ଜମା ଟଙ୍କା ଦୁଇଗୁଣା କରିଦେବା କହି ୨୩ଲକ୍ଷ ଚଳୁ, ଦଲାଲ ଗିରଫ

ଅପରାଧ
ସେୟାର କରନ୍ତୁ

ଭୁବନେଶ୍ୱର: କହିଥିଲେ ଟଙ୍କା ଦିଅ ଦୁଇଗୁଣା କରିଦେବୁ । ହେଲେ ହାତକୁ ଟଙ୍କା ଅସିବା ପରେ ଦଲାଲ ଜଣଙ୍କ ଟଙ୍କା ଦେବା ତ ଦୂରର କଥା ଧରାଛୁଆଁ ମଧ୍ୟ ଦେଇ ନଥିଲେ । ବରଂ ନାଲି ଆଖି ଦେଖାଇଥିଲେ । ଶେଷରେ ୨୩ ଲକ୍ଷ ଟଙ୍କା ଚଳୁ କରିବା ଅଭିଯୋଗରେ କମିଶନରେଟ ପୁଲିସ ହାତରେ ଧରା ପଡିଛନ୍ତି ଦଲାଲ ଜଣଙ୍କ । ଘଟଣାଟି ଘଟିଛି ଚନ୍ଦ୍ରଶେଖରପୁର ଅଞ୍ଚଳରେ । ଅଭିଯୁକ୍ତ ଜଣଙ୍କ ହେଲେ ମୟୁରଭଞ୍ଜ ଲାଲ ବଜାରର ଅଭିଷେକ କୁମାର ରାମ । ସେ ଏଠାରେ ଚନ୍ଦ୍ରଶେଖରପୁର ଥାନା ଡିଷ୍ଟ୍ରିକ ସେଣ୍ଟର ଫ୍ଲାଟ ନମ୍ବର ୨୮ରେ ରୁହନ୍ତି ।

ସୂଚନାମୂତାବକ, ସ୍କିଲ ଡେଭେଲପମେଣ୍ଟ ନାମକ ଏକ ସଂସ୍ଥା ଖୋଲି ଅଭିଷେକ ଏହି ଠକେଇ କରିଥିଲେ । ଏଥିପାଇଁ ସେ ବିଡିଏ କଲୋନୀରେ ରହୁଥିବା ଜଣେ ଅବସରପ୍ରାପ୍ତ କର୍ମଚାରୀ କୁଳମଣୀ ନାହାକଙ୍କୁ ଜାଲରେ ଫସାଇଥିଲେ । କୁଳମଣୀ ଅବସର ପାଇବା ପରେ ଲକ୍ଷାଧିକ ଟଙ୍କା ରଖିଥିବା ଅଭିଯୁକ୍ତ ଜଣକ ଜଣିବାକୁ ପାଇଥିଲା । ଚକ୍ରାନ୍ତ କରି ଅଭିଯୁକ୍ତ ଆଦିତ୍ୟ ବିର୍ଲା ମନି ଟ୍ରେଡ଼ିଙ୍ଗ ଭଳି ଏକ ସ୍କିମ କରିଥିଲା । ଯେଉଁଥିରେ ୫ ବର୍ଷରେ ଜମା ଟଙ୍କା ଡବଲ ହୋଇଯିବ ବୋଲି କହିଥିଲା ।

ଏଭଳି ସ୍କିମରେ ପ୍ରଲୋଭିତ ହୋଇ କୁଳମଣୀ ବିଭିନ୍ନ କିସ୍ତିରେ ଅଭିଯୁକ୍ତକୁ ୨୩ ଲକ୍ଷ ଟଙ୍କା ଦେଇଥିଲେ । ସମୟ ବିତିଯାଇଥିଲା ହେଲେ ପ୍ରତିଶ୍ରୁତି ଅନୁଯାୟୀ ଜମା ଟଙ୍କା ମିଳିନଥିଲା । ଟଙ୍କା ମିଳିବା ବଦଳରେ ତାଙ୍କୁ ଧମକଚମକ ମିଳିଥିଲା । ନିରାଶ ହୋଇ କୁଳମଣୀ ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଚଢ଼ଉ କରି ଅଭିଯୁକ୍ତକୁ ଗିରଫ କରିଛି ।


ସେୟାର କରନ୍ତୁ