ଡ୍ୟୁଟି ବେଳେ ଜୀବନ ଗଲା, ଶବ ରଖି ପାରାଦ୍ୱୀପ ବନ୍ଦର ପ୍ରଶାସନିକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ କର୍ମଚାରୀ

ରାଜ୍ୟ
ସେୟାର କରନ୍ତୁ

ପାରାଦ୍ୱୀପ: ପାରାଦ୍ୱୀପ ବନ୍ଦରରେ କାର୍ଯ୍ୟରତ ଥିବା ଜଣେ ଶ୍ରମିକ ଡ୍ୟୁଟି କରୁଥିବା ସମୟରେ ତାଙ୍କ ଜୀବନ ଯାଇଛି । ତାଙ୍କ ନାଁ ସୁକାନ୍ତ ଦାସ, ଘର ଉଦୟଭଟ୍ଟ । ତେଣୁ କାମ କରୁଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିବାରୁ ତାଙ୍କ ପରିବାରକୁ କ୍ଷତିପୂରଣ ଦେବା ପାଇଁ ଦାବି ହୋଇଛି । ଏଥିଲାଗି ଶତାଧିକ କର୍ମଚାରୀ ଏବଂ ପରିବାର ଲୋକେ ଶୁକ୍ରବାର ପାରାଦ୍ୱୀପ ବନ୍ଦରର ପ୍ରଶାସନିକ କାର୍ଯ୍ୟାଳୟର ମୁଖ୍ୟ ଫାଟକ ସମ୍ମୁଖରେ ଶବ ରଖି ଧାରଣା ଦେଇଛନ୍ତି । ସେମାନଙ୍କ ଦାବି ହେଲା ମୃତ ସୁକାନ୍ତଙ୍କ ପୁଅକୁ ଚାକିରୀ ଓ ପରିବାରକୁ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ।

ହେଲେ ଏପର୍ଯ୍ୟନ୍ତ କୌଣସି ଉଚ୍ଚ କତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ନଥିବାରୁ ବିକ୍ଷୋଭକାରୀ ଅନ୍ଦୋଳନ ଜୋର କରିଛନ୍ତି । ଆଇନଶୃଙ୍ଖଳା ପରିସ୍ଥିତି ରୋକିବା ପାଇଁ ଘଟଣାସ୍ଥଳରେ ଏକ ପ୍ଲାଟୁନ ଫୋର୍ସ ମୂତୟନ କରାଯାଇଛି । ଖବର ପାଇ ପାରାଦ୍ୱୀପର ଅତିରିକ୍ତ ଏସପି ବିଷ୍ଣୁ ମିଶ୍ର ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ହେଲେ ସେମାନଙ୍କ ଗୋଟିଏ ଯିଦ କ୍ଷତିପୂରଣ ନ ମିଳିଲେ ଶବ ସେଠାରୁ ଉଠିବ ନାହିଁ ଓ ଆନ୍ଦୋଳନ ଉଗ୍ରରୂପ ନେବ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ଖବର ଲେଖା ହେବା ସମୟରେ ଅନ୍ଦୋଳନ ଜାରି ରହିଥିବା ସୂଚନା ମିଳିଛି ।

ସୁକାନ୍ତ ବନ୍ଦରରେ ଜିପିଏମ ଭାବେ କାମ କରୁଥିଲେ । ଗତକାଲି ସେ ଡ୍ୟୁଟିରେ ଥିବା ବେଳେ ହଠାତ ଅସୁସ୍ଥ ଅନୁଭବ କରି ତଳେ ପଡି ଯାଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ପୋର୍ଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସ୍ୱସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ପରେ କଟକର ଏକ ଘରୋଇ ହସ୍ପିଟାଲକୁ ସ୍ତନାନ୍ତର କରାଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ ।


ସେୟାର କରନ୍ତୁ