ପ୍ରବାସୀ ଓଡ଼ିଆଙ୍କ ରଜ ପାଳନ…କମେଡ଼ିଆନ ହରି ଦେଖାଇବେ ଜଲବା

ଦେଶବିଦେଶ
ସେୟାର କରନ୍ତୁ

ଭୁବନେଶ୍ୱର: ରଜ ଓଡ଼ିଶାର ଏକ ମୁଖ୍ୟ ପର୍ବ । ଏହି କୃଷିଭିତ୍ତିକ ପର୍ବ ସବୁରି ମନ ଜିଣେ । ଖାଲି ଏତିକି ନୁହେଁ ଦୋଳି ସାଙ୍ଗକୁ ପୋଡ଼ ପିଠା ଘରେ ଘରେ ତିଆରି ହୋଇଥାଏ । ତା ସାଙ୍ଗକୁ ପୁଣି ରଜ ପାନ ଏବଂ ନୂଆ ଡ୍ରେସ । ଯାହା ସମସ୍ତଙ୍କ ମଧ୍ୟରେ କୋଳାହଳ, ଉତ୍ସବମୁଖର ପରିବେଶ ସୃଷ୍ଟି କରିଥାଏ । ତା’ପରେ ସଭିଏଁ ମିଶି ଗୋଟିଏ ଗିତ ବୋଲି ଥାଆନ୍ତି- “ବରଷକେ ଥରେ ଆସିଛି ରଜ…ଘେନି ନୂଆ ସଜବାଜ ” । ଏଇ ରଜ ଯେ କେବଳ ଓଡ଼ିଶାରେ ପାଳନ ହୁଏ ତାହା ନୁହେଁ । ଓଡ଼ିଶା ବାହାରେ ରହୁଥିବା ଅନେକ ପ୍ରବାସୀ ଓଡ଼ିଆ ଏହାକୁ ମଧ୍ୟ ବଡ଼ ଧୁମଧାମରେ ପାଳନ କରିଥାନ୍ତି । ତେବେ ଏଥର ରଜ ପର୍ବ ପାଇଁ ସେମାନେ କେମିତି ପ୍ରସ୍ତୁତ ହେଉଛନ୍ତି ଚାଲନ୍ତୁ ଜାଣିବା…

ମହାରାଷ୍ଟ୍ର ପୁନେରେ ଥିବା କଳିଙ୍କ ସ୍ୱରାଜ ପ୍ରବାସୀ ଓଡ଼ିଆ ପରିବାର ବର୍ତ୍ତମାନ ତୃତୀୟ ବର୍ଷରେ ପହଞ୍ଚି ପ୍ରତିଟି ଓଡ଼ିଆଙ୍କ ସୁଖ ଦୁଃଖରେ ସାମିଲ ହୋଇପାରିଛି । ଏହା ଯେ କେବଳ କଥାରେ ସୀମିତ ତାହା ନୁହେଁ, ଓଡ଼ିଆ ଭାଇଭଉଣୀମାନେ ଏଥିପାଇଁ କାର୍ଯ୍ୟ ମଧ୍ୟ କରି ଚାଲିଛନ୍ତି । ପ୍ରବାସୀମାନଙ୍କୁ ଓଡ଼ିଶାର ବାସ୍ନା ପହଞ୍ଚାଇବାରେ ସମର୍ଥ ହୋଇପାରିଛି । ଓଡ଼ିଶାର ବିଭିନ୍ନ ପର୍ବପର୍ବାଣୀ, ଲୋକକଳା, ସଂସ୍କୃତିକୁ ବିଶ୍ୱ ଦରବାରରେ ପହଞ୍ଚାଇବାର ଲକ୍ଷ୍ୟ ନେଇ ଆଗେଇ ଚାଲିଛି ଏହି କଳିଙ୍ଗ ସ୍ୱରାଜ ।

କଳିଙ୍ଗ ସ୍ୱରାଜ ତା’ର ଆଗାମୀ କାର୍ଯ୍ୟକ୍ରମ ପ୍ରସିଦ୍ଧ ଓଡ଼ିଆ ପର୍ବ ରଜ ପାଳନ କରିବାକୁ ଯାଇଛି । ଆସନ୍ତା ଜୁନ ୧୬ତାରିଖରେ ପୁନେର ପାଷାନ ସ୍ଥିତ ଜ୍ଞାନଦୀପ ଲନଠାରେ ଓଡ଼ିଆ ସିନେ କଳାକାରଙ୍କ ସହ ପାଳନ କରିବ । ଏହାସହ ଓଡ଼ିଶାର ସମସ୍ତ ପିଠାପଣା, ରଜଦୋଳି, ରଜପାନ, ରଜଗୀତ ସବୁର ଆୟୋଜନ କରାଯାଇଛି ।

ପ୍ରବାସୀ ଓଡ଼ିଆଙ୍କ ସଭାପତି ଶିବାଶିଷ ସ୍ୱାଇଁ ଅଧ୍ୟକ୍ଷତା କରୁଛନ୍ତି । ତାଙ୍କ ସମେତ ଦୀପକ ନାୟକ, ପ୍ରଭାତ ରାଉତ, ଅମିତାଭ ଦାସ, ଉମେଶ ସାହୁ, ସଂଯୋଗ ଦାସ, ଚିତ୍ତରଞ୍ଜନ ଦାସ, ଲୋକନାଥ ଷଡ଼ଙ୍ଗୀ, ସାଗରିକା ପତି, ଅଭିଷେକ, ଗିରିଷଙ୍କ ସମେତ ବହୁ ସଦସ୍ୟ ସହଯୋଗ କରୁଛନ୍ତି । ରଜ ଉତ୍ସବକୁ ଅକର୍ଶିତ କରିବା ପାଇଁ କମେଡ଼ିଆନ ହରି ନିଜର କମେଡ଼ି ମାଧ୍ୟମରେ ପ୍ରବାସୀ ଓଡ଼ିଆଙ୍କ ମନ ଜିତିବାକୁ ପୁନେ ଯାଉଥିବା ସୂଚନା ମିଳିଛି ।


ସେୟାର କରନ୍ତୁ