କଡ଼ା ସୁରକ୍ଷା ସତ୍ତ୍ୱେ ବି ଜେଲରେ ଆତ୍ମହତ୍ୟା କଲେ କଏଦୀ, ତଦନ୍ତ ନିର୍ଦ୍ଦେଶ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ୨୪ ଘଣ୍ଟା କଡ଼ା ସୁରକ୍ଷା । ଭିତରେ ହେଉ ବା ବାହାରେ ଚାରିଆଡେ ମାଳ ମାଳ ସିସିଟିଭି କ୍ୟାମେରା ମଧ୍ୟ ଖଞ୍ଜା ଯାଇଛି । ଖାଲି ଏତିକି ନୁହେଁ ଦିନରାତି ସୁରକ୍ଷା କର୍ମୀ ମଧ୍ୟ ପଇଁତରା ମରୁଛନ୍ତି । ତଥାପି ଜେଲ ଭିତରେ କୌଣସି କାଣ୍ଡ ଘଟିବା କମିଶନରେଟ ପୁଲିସର କାର୍ଯ୍ୟଦକ୍ଷତା ଉପରେ ଉଗୁଁଳି ନିର୍ଦ୍ଦେଶ କରିଛି । କାରଣ ଆଜି ଭୋର ସମୟରେ ଜଣେ ବିଚାରଧିନ କଏଦୀ ଲକ୍ଷ୍ମୀସାଗର ଥାନା ଅଧିନ ଝାରପଡ଼ା ଜେଲ ଭିତରେ ଥିବା ସେଲରେ ଆତ୍ମହତ୍ୟା କରିଛି । ତାର ନାଁ ଜିତେନ୍ଦ୍ର ବିଶ୍ୱାଳ, ଘର କେନ୍ଦ୍ରାପଡ଼ା ଜିଲ୍ଲାରେ ।

ତେବେ ଜେଲ ଭିତରେ ଏତେ କଡ଼ା ସୁରକ୍ଷା ବ୍ୟବସ୍ଥା ଥିବା ସତ୍ତ୍ୱେ କିପରି ଜଣେ କଏଦୀ ଏଭଳି ପଦକ୍ଷପ ନେଲା ଏହାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସୂଚନା ମିଳିଛି ଯେ, ପୁଲିସ କଏଦୀର ଝୁଲନ୍ତା ଶବକୁ ଜବତ କରିଛି ।

ସେପଟେ ପୁରା ଘଟଣା ବିଷୟରେ ଜାଣିବା ପାଇଁ ପୁଲିସ କମିଶନର ପୁଙ୍ଖାନୁପୁଙ୍ଖ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତ ସାରି ଜେଲ ସୁପରିନଟେଣ୍ଡେଣ୍ଟକୁ ରିପୋର୍ଟ ଦେବା ପାଇଁ କୁହାଯାଇଛି । ଖାଲି ଏତିକି ନୁହେଁ ଘଟଣା ଉପରେ ମ୍ୟାଜିଷ୍ଟ୍ରେଟ ଓ ଜେଲ ଏଡିଜି ମଧ୍ୟ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ଜେଲ କତ୍ତୃପକ୍ଷ ଓ କର୍ମଚାରୀଙ୍କୁ ପଚରାଉଚରା କରାଯାଉଛି । ଭିତରେ ଲାଗିଥିବା ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ କରାଯାଉଛି । ଇତିମଧ୍ୟରେ ଶବ ବ୍ୟବଚ୍ଛେଦ ଲାଗି ପୁଲିସ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦେଇଛି ।

ଶୁଣିବାକୁ ମିଳିଛି, କିଛି ମାସ ହେଲା ବିଚାର ପ୍ରକ୍ରିୟାରେ ବିଳମ୍ବ ହେଉଥିବାରୁ ଜିତେନ୍ଦ୍ର ଖୁସି ନଥିଲେ । ତେଣୁ ସେ ଏଭଳି ପଦକ୍ଷପ ନେଇଥିବା ଅନୁମାନ କରାଯାଉଛି । ଖାଲି ଏତିକି ନୁହେଁ ସେ କିଛି ମାସ ତଳେ ଏହି କାରଣ ଯୋଗୁ କୋର୍ଟ ପରିସରରେ କିଛି ଆଇନଜୀବୀଙ୍କୁ ଦୁର୍ବ୍ୟବହାର କରିଥିଲେ । ୨୦୧୩ ଜୁଲାଇ ମାସରେ ହୋଇଥିବା ଏକ ଗଣବଳାତ୍କାର ମାମଲାରେ କମିଶନରେଟ ପୁଲିସ ଜିତେନ୍ଦ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସେବେଠାରୁ ସେ ବିଚାରଧୀନ କଏଦୀ ଭାବେ ଝାରପଡ଼ା ଜେଲରେ ରହିଥିଲେ ।


ସେୟାର କରନ୍ତୁ