ଏମବିଏ ସାର୍ଟିଫିକେଟ ମିଳିବାରେ ଅନିୟମିତତା, କଲେଜ କତୃପକ୍ଷଙ୍କ ଏକଛତ୍ରବାଦ ଶାସନକୁ ବିରୋଧ କରି ବିକ୍ଷୋଭ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ଜଟଣୀ ଅଞ୍ଚଳରେ ଥିବା ଏକ ପ୍ରତିଷ୍ଠିତ ଏମବିଏ କଲେଜରେ ଏମବିଏ ସାର୍ଟିଫିକେଟ ମିଳିବାରେ ଅନିୟମିତତା ଦେଖା ଦେଇଥିବା ଘଟଣାକୁ ବିରୋଧ କରି ଛାତ୍ର ଓ ଅଭିଭାବକ ମଙ୍ଗଳବାର ଶିକ୍ଷାନୁଷ୍ଠାନ ମୁଖ୍ୟ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କଲେଜ କତୃପକ୍ଷଙ୍କ ଏକଛତ୍ରବାଦ ଶାସନ, ପ୍ରତିଶୋଧମୂଳକ ନିତି ଓ ଏଭଳି କାର୍ଯ୍ୟକୁ ବେଆଇନ ଦର୍ଶାଇ ଆନ୍ଦୋଳନକାରୀ ତୀବ୍ର ପ୍ରତିବାଦ ଜଣାଇଛନ୍ତି ।

ବ୍ୟାନର ଓ ପ୍ଲା-କାର୍ଡ ଧରି ଆନ୍ଦେ।ଳନକାରୀ କୁଳପତି ଓ କୁଳସଚିବ ‘ଡ଼ାଉନ ଡ଼ାଉନ’ କହି ନାରା ବାଜି କରିଛନ୍ତି । ଏଥିସହ ଉଭୟ ଉଚ୍ଚପଦସ୍ଥ ଅଧିକାରୀ ପଦରୁ ଯଥାଶୀଘ୍ର ଇସ୍ତଫା ଦେବାକୁ ସେମାନେ ଅଡି ବସିଛନ୍ତି । ଦାବି ଗୁଡିକର ତୁରନ୍ତ ସମାଧାନ ନକଲେ ଆନ୍ଦୋଳନକାରୀ କଲେଜ ବନ୍ଦ କରିବା ସହ ରାଜରାସ୍ତାକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛନ୍ତି ।

ବିକ୍ଷୋଭକରୀଙ୍କ ଅଭିଯୋଗ ଅନୁଯାୟୀ, ୨୦୧୬-୨୦୧୮ରେ ଆଡ଼ମିଶନ କରିଥିବା ଏଚଆରଏମ (ହ୍ୟୁମାନ ରିଶୋର୍ସ ଆଣ୍ଡ ମ୍ୟାନେଜମେଣ୍ଟ), ଆରଏମ (ରୁରାଲ ମ୍ୟାନେଜମେଣ୍ଟ) ଓ ଏସଏମ (ସସ୍ଟେନେବିଲିଟି ମ୍ୟାନେଜମେଣ୍ଟ) ବ୍ୟାଚ ପିଲାଙ୍କ ସାର୍ଟିଫିକେଟ ପ୍ରଦାନ କରିବାରେ କଲେଜ କତୃପକ୍ଷ ମନମୁଖୀ ପଦକ୍ଷପ ଗ୍ରହଣ କରିଥିବା ସେମାନେ ବ୍ୟାନରରେ ଉଲ୍ଲେଖ କରିଛନ୍ତି । ଏମିତି କରି ପିଲାମାନଙ୍କ ଭବିଷ୍ୟତ ସହ କଲେଜ କତୃପକ୍ଷ ଖେଳୁଥିବା ସେମାନେ କହିଛନ୍ତି ।

ତେଣୁ ଏହାକୁ ରୋକିବା ପାଇଁ ୩ଗୋଟି ଦାବି ଉପରେ କତୃପକ୍ଷ ତୁରନ୍ତ ଧ୍ୟାନ ଦେବା ପାଇଁ ସେମାନେ ମତ ରଖିଛନ୍ତି । ସେଗୁଡିକ ହେଉଛି, ଏମବିଏ ସାର୍ଟିଫିକେଟରେ ଟେମ୍ପ୍ଲେଟ ଲାଗିବା ଜରୁରୀ, ଷଷ୍ଟ ସେମିଷ୍ଟରରେ ଗ୍ରଡ କଟ୍ ପ୍ରତ୍ୟାହାର ଏବଂ ଖାତା ଦେଖାରେ ସଠିକ ମୂଲ୍ୟ ନିର୍ଦ୍ଧାରଣ ଓ କଣ୍ଡକ୍ଟ ସାର୍ଟିଫିକେଟରେ ଅସନ୍ତୋଷଜନକ ଟିପ୍ପଣୀ ଉଠାଇବା । ରିପୋର୍ଟ ଲେଖା ହେବା ସମୟରେ ଆନ୍ଦୋଳନକାରୀ କଲେଜ ସମ୍ମୁଖରେ ଧାରଣାରେ ବସିଥିବା ସୂଚନା ମିଳିଛି ।


ସେୟାର କରନ୍ତୁ