ବାବା ପଶ୍ଚିମେଶ୍ଵରଙ୍କ କାର୍ତ୍ତିକ ପୂର୍ଣ୍ଣିମା ଯାତ୍ରାରେ ୫୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ

ରାଜ୍ୟ
ସେୟାର କରନ୍ତୁ

ଢେଙ୍କାନାଳ : ପବିତ୍ର କାର୍ତ୍ତିକ ମାସ ଶେଷ ହୋଇଯାଇଛି । ବାବା ପଶ୍ଚିମେଶ୍ୱରଙ୍କ ଦର୍ଶନ କରିବା ସହ ଶ୍ରଦ୍ଧାଳୁମାନେ ମାସଯାକର ବ୍ରତ ଭାଙ୍ଗିଥିଲେ । ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ୍ ଛଦେଶ ଅଞ୍ଚଳର ଆରାଧ୍ୟ ଦେବତା ପ୍ରଭୁ ବାବା ପଶ୍ଚିମେଶ୍ୱରଙ୍କ କାର୍ତ୍ତିକ ପୂର୍ଣ୍ଣିମା ବା ରାସ ପୂର୍ଣ୍ଣିମା ଯାତ୍ରା ଅତି ଧୂମଧାମରେ ପାଳିତ ହୋଇଯାଇଛି । ବିଭିନ୍ନ ରୀତିନୀତି ସହିତ ପୂଜାପାଠ ପରେ ଶ୍ରଦ୍ଧାଳୁ ଓ ଭକ୍ତମାନେ ପ୍ରଭୁଙ୍କ ଦର୍ଶନ କରି ପ୍ରଭୁକୃପା ଲାଭ କରିଛନ୍ତି । ରାସ ପୂର୍ଣ୍ଣିମା ଯାତ୍ରାରେ ୫୦ ହଜାରରୁ ଊର୍ଦ୍ଧ୍ୱ ଭକ୍ତ ଶ୍ରଦ୍ଧାଳୁ ଲମ୍ବା ଲାଇନରେ ଠିଆ ହୋଇ ପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଭୋର୍ ପହରରୁ ହିଁ ମନ୍ଦିର ପରିସରରେ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଥିଲା । ମହିଳା,ପୁରୁଷ ଓ ଶିଶୁଙ୍କ ସହ ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁମାନେ ବାବାଙ୍କ ନାମରେ ଜୟଧ୍ୱନି କରିଥିଲେ ।

ଏହି ଅବସରରେ ଏଠାରେ ଏକ ବଡ଼ ଧରଣର ଯାତ୍ରା ଅନୁଷ୍ଠିତ ହୋଇଥାଏ । ପ୍ରଭୁଙ୍କ ଦର୍ଶନ ସାଙ୍ଗକୁ ମୀନାବଜାର,ଦୋଳି,ଆଇସକ୍ରିମ,ବିଭିନ୍ନ ପ୍ରକାର ଘରୋଇ ଜିନିଷ କିଣିବା ସାଙ୍ଗକୁ ଚଟପଟା ଖାଦ୍ୟର ମଜା ନେଇଥିଲେ ଆସିଥିବା ଭକ୍ତ ଓ ଶ୍ରଦ୍ଧାଳୁମାନେ । ପିଲାମାନଙ୍କ ପାଇଁ ଦୋଳି ଓ ମୀନାବଜାର ମୁଖ୍ୟ ଆକର୍ଷଣ ପାଲଟିଥିଲା। ବାବା ପଶ୍ଚିମେଶ୍ୱରଙ୍କ ପୀଠକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଗଭୀର ଆସ୍ଥା ଓ ବିଶ୍ୱାସ ରହିଛି । କାର୍ତ୍ତିକ ମାସ ସାରା ଭକ୍ତମାନେ ବ୍ରତ ରଖି ପୂର୍ଣ୍ଣିମା ଦିନ ବାବାଙ୍କ ଦର୍ଶନ କରି ବ୍ରତ ଭାଙ୍ଗିଥାନ୍ତି । ଏହି ଯାତ୍ରା ଛଦେଶ ଅଞ୍ଚଳର ପରମ୍ପରା ଓ ସଂସ୍କୃତିର ପରିଚୟ ବହନ କରେ ।


ସେୟାର କରନ୍ତୁ