ହୁକା ବାରରେ ଚଢ଼ଉ, ୧୦ରୁ ଅଧିକ ଅଟକ

ଅପରାଧ
ସେୟାର କରନ୍ତୁ

ଭୁବନେଶ୍ୱର: ରାଜଧାନୀରେ ବେଧଡ଼କ ହୁକା ସେବନ ରୋକିବା ପାଇଁ କମିଶନରେଟ ପୁଲିସ ପକ୍ଷରୁ ବିଭିନ୍ନ ହୁକା ବାରରେ ଚଢ଼ଉ କରାଯାଇଛି । ୪ ଟିମ ଶୁକ୍ରବାର ରାତିରେ ଏକକାଳିନ ଚଢ଼ଉ କରିଛନ୍ତି । ଏହି ଚଢ଼ଉରେ ୨ ଜଣ ଏସିପି, ୪ ଜଣ ଥାନା ଅଧିକାରୀଙ୍କ ସମେତ କ୍ୟୁଏଟି, ସ୍ପେଶାଲ ସ୍କାର୍ଡ ଟିମ ମଧ୍ୟ ସାମିଲ ଥିବା ଜଣାପଡିଛି ।

ବିଶେଷ କରି ନୂଆପଲ୍ଲୀ, ସହିଦନଗର, ଚନ୍ଦ୍ରଶେରପୁର ଓ ଇନଫୋସିଟି ଥାନା ଅଞ୍ଚଳରେ ଥିବା ବିିଭିନ୍ନ ବାରରେ ଚଢ଼ଉ କରାଯାଇ ବ୍ୟବହାର କରାଯାଉଥିବା ହୁକା ଓ ଅନ୍ୟାନ୍ୟ ସାମଗ୍ରୀକୁ ପୁଲିସ ଜବତ କରିଛି । ବାର ଗୁଡିକରୁ ପୁଲିସ ଜୋରିମାନା ଆଦାୟ କରିଛି । ଏଥିସହ ପୁଲିସ ୧୦ରୁ ଅଧିକ ବାର କର୍ମଚାରୀ ଓ ଅନ୍ୟ ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।

ସୂଚନା ମୂତାବକ, ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳରେ ବେଆଇନ ହୁକା ବାର ଚାଲିଥିବା ଡିସିପି ଅନୁପ ସାହୁ ସୂଚନା ପାଇଥିଲେ । ଅଧିକାଂଶ ଯୁବପିଢ଼ୀ ହୁକା ସେବନ କରିବାରେ ଲିପ୍ତ ରହୁଛନ୍ତି । ଏହା ଦ୍ୱାରା ସେମାନେ ନିଶାଶକ୍ତ ଅବସ୍ଥାରେ ବିଭିନ୍ନ ଅପରାଧ ଓ ଦୁର୍ଘଟଣା ଘଟାଉଛନ୍ତି । ଯାହା ପୁଲିସ ପାଇଁ ମୁଣ୍ଡାବିନ୍ଧାର କାରଣ ପାଲିଟିଛି । ତେଣୁ ଏହାକୁ ରୋକିବା ପାଇଁ ଡିସିପି ଶ୍ରୀ ସାହୁ ବିଭିନ୍ନ ଥାନାମାନଙ୍କୁ ଚଢ଼ଉ କରିବାକୁ କଡ଼ା ନିର୍ଦ୍ଧେଶ ଦେଇଥିଲେ ।

ପୂର୍ବରୁ ମଧ୍ୟ ବହୁ ଥର ରାଜଧାନୀର ବିଭିନ୍ନ ହୁକା ବାର ଉପରେ ଚଢ଼ଉ ହୋଇଥିବା ସହ ବାରଗୁଡିକରୁ ଜୋରିମାନା ମଧ୍ୟ ଆଦାୟ କରାଯାଇଥିଲା । ହେଲେ ବାରମ୍ବାର ବାରଗୁଡିକରେ ହୁକା ସେବନ ହେଉଥିବାରୁ କେଉଁଠି ନା କେଉଁଠି ପୁଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।


ସେୟାର କରନ୍ତୁ