4 ଦଫା ଦାବି ନେଇ ଜାତୀୟ ରାଜପଥ ଅବରୋଧ କଲେ ବଡଝରା ଗ୍ରାମବାସୀ

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ଆଜି ବଡଝରା ଗ୍ରାମ ବସ ଷ୍ଟାଣ୍ଡ ନିକଟରେ 53 ନଂ ଜାତୀୟ ରାଜପଥ ଅବରୋଧ ହୋଇଥିବା ଦେଖିବାକୁ ମିଳିଥିଲା । ଏହା 4ଦଫା ଦାବି ନେଇ ରାସ୍ତାରୋକ କରିଥିଲେ ବଡଝରାର ଗ୍ରାମବାସୀ । ଯାହା ଫଳରେ ରାଜରାସ୍ତାର ଦୁଇ ପାର୍ଶ୍ୱରେ ଶହଶହ ଗାଡି ଅଟକି ରହିଥିଲେ ।

ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା 53 ନଂ ଜାତୀୟ ରାଜପଥର ବଡଝରା ଗାଁ ବସ ଷ୍ଟାଣ୍ଡ ନିକଟରେ 4ଦଫା ଦାବି ନେଇ ରାସ୍ତାରୋକ କରିଥିଲେ ବଡଝରା ଗ୍ରାମବାସୀ । ତେବେ ସବୁଠାରୁ ଆଶ୍ଚର୍ଯ୍ୟ ଜନକ କଥା ବିଦ୍ୟାଳୟର ଛାତ୍ରଛାତ୍ରୀ ଏହି ରାସ୍ତା ଅବରୋଧରେ ସାମିଲ ହୋଇଥିଲେ । ଗାଁରେ ପାନୀୟ ଜଳ ସମସ୍ୟା, ଉଠା ଜଳସେଚନ ପ୍ରକଳ୍ପ ଆରମ୍ଭ ହୋଇଥିଲେ ମଧ୍ୟ ଚାଷ ଜମିରେ ପାଣି ନମାଡିବା ଯୋଗୁଁ ଚାଷୀ ଅସନ୍ତୋଷ, ଗାଁ ଛକ ନିକଟରେ ଦୁର୍ଘଟଣା ରୋକିବା ପାଇଁ ଆପ୍ରୋଚ୍ ରୋଡ଼ ତିଆରି ଏବଂ ବଡ଼ଝରା ବସଷ୍ଟାଣ୍ଡରୁ ପାର୍କିଂ ବ୍ୟବସ୍ଥା ଉଚ୍ଛେଦ ଭଳି 4 ଦଫା ଦାବି ନେଇ ଲୋକମାନେ ରାସ୍ତାରୋକ କରିଥିଲେ ।

ସରପଞ୍ଚଙ୍କ ସ୍ୱାମୀ ଶ୍ରୀବସ୍ଛ ସାହୁଙ୍କ କହିବା ଅନୁଯାୟୀ- ଆମ ପଞ୍ଚାୟତରେ ବହୁତ ପ୍ରକାର ସମସ୍ୟା ରହିଅଛି । ପ୍ରଥମ ସମସ୍ୟା ହେଲା ଆମର 2013 ମସିହାରେ ଲିପ୍ଟି ପଏଣ୍ଟ କାର୍ଯ୍ୟକ୍ଷମ ହୋଇଥିଲେ ମଧ୍ୟ ଆମ ପଞ୍ଚାୟତରେ ପାଣି ଟୋପାଏ ଜଳସେଚିତ ହୋଇ ପାରିନାହିଁ । ଆମର ବସୁଧା ୱାଟର ସପ୍ଲାଇ 2017ରେ ଆରମ୍ଭ ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଗାଁରେ ସମସ୍ତ ଲୋକ ପାଣି ପାଇ ପାରୁନାହାଁନ୍ତି । ତୃତୀୟ ସମସ୍ୟା ହେଲା ଆମ ପଞ୍ଚାୟତରେ ଅନ୍ୟ ପଞ୍ଚାୟତ ଭଳିଆ ସର୍ଭିସ ରୋଡ ଦିଆଯାଇନି । ଯାହା ଫଳରେ କି ସ୍କୁଲ ପିଲାମାନେ ସ୍କୁଲ ଆସିବା ପାଇଁ ଏବଂ ଗାଁ ଲୋକମାନେ ଯାତାୟାତ ପାଇଁ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଚତୁର୍ଥ ପଏଣ୍ଟ ହେଲା ଯେପର୍ଯ୍ୟନ୍ତ ଆମକୁ ସର୍ଭିସ ରୋଡ ଦିଆଯାଇନାହିଁ, ସେପର୍ଯ୍ୟନ୍ତ ପ୍ରଶାସନକୁ ଆମର ନିବେଦନ ସେମାନେ ଆସିକି ଟ୍ରଫିକ୍କୁ କଣ୍ଟ୍ରୋଲ କରନ୍ତୁ । ନଚେତ ଆକ୍ସିଡେଣ୍ଟ ହେବାର ସମ୍ଭାବନା ରହିଛି ଏବଂ ଏହା ପୂର୍ବରୁ ମଧ୍ୟ 4ଟି ଆକ୍ସିଡେଣ୍ଟ ହୋଇଅଛି ।

ସେହିପରି ସେ ଆହୁରି ମଧ୍ୟ କୁହନ୍ତି, ଆଗରୁ ଆମେ ଏ ସମସ୍ୟାକୁ ନେଇ ସମସ୍ତ ପ୍ରଶାସନିକ ସ୍ତରରେ ଜଣାଇଥିଲୁ, ଏହାର ଆମେ କୌଣସି ସୁଫଳ ପାଇପାରିନାହୁଁ, ଯେଉଁଥିପାଇଁ ଆଜି ଆମେ ରାଜରାସ୍ତାକୁ ଅଟକାଇଅଛୁ । ଯଦି ଆମେ ଆଗକୁ ସୁବିଧା ସୁଯୋଗ ପାଇବୁ ନାହିଁ ତେବେ ଆମ୍ଭେମାନେ ଭବିଷ୍ୟତରେ ଏଭଳି ଆହୁରି ଆନ୍ଦୋଳନ କରିବୁ ।

ତେବେ ସମସ୍ତ ସୁରକ୍ଷାକୁ ଆଖି ଆଗରେ ରଖି ବ୍ୟାପକ ପୋଲିସ ମୁତୟନ କରାଯାଇଅଛି । ତେବେ ପ୍ରାୟ 3 ଘଣ୍ଟା ଧରି ରାସ୍ତାରୋକ ପରେ କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ, ଏସଡିପିଓ ରଞ୍ଜନ ଦେ, ପରଜଙ୍ଗ ବିଡିଓ ବିନୋଦ ବିହାରୀ ବେହେରା, ତହସିଲଦାର ଖଗେଶ୍ବର ପାତ୍ର ପ୍ରମୁଖ ପହଞ୍ଚି ବୁଝା ସୁଝା ପରେ ରାସ୍ତାରୋକ ଉଠିଥିଲା । ଯାହାପରେ ଯାନବାହାନ ଗଡ଼ିବା ସ୍ୱାଭାବିକ ହୋଇଅଛି ।


ସେୟାର କରନ୍ତୁ