ବ୍ୟୁଟି ପାର୍ଲରରେ ଅଜବ କାମ…ଚୁଟି କାଟିବା ଜାଗାରେ ସୁନା ଚେନ କାଟିଲେ ଦୁଇ ମହିଳା, ଗିରଫ

ଅପରାଧ
ସେୟାର କରନ୍ତୁ

ଭୁବନେଶ୍ୱର: ଲକ୍ଷ ଥିଲା ବ୍ୟୁଟି ପାର୍ଲର କରି ଦୁଇ ପଇସା ରୋଜଗାର କରିବା । ହେଲେ ଅଧିକ ପଇସା ପାଇବା ଆଶା ରଖି ଦୁଇଜଣ ମହିଳା ପୁଲିସ ହାତରେ ଧରାପଡିଛନ୍ତି । କାରଣ ପାର୍ଲରରେ ଚୁଟି କାଟିବା ଜାଗାରେ ଅଭିଯୁକ୍ତ ମହିଳା ଦ୍ୱୟ କାଟିଛନ୍ତି ଗ୍ରାହାକଙ୍କ ସୁନା ଚେନ । ଯାହା ପୁରା ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି । ଅଭିଯୁକ୍ତ ମହିଲାମାନେ ହେଲେ ବାଲେଶ୍ୱର ଜଳେଶ୍ୱରର ସୁକାନ୍ତି ମହାପାତ୍ର ଓ ସହଯୋଗୀ କେନ୍ଦ୍ରାପଡ଼ାର ପ୍ରଜ୍ଞା ବଳ । ସେମାନଙ୍କଠାରୁ ଗୋଟିଏ ସୁନା ଚେନ ଜବତ କରିଛି ପୁଲିସ ।

ପୁଲିସ ସୂଚନା ମୁତାବକ, ଅଭିଯୁକ୍ତ ମହିଳା ଦ୍ୱୟ ବାଣୀବିହାର କ୍ୟାମ୍ପସ ଭିତରେ ଥିବା ଅଳକା ମାର୍କେଟ ଭିତରେ ଏକ ବ୍ୟୁଟି ପାର୍ଲର ଖୋଲିଥିଲେ । ଦୋକାନ ନାଁ ଥିଲା ମଲ୍ଲିକା ବ୍ୟୁଟି ପାର୍ଲର । ସବୁଦିନ ଭଳି ସେମାନେ ଗ୍ରାହକଙ୍କ ଚୁଟି କାଟିଥାଆନ୍ତି । ହେଲେ ଅଧିକ ଲୋଭ ଆଶାରେ ସେମାନେ ଗ୍ରାହକଙ୍କ ଚୁଟି କାଟିବା ସହ ସେ ପିନ୍ଧିଥିବା ସୁନା ଚେନ ମଧ୍ୟ କାଟି ଲୁଟ କରନ୍ତି । ସେମାନେ ପ୍ରଥମେ ଗ୍ରାହକଙ୍କ ଉପରେ କପଡ଼ା ପକାଇ ଚୁଟି ସହ ଚେନ କାଟନ୍ତି । ପରେ ଗ୍ରାହକ ଜଣଙ୍କ ପ୍ରଶ୍ନ କଲେ ସେମାନେ ଚେନ ପିନ୍ଧି ଆସିନଥିବା କହି ସେମାନଙ୍କୁ ଭୁଆଁ ବୁଲାନ୍ତି ।

ଶନିବାର କ୍ୟାମ୍ପସ ଭିତରେ ସିଏ-୪୯ କ୍ୱାଟର୍ସରେ ରହୁଥିବା ବାଣିଜ୍ୟ ବିଭାଗ ପ୍ରଫେସରଙ୍କ ପତ୍ନୀ ଅଞ୍ଜୁଶ୍ରୀ ସ୍ୱାଇଁ ଚୁଟି କାଟିବା ପାଇଁ ଉକ୍ତ ପାର୍ଲରକୁ ଯାଇଥିଲେ । ଚୁଟି କାଟିବା ପରେ ଅଞ୍ଜୁଶ୍ରୀ ବେକରେ ଚେନ ନଥିବା ଜାଣିବାକୁ ପାଇଥିଲେ । ଅଭିଯୁକ୍ତ ଦ୍ୱୟଙ୍କୁ ପଚାରିବାରୁ ସେମାନେ ତାଙ୍କ କଥାକୁ ଫାଙ୍କିଥିଲେ । ପରେ ଉପାୟ ଶୂନ୍ୟ ହୋଇ ଅଞ୍ଜୁଶ୍ରୀ ସହିଦନଗର ଥାନାକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପହଞ୍ଚି ପୁଲିସ ପଚରାଉଚରା କରିଥିଲା ଏବଂ ଏକ ସୁନା ଚେନଟିକୁ ପାର୍ଲର ଭିତରେ ଥିବା ଏକ ଫ୍ରିଜ ତଳୁ ପାଇଥିଲା । ଚୁଟି କାଟିବା ସମୟରେ ଚେନକୁ କାଟି ଫ୍ରିଜ ତଳେ ଲୁଚାଇ ଦେଇଥିବା ସେମାନେ ପୁଲିସ ସମ୍ମୁଖରେ ସ୍ୱୀକାର କରିଛନ୍ତି ।


ସେୟାର କରନ୍ତୁ