ଝାରପଡ଼ା ଜେଲରେ ବିଚାରଧୀନ କଏଦୀଙ୍କ ଆତ୍ମହତ୍ୟା ଘଟଣା: ଜେଲ ଆଇଜିଙ୍କୁ ରିପୋର୍ଟ ତଲବ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ଝାରପଡ଼ା ଜେଲ ପରିସରରେ ଗତମାସରେ ଜଣେ ବିଚାରଧୀନ କଏଦୀ ଜିତେନ୍ଦ୍ର ବିଶ୍ୱାଳ ଆତ୍ମହତ୍ୟା କରିବା ଘଟଣାରେ ରାଜ୍ୟ ମାନବାଧିକାର କମିଶନ (ଓଏଚଆରସି) ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ୬ସପ୍ତାହ ଭିତରେ ତଦନ୍ତ ରିପୋର୍ଟ ଦାଖଲ କରିବା ପାଇଁ କମିଶନ ଜେଲ ଆଇଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାବାଦ ମାଜିଷ୍ଟ୍ରେଟଙ୍କ ରିପୋର୍ଟ ମଧ୍ୟ ଦାଖଲ କରିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଘଟଣା ଘଟିବା ପରେ ମାନବାଧିକାର କର୍ମୀ ତଥା ଆଇନଜୀବୀ ପ୍ରବୀର ଦାସ ଏନେଇ ଓଏଚଆରସିରେ ଏକ ପିଟିସନ ଦାଖଲ କରିଥିଲେ । ଏହା ଉପରେ ଶୁଣାଣି କରି କମିଶନ ତାଙ୍କ ରାୟ ରଖିଛନ୍ତି ।

ସୂଚନା ମୁତାବକ, ଚଳିତ ମାସ ମେ’ ୧୨ ତାରିଖରେ ବିଚାରଧିନ କଏଦୀ କେନ୍ଦ୍ରାପଡ଼ା ଜିଲ୍ଲାର ଜିତେନ୍ଦ୍ର ବିଶ୍ୱାଳ ଲକ୍ଷ୍ମୀସାଗର ସ୍ଥିତ ଝାରପଡ଼ା ଜେଲ ଭିତରେ ଥିବା ସେଲରେ ଆତ୍ମହତ୍ୟା କରିଥିଲେ । ପୁଲିସ ତାଙ୍କ ଝୁଲନ୍ତା ଶବକୁ ଜବତ କରିଥିଲା । ସେହି ସମୟରେ ମ୍ୟାଜିଷ୍ଟ୍ରେଟ ଓ ଜେଲ ଆଇଜି ତଦନ୍ତ କରିଥିଲେ ଏବଂ ସମସ୍ତ ଘଟଣାକୁ ଭିଡିଓ ରେକଡିଂ କରିଥିଲେ ।

ଏହାଛଡ଼ା ଘଟଣା ଘଟିବାର କିଛି ମାସ ପୂର୍ବେ ଜିତେନ୍ଦ୍ର ଖୁସି ନଥିବା ଜଣାପଡିଥିଲା । ବିଚାର ପ୍ରକ୍ରିୟାରେ ବିଳମ୍ବ ହେଉଥିବାରୁ ଜିତେନ୍ଦ୍ର ଏଭଳି ପଦକ୍ଷପ ନେଇଥିବା ଅନୁମାନ କରାଯାଇଥିଲା । ଖାଲି ଏତିକି ନୁହେଁ ସେ କିଛି ମାସ ତଳେ ଏହି କାରଣ ଯୋଗୁ କୋର୍ଟ ପରିସରରେ କିଛି ଆଇନଜୀବୀଙ୍କୁ ଦୁର୍ବ୍ୟବହାର ମଧ୍ୟ କରିଥିଲେ । ୨୦୧୩ ଜୁଲାଇ ମାସରେ ହୋଇଥିବା ଏକ ଗଣବଳାତ୍କାର ମାମଲାରେ କମିଶନରେଟ ପୁଲିସ ଜିତେନ୍ଦ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସେବେଠାରୁ ସେ ବିଚାରଧୀନ କଏଦୀ ଭାବେ ଝାରପଡ଼ା ଜେଲରେ ରହିଥିଲେ ।


ସେୟାର କରନ୍ତୁ