ଗାଁଦାଣ୍ଡରେ ଶାଶୁଙ୍କୁ ଘୋଷାରି ଘୋଷାରି ମାଡ଼ ମାରିଲେ ବୋହୂ, ଜେଲ ଗଲେ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ଗାଁଗଣ୍ଡାରେ ଖରଖରି ଶାଶୁ ଥିବା ଶୁଣିବାକୁ ମିଳିଥାଏ । ଯାହାଙ୍କ ପାଇଁ ବୋହୂ ନାନା ପ୍ରକାରର ନିର୍ଯାତନା ସହି ଆସିଥାଆନ୍ତି । ଏତିକି ନୁହେଁ ଶାଶୁଙ୍କ ଭୟରେ ବୋହୂ ଆଖିର ଲୁହ ଓ ମନର କୋହକୁ ଲୁଚାଇ ରଖି କେମିତି ଏକ ସୁଖମୟ ଜୀବନ ଯିଇଁବେ ସେଥିପାଇଁ ଦିନ ଗଣିଥାଆନ୍ତି । ହେଲେ ଏବେ କିନ୍ତୁ ବାସ୍ତବ ଚିତ୍ର ପୁରା ଓଲଟା ।

ବରଗଡ଼ ଜିଲ୍ଲା ଗାଏସିଲଟ୍ ଗାଁରେ ଏମିତି ଏକ ରୁମଟାଙ୍କୁରା ଘଟଣା ଘଟିଛି, ଯାହା ପୁରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । କୌଣସି ଘରୋଇ କଳହକୁ କେନ୍ଦ୍ରକରି ବୋହୂ ନିଜ ଶାଶୁଙ୍କୁ ଗାଁ ମଝିଦାଣ୍ଡରେ ଘୋଷାରି ଘୋଷାରି ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏହି ଘଟଣାଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୁଲିସ ମାମଲାର ତଦନ୍ତ କରି ପର୍ଶୁରାମ ସାହୁଙ୍କ ଧର୍ମ ପତ୍ନୀ ବାଳମତୀ ସାହୁଙ୍କୁ ଗିରଫ କରି ଜେଲ ପଠାଇଛି ।

ଭାଇରାଲ ହୋଇଥିବା ଭିଡିଓରୁ ଜଣାପଡୁଛି ଯେ, ବୋହୂ ବାଳମତୀ ପ୍ରଥମେ ଶାଶୁଙ୍କ ହାତକୁ ଟଣାଟଣି କରିଥିଲେ । ନିଜକୁ ରକ୍ଷା କରିବା ପାଇଁ ଶାଶୁ ଛାଟିପିଟି ହେବାରୁ ବୋହୂ ଜଣଙ୍କ ପରବର୍ତ୍ତୀ ସମୟରେ ଶାଶୁଙ୍କ ଗୋଡକୁ ପଶୁ ଭଳି ଘୋଷାରି ଘୋଷାରି ଟାଣି ନେଇଥିଲେ । ଆଉ ସବୁଠାରୁ ବଡ଼ କଥା ହେଲା ଏହି ଅମାନୁଷିକ ଦୃଶ୍ୟ ଗାଁ ଦାଣ୍ଡରେ ଘଟୁଥିଲେ ସୁଦ୍ଧା ବୃଦ୍ଧ ମହିଳାଙ୍କୁ ବଞ୍ଚାଇବା ପାଇଁ ଗାଁ ଲୋକେ ଆଗକୁ ମଧ୍ୟ ଆସିନଥିଲେ ।


ସେୟାର କରନ୍ତୁ