ସୋମବାରଠାରୁ ବର୍ଷାର ପରିମାଣ ବଢ଼ିବ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ ସୋମବାରଠାରୁ ବର୍ଷାର ପରିମାଣ ବଢ଼ିବ । 3 ଓ 4 ତାରିଖ (ଅଷ୍ଟମୀ ଓ ନବମୀ) ଦୁଇ ଦିନ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର (ଆଇଏମ୍‌ଡି) ଏଭଳି ପୂର୍ବାନୁମାନ କରିଛି । ବର୍ଷା ଯୋଗୁ ପୂଜା ମଉଜ ଫିକା ପଡ଼ିବାର ଆଶଙ୍କା ବଢ଼ିଲାଣି । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଦୁଇଟି ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ଆଇଏମ୍‌ଡି କହିଛି । 3 ତାରିଖ ରାତିରୁ ବର୍ଷା ବଢ଼ିବ ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି । 3ରେ ଉପକୂଳରେ ସ୍ୱଳ୍ପ ବର୍ଷା ହେବ । ଗଞ୍ଜାମ ଓ ବାଲେଶ୍ୱରରେ ମଧ୍ୟମ ଧରଣର ବର୍ଷା ହୋଇପାରେ । ବାକି ସମସ୍ତ ଉପକୂଳ ଜିଲ୍ଲାରେ ସ୍ୱଳ୍ପ ବର୍ଷା ହେବ ।

ସୋମବାର ରାତିରୁ ବର୍ଷା ପରିମାଣ ବଢ଼ିବ । 4 ଓ 5ରେ ସମସ୍ତ ଉପକୂଳ ଜିଲ୍ଲାରେ ଭାରୀ ବର୍ଷା ହେବ । ଦୁଇ ଦିନରେ ପ୍ରାୟ 130 ମିଲିମିଟର ବର୍ଷା ହେବାର ସମ୍ଭାବନା ରହିଛି । କିଛି ସ୍ଥାନରେ ଆହୁରି ଅଧିକ ବର୍ଷା ହୋଇପାରେ । 7ରେ ଦକ୍ଷିଣ ଉପକୂଳରେ ଗଞ୍ଜାମରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ । ବାକି ଉପକୂଳ ଜିଲ୍ଲାରେ ବର୍ଷା କମିଯିବ । ଏ ସବୁ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ପରିମାଣ (35ମିଲିମିଟର) ପର୍ଯ୍ୟନ୍ତ ବର୍ଷା ହୋଇପାରେ । ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାରେ 4 ଓ 5ରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । 3ରୁ 7 ତାରିଖ ଯାଏ ଉତ୍ତର ଆଭ୍ୟନ୍ତରରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ତେବେ ପାଣିପାଗ ବିଭାଗ ପୂର୍ବାନୁମାନ କରୁଛି କି ଆସନ୍ତା 8 ତାରିଖରେ ଦକ୍ଷିଣ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ।

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଜାରି କରି କହିଛି, ୩ରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଓ ସୁନ୍ଦରଗଡ଼ ସମେତ ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରବଳ ବର୍ଷା ହେବ । 4ରେ ଗଞ୍ଜାମ, ଗଜପତି, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ।


ସେୟାର କରନ୍ତୁ