ଶିଶୁଙ୍କୁ ସଠିକ୍ ପୋଷଣ ପାଇଁ ଦଳ ଓ ମତ ନିର୍ବିଶେଷରେ ଏକାଠି ହେବା- ଧର୍ମେନ୍ଦ୍ର ପ୍ରଧାନ

ରାଜ୍ୟ
ସେୟାର କରନ୍ତୁ

ଅନୁଗୋଳ, ସେପ୍ଟମ୍ବର ୧୦,୨୦୨୬ – ଅନୁଗୋଳ ଜିଲ୍ଲାର ବିକାଶ, ଗମନାଗମନର ସୁବିଧା, ମୋବାଇଲ କନେକ୍ଟିଭିଟି, ଶିକ୍ଷା, ସାମାଜିକ ସୁରକ୍ଷା ଏବଂ ଶିଶୁଙ୍କ ପୋଷଣ ସ୍ଥିତିରେ ସୁଧାର ଆଣିବା ପାଇଁ ଡବଲ ଇଞ୍ଜିନ ସରକାର ପ୍ରତିବଦ୍ଧ । ଅନୁଗୋଳ ଜିଲ୍ଲାରେ ଗୁରୁବାର ଅନୁଷ୍ଠିତ ଜିଲ୍ଲା ବିକାଶ ସମନ୍ୱୟ ଏବଂ ମନିଟରିଂ କମିଟି (ଦିଶା) ବୈଠକରେ ଆଲୋଚନା ହୋଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିଗୁଡ଼ିକ ଉପରେ ଏହା ସୂଚନା ଦେଇଛନ୍ତି ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଅନୁଗୋଳ ଜିଲ୍ଲାରେ ନବଜାତ ଶିଶୁଠାରୁ ଆରମ୍ଭ କରି +୨ ପର୍ଯ୍ୟନ୍ତ ପାଖାପାଖି ୩ ଲକ୍ଷ ପିଲା ଅଛନ୍ତି। ଜାତୀୟ ସ୍ୱାସ୍ଥ୍ୟ ପରିବାର ସର୍ଭେ ଅନୁସାରେ ସେମାନଙ୍କର ପୋଷଣ ସ୍ଥିତିରେ ଆହୁରି ସୁଧାର ଆଣିବା ଦରକାର । ଏହି ପରିପ୍ରେକ୍ଷୀରେ ସେମାନଙ୍କ ପୋଷଣ ସ୍ଥିତିରେ ସୁଧାର ଆଣିବା କେବଳ ସରକାରୀ ସେବାରେ ହୋଇପାରିବ ନାହିଁ । ସମାଜର ଭାଗୀଦାରୀରେ ଏହି ଦାୟିତ୍ୱ ନେବାକୁ ହେବ । ବର୍ତ୍ତମାନ ସମୟରେ ଆରମ୍ଭ ହୋଇଥିବା ‘ପୋଷଣ ମାସ’ ଏବଂ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରୁ ଆରମ୍ଭ ହେଉଥିବା ‘ସେବା ପକ୍ଷ’ ଅବସରରେ ଏହି ୩ ଲକ୍ଷ ପିଲାଙ୍କ ପୋଷଣ ପାଇଁ ଦଳ-ମତ ନିର୍ବିଶେଷରେ ସମସ୍ତେ ଏକାଠି ହେବାକୁ ପଡିବ । ଏ ଦିଗରେ ଏକ ବ୍ୟାପକ ‘ଜନଆନ୍ଦୋଳନ’ କରିବା ପାଇଁ ବୈଠକରେ ଚର୍ଚ୍ଚା ହୋଇଛି ।

ଜିଲ୍ଲାରେ ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ‘ପିଏମ-ଶ୍ରୀ ଆଦର୍ଶ ସ୍କୁଲ’ ଗୁଡ଼ିକର କାର୍ଯ୍ୟ ସମୀକ୍ଷା କରାଯାଇଛି। ଡିଜିଟାଲ ସଂଯୋଗୀକରଣକୁ ମଜବୁତ କରିବା ପାଇଁ ବିଏସଏନଏଲର ବର୍ତ୍ତମାନ ଥିବା ୨୫୦ଟି ଟାୱାର ସହ ଆଉ ୪୫ଟି ନୂଆ ଟାୱାର ବସାଇବା ଏବଂ ପାଲଲହଡ଼ାର ନଗିରା ଠାରୁ ଆଠମଲ୍ଲିକର ଉପାନ୍ତ ଅଞ୍ଚଳ ପର୍ଯ୍ୟନ୍ତ ବ୍ୟାପକ ସର୍ଭେ କରି ଅଧିକ ଟାୱାର ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଜାତୀୟ ପେନସନ ଯୋଜନାରେ ଭତ୍ତା ମିଳିବା ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଥିବା ଭ୍ରାନ୍ତି ଦୂର କରାଯାଇ ଯୋଗ୍ୟ ହିତାଧିକାରୀଙ୍କୁ ନିରନ୍ତର ସେବା ଯୋଗାଇଦେବା ପାଇଁ ପ୍ରଶାସନ ପକ୍ଷରୁ ଯୋଜନା ହୋଇଛି ।

ଏହି ବୈଠକରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ଅନୁଗୋଳ ଜିଲ୍ଲାର ସମସ୍ତ ବିଧାୟକ, ବ୍ଲକ୍‌ ଚେୟାରମ୍ୟାନ୍, ଜିଲ୍ଲା ପରିଷଦ ଅଧ୍ୟକ୍ଷା, ଜିଲ୍ଲାପାଳ, ବରିଷ୍ଠ ପ୍ରଶାସନିକ ଅଧିକାରୀ ଏବଂ ରେଳବାଇ, ଏନଏଚଏଆଇ ଓ ବିଏସଏନଏଲ ଭଳି କେନ୍ଦ୍ରୀୟ ସଂସ୍ଥାର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।


ସେୟାର କରନ୍ତୁ