଇଥାଏ ବୋଲି ବିଶ୍ଵାସ ରହିଛି। ବଂଶାନୁକ୍ରମେ ପୂଜକ ଶରତ ରଣା ୩୨ ବର୍ଷ ହେଲା ମା’ଙ୍କ ପୂଜା କରି ଆସୁଛନ୍ତି। ଜଙ୍ଗଲ ମଧ୍ୟରେ ପାହାଡ଼ ଚଢ଼ି ମା’ଙ୍କ ପୀଠକୁ ଯିବାକୁ ପଡ଼ିଥାଏ। ଗଡ଼ପଳାଶୁଣି ଗାଁଠାରୁ ୩ କିମି ଦୂରରେ ଇରିଙ୍ଗା ଆଶ୍ରମ ରହିଛି। ସେଠାରେ ମା’ ବନଦେବୀ ପୂଜା ପାଉଛନ୍ତି ।

ପ୍ରତିବର୍ଷ ରଜ ସଂକ୍ରାନ୍ତି ଦିନ ରୀତିନୀତି ଅନୁସାରେ ମା’ଙ୍କ ପୂଜା ହେଇଥାଏ। ଆଶ୍ରମଠାରୁ ୨ କିମି ପାହାଡ଼ ଚଢ଼ି ଚାଲିଚାଲି ଯାଇ ପୁଣି ୧୫ଶହ ମିଟର ପେରାପେରୀ ପାହାଡ଼ ଚଢ଼ିଲେ ମା’ ବନଦୁର୍ଗାଙ୍କ ପୀଠ ପଡ଼ିଥାଏ । ଯାତାୟାତ ନିମନ୍ତେ କୌଣସି ସୁବିଧା ନଥିବା ବେଳେ ଖରାତାତି ଓ ଗରମ ଗୁଳୁଗୁଳି ସହି ଶ୍ରଦ୍ଧାଳୁମାନେ ବଡ଼ କଷ୍ଟରେ ମା’ଙ୍କ ପୀଠକୁ ଯାଇଥାନ୍ତି। ପାହାଡ଼ ଶୀର୍ଷ ମା’ଙ୍କ ପୀଠକୁଯିବା ପରେ ଶ୍ରଦ୍ଧାଳୁମାନେ ସମସ୍ତ କଷ୍ଟ ଭୁଲି ଯାଇଥାନ୍ତି।

ପ୍ରାକୃତିକ ସୌନ୍ଦର୍ଯ୍ୟ,ମନୋରମ ପରିବେଶଙ୍କ ସହ ଆଧ୍ୟାତ୍ମିକ ବାତାବରଣ ମନରେ ଏକ ଅଦ୍ଭୁତ ଉର୍ଜା ଭରିଥାଏ । ଯାହା ଶ୍ରଦ୍ଧାଳୁ ତଥା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ପେରାପେରୀ ପାହାଡ଼ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ,ପାନୀୟ ଜଳ ବ୍ୟବସ୍ଥା,ଆଶ୍ରୟ ସ୍ଥଳ,ଆଶ୍ରମ ପର୍ଯ୍ୟନ୍ତ ବିଦ୍ୟୁତ୍ ସଂଯୋଗ ବ୍ୟବସ୍ଥା କରାଯିବା ସହ ଏହାକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦିଆଗଲେ ପର୍ଯ୍ୟଟକଙ୍କ ସଂଖ୍ୟା ଢେରଗୁଣା ବୃଦ୍ଧିପାଇପାରନ୍ତା ବୋଲି ମତ ପ୍ରକାଶ ପାଇଛି । ଜିଲ୍ଲାପାଳ ଏ ଦିଗରେ ଦୃଷ୍ଟି ଦେବାକୁ ଦାଵୀ ହୋଇଛି ।


ସେୟାର କରନ୍ତୁ