୬ ରାଜ୍ୟରେ ମାଓ ଦମନ ଲାଗି ରଣକୌଶଳ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ୬ଟି ରାଜ୍ୟରେ ମାଓ ମୁକାବିଲା ପାଇଁ ରଣକୌଶଳ ପ୍ରସ୍ତୁତ ଲାଗି ଶୁକ୍ରବାର ଭୁବନେଶ୍ୱର ପୁଲିସ ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହାଛଡ଼ା ପୂର୍ବ ଭାରତରେ ବିଭିନ୍ନ ପ୍ରକାରର ସମ୍ବେଦନଶୀଳ ଅପରାଧକୁ ରୋକିବା ପାଇଁ ପୂର୍ବାଚଂଳ ସମନ୍ୱୟ କମିଟି ବୈଠକ ଓଡ଼ିଶା ପୁଲିସ ପକ୍ଷରୁ ଅୟୋଜନ କରାଯାଇଛି । ଉକ୍ତ ଦୁଇଟି ବୈଠକକୁ ଅଧ୍ୟକ୍ଷତା କରିଥିଲେ ଓଡ଼ଶା ଡିଜିପି ଡାକ୍ତର ରଜେନ୍ଦ୍ର ପ୍ରସାଦ ଶର୍ମା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଗୃହ ମନ୍ତ୍ରାଳୟର ବିରଷ୍ଠ ସୁରକ୍ଷା ପରାମର୍ଶଦାତା କେ.ବିଜୟ କୁମାର । ମାଓ ଦମନ କ୍ଷେତ୍ରରେ ଓଡି଼ଶାର ଉଲ୍ଲେଖନୀୟ ଅବଦାନକୁ ସେ ପ୍ରଶଂସା କରିଥିଲେ । ରାଜ୍ୟ ଭିତରେ ସମନ୍ୱୟ ରକ୍ଷା କରିବା ସହ ମାଓ ଅପରେସନ ଓ ଏଥିପ୍ରତି ସୁରକ୍ଷା କର୍ମୀଙ୍କ ପ୍ରଶିକ୍ଷଣ ଜୋରଦାର କରିବା ପାଇଁ ମତବ୍ୟକ୍ତ କରିଥିଲେ ।

ବୈଠକ ପରେ ଡିଜିପି ଶ୍ରୀ ଶର୍ମା ଗଣମାଧ୍ୟମକୁ କହିଥିଲେ ଯେ, ଆଜି ଏଠାରେ ଦୁଇଟା ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ପ୍ରଥମ ଥର ପାଇଁ ଓଡ଼ିଶା ଉଭୟ ବୈଠକକୁ ଆୟୋଜନ କରିଛି । ଗୋଟିଏ ଥିଲା ମାଓ ମୁକାବିଲା ପାଇଁ ପଡୋଶୀ ରାଜ୍ୟର ସମନ୍ୱୟ, ଯେଉଁଥିରେ ଆନ୍ଧ୍ରପ୍ରେଦେଶ, ତେଲେଙ୍ଗାନା, ଛତିଶଗଡ଼, ବିହାର, ଝାରଖଣ୍ଡ ଓ ପଶ୍ଚିମବଙ୍ଗର ବରିଷ୍ଠ ପୁଲିସ ଅଧିକାରୀଗଣ ଯୋଗ ଦେଇଥିଲେ । ଖାଲି ଏତିକି ନୁହେଁ ଗୃହ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ, ସିଆରପିଏଫ ଓ ବିଏସଏଫର ଉଚ୍ଚପଦଧିକାରୀଗଣ ମଧ୍ୟ ଯୋଗ ଦେଇଥିଲେ । ବୈଠକରେ ଉକ୍ତ ୬ଟି ରାଜ୍ୟରେ ମାଓ ମୁକାବିଲା ପାଇଁ କିପରି ରଣକୌଶଳ ତିଆରି କରାଯାଇ ପାରିବ ସେ ଦିଗରେ ଅଧିକାରୀମାନେ ଅଲୋଚନା କରିଥିଲେ । ଏଥିସହ ରାଜ୍ୟ ରାଜ୍ୟ ଭିତରେ ସହଯୋଗର ହାତ ବଢ଼ାଇବା, ସୁରକ୍ଷା କର୍ମୀଙ୍କ ଭିତରେ କିପରି ସମନ୍ୱୟ ରକ୍ଷା କରିହେବ, ଗୁଇନ୍ଦା ତଥ୍ୟ ସଂଗ୍ରହ କରିବା ଓ ସେସବୁକୁ ରାଜ୍ୟଗୁଡିକର ପୁଲିସ ଭିତରେ ଆଦାନପ୍ରଦାନ କରିବା, ପଡୋଶୀ ରାଜ୍ୟର ସୁରକ୍ଷା କର୍ମୀଙ୍କ ସହ ମିଶି ମାଓ ଅପରେସନ ଜୋର କରିବା ଓ ମାଓ ଅଧ୍ୟୁଷିତ ଅଚଂଳମାନଙ୍କରେ କିପରି ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରିବା ଦିଗରେ ଅଧିକାରୀମାନେ ଅଲୋଚନା କରିଥିଲେ ।

ଦ୍ୱିତୀୟ ବୈଠକ ବିଷୟରେ ଶ୍ରୀ ଶର୍ମା କହିଥିଲେ, ଏହା ବର୍ଷକୁ ଦୁଇଥର ବସେ । ଏହି ବୈଠକରେ ପୂର୍ବ ଭାରତରେ ସିପିଆଇ ମାଓ ସଂଗଠନ ଦ୍ୱାରା କରାଯାଉଥିବା ବିଭିନ୍ନ କାର୍ଯ୍ୟକଳାପ ଉପରେ ରୋକ ଲାଗଇବା ନେଇ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ଏହାବାଦ ରାଜ୍ୟ ସୀମାରେ ଚାଲୁଥିବା ବେଆଇନ ଅସ୍ତ୍ରଶସ୍ତ୍ର କାରବାର, ନିଶାଦ୍ରବ୍ୟ ଓ ଡ୍ରଗ୍ସ ଚାଲାଣ, ମାନବ ଚାଲାଣ, ଜୀବଜନ୍ତୁ ଚାଲାଣ ଓ ଅପରାଧୀମାନେ ଚଳାଉଥିବା ବିଭିନ୍ନ ଆନ୍ତରାଜ୍ୟ ଗ୍ୟାଙ୍ଗଗୁଡିକୁ ରୋକ ଲଗାଇବା, ସବୁ ପ୍ରକାରର ସାଇବର ଅପରାଧକୁ ରୋକିବା ନେଇ ବିସ୍ତୃତ ଅଲୋଚନା ହୋଇଥିଲା । ଓଡ଼ିଶାରେ ମଧ୍ୟ ସାଇବର ଅପରାଧ ମାଡି ବସିଥିବା ଦେଖାଦେଇଛି, ଯେଉଁଥିରେ ଝାରଖଣ୍ଡ ଓ ବିହାରରୁ ନିକଟ ଦିନରେ ବହୁ ଅପରାଧୀଙ୍କୁ ଓଡ଼ିଶା ପୁଲିସ ଗିରଫ କରିଥିବା ଶ୍ରୀ ଶର୍ମା କହିଛନ୍ତି । ଏହାଛଡା ତଦନ୍ତ ପ୍ରକ୍ରିୟାରେ ବୈଷୟିକ ଦୃଷ୍ଟି କୋଣରୁ କିପରି ଉନ୍ନତମାନର ସେବା ଯୋଗାଇ ହେବ ତାହା ଉପରେ ଆଲୋକପାତ କରିଥିଲେ । ଏହାବାଦ ମାଓ ଅପରେସନ, ଗୁଇନ୍ଦା ଓ ସାଇବର କ୍ରାଇମ ଭଳି ଅପରାଧକୁ ରୋକିବା ପାଇଁ ସୁରକ୍ଷା କର୍ମୀଙ୍କୁ କିଭଳି ଉନ୍ନତମାନର ପ୍ରଶିକ୍ଷଣ ଦିଆଯାଇପାରିବ ସେନେଇ ବୈଠକରେ ନିଷ୍ପତି ନିଆଯାଇଥିଲା । ରାଜ୍ୟରେ ଭୌଗଳିକ ସ୍ଥିତିର ମଧ୍ୟ ମାଓବାଦୀମାନେ ଫାଇଦା ଉଠାଉଛନ୍ତି । ଫଳରେ ମାଓ ଦମନରେ ପର୍ଯ୍ୟାପ୍ତ ପରିମାଣରେ ବାଧା ଉପୁଜୁଛି । ଝାରଖଣ୍ଡ ହେଉ ବା ଆନ୍ଧ୍ରର ସୁରକ୍ଷା କର୍ମୀମାନେ ମାଓ ଦମନରେ ସହଯୋଗ କରୁଛନ୍ତି, କିନ୍ତୁ ମାଓବାଦୀମାନଙ୍କର ଆନ୍ତରାଜ୍ୟ କାର୍ଯ୍ୟକଳାପକୁ ନେଇ ସୁରକ୍ଷାରେ ବାଧା ଉପୁଜୁଛି ।

ବୈଠକରେ ବିଏସଏଫର ସ୍ୱତନ୍ତ୍ର ଡିଜି ଅରୁଣ କୁମାର, ଆନ୍ଧ୍ରପ୍ରଦେଶର ଅତିରିକ୍ତ ଡିଜି (ଗୁଇନ୍ଦା) ଏ.ବି.ଭେଙ୍କେଟେଶ୍ୱର ରାଓ, ତେଲେଙ୍ଗାନା ଡିଜିପି ମହେନ୍ଦ୍ର କୁମାର ରେଡ୍ଡୀ, ଛତିଶଗଡ଼ ଅତିରିକ୍ତ ଡିଜି (ଅପରେସନ) ଡି.ଏମ.ଅୱାସ୍ତି, ଆଇଜିପି ପଶ୍ଚିମଜୋନ କୋଲକାତାର ରାଜୀବ ମିଶ୍ର, ବିହାରର ଏଡିଜିପି ଅଶୋକ ରାଜ, ଏଡିଜିପି ଝାରଖଣ୍ଡ ଆର.କେ.ମଲ୍ଲିକ ଓ ରାଜ୍ୟର ବରିଷ୍ଠ ପୁଲିସ ଅଧିକାରୀମାନେ ଯୋଗ ଦେଇଥିଲେ ।


ସେୟାର କରନ୍ତୁ