ପରୀ ପାଇଁ ସୁପରମ୍ୟାନ୍ ସାଜିଲେ ଓଡ଼ିଶା ଡିଜିପି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ସର୍ଭେ କହୁଛି ପ୍ରତି ୧୫ମିନିଟରେ ଓଡ଼ିଶାରେ ଗୋଟିଏ ନାବାଳିକା ବା ନହ୍ନି ‘ପରୀ’ ନିର୍ଯାତନାର ଶୀକାର ହେଉଛନ୍ତି । ଯାହାକୁ ରୋକିବା ପାଇଁ ରାଜ୍ୟ ପୁଲିସ ପକ୍ଷରୁ ଆରମ୍ଭ ହୋଇଥିଲା ୧୫ ଦିନିଆ କାର୍ଯ୍ୟକ୍ରମ ‘ପରୀ ପାଇଁ କଥାଟିଏ’ । ରାଜ୍ୟରେ ଜୋରଦାର ପ୍ରଚାରପ୍ରସାର କରିବା ପରେ ମଙ୍ଗଳବାର ଏହା ଉଦଯାପିତ ହୋଇଯାଇଛି । ଗୋଟିଏ ପଟେ ପରୀକୁ ସୁରକ୍ଷା ଯୋଗେଇବା ପାଇଁ ଗଳିକନ୍ଦିରେ ପୁଲିସ ଓ ସ୍ଥାନୀୟ ପ୍ରସାଶନ ସବୁ ପ୍ରକାରର ଉଦ୍ୟମ ଚଳାଇଥିବା ବେଳେ ଡିଜିପି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ଏହି ଯୋଜନାଟିକୁ ଚିନ୍ତା କରି ଆରମ୍ଭ କରିଥିଲେ । ୧୫ ଦିନ ଧରି ପରୀ ରଥ ଗାଁ ଗଣ୍ଡାଠାରୁ ଆରମ୍ଭ କରି ସହର ବଜାରରେ ଗଡିଥିଲା । ୪୦ ହଜାର କିଲୋମିଟର ଧରି ଏହି ରଥ ବୁଲି ଲୋକମାନଙ୍କୁ ସଚେତନ କରିଥିଲା । ଏଥିପାଇଁ ରାଜ୍ୟବାସୀଙ୍କ ମୁହଁରେ ଗୋଟିଏ କଥା ଶୁଣିବାକୁ ମିଳୁଛି କ’ଣ ନା ପରୀ ପାଇଁ ସୁପରମ୍ୟାନ୍ ସାଜିଛନ୍ତି ଡିଜିପି ଶ୍ରୀ ଶର୍ମା । ଖାଲି ଏତିକି ନୁହେଁ ସେ ପୂର୍ବରୁ ମଧ୍ୟ ପୁଲିସ ସେବାରେ ଲୋକଙ୍କ ନିକଟତର ହୋଇ ପିପୁଲ୍ସ ଫ୍ରେଣ୍ଡଲି ପୁଲିସ ସମ୍ମାନ ହାସଲ କରିପାରିଛନ୍ତି ।

ଖାଲି ଏତିକି ନୁହେଁ ରାଜ୍ୟ ପୁଲିସ ବିଭାଗ ପରୀ ଶୀକାର ହେଉଥିବା ଯୌନ ନିର୍ଯାତନାକୁ ରୋକିବା ପାଇଁ ୧୫ଦିନ ଧରି ସବୁ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥିଲା । ପାଲା, ଷ୍ଟେଜ ଶୋ, ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା । ରାଜ୍ୟରେ ଘଟୁଥିବା ନାରୀ ନିର୍ଯାତନା, ଶିଶୁ ଯୌନ ନିର୍ଯାତନାଠାରୁ ଅପରାଧୀମାନେ କିଭଳି ନିବୃତ୍ତ ରହିବେ ସେ ନେଇ ସଚେତନ କରାଯାଇଥିଲା । ଓଡିଶା ପୁଲିସ ଓ ୟୁନିସେଫ୍‍ର ମିଳିତ ଉଦ୍ୟମରେ ଚାଲିଥିବା ଏହି ପରୀ ରଥ ସଫଳତାର ଶୀର୍ଷରେ ପହଞ୍ଚିଛି ବୋଲି ସମସ୍ତେ ମତ ରଖିଛନ୍ତି । ଏହି ରଥ ଗଡିବା ଦ୍ୱାରା ଜନସାଧାରଣଙ୍କ ମନରେ ଆଗ୍ରହ ବଢ଼ିବା ସହିତ ନାବାଳିକା ନିର୍ଯାତନା ଅନେକାଂଶରେ କମିଛି ବୋଲି ଡିଜିପି ଶ୍ରୀ ଶର୍ମା କହିଥିଲେ ।

ସୂଚନାଯୋଗ୍ୟ, ମେ’ ୨୮ ତାରିଖରୁ ରାଜ୍ୟବ୍ୟାପୀ ଗଡିଥିଲା ପରୀ ରଥ । ରାଜ୍ୟରେ ଘଟୁଥିବା ନାବାଳିକା ଯୌନ ନିର୍ଯାତନାକୁ ରୋକିବା ପାଇଁ ଏହି ରଥ ସହାୟକ ହେବ ବୋଲି ପୁଲିସ ଡିଜି କହିଥିଲେ । ଏହି ରଥ ରାଜ୍ୟର ୩୦ଟି ଜିଲ୍ଲାରେ ବୁଲି ଜନସଚେତନ ସୃଷ୍ଟି କରିଥିଲା । ଏହି ଅଭିଯାନରେ ବେସରକାରୀ ସ୍ୱେଚ୍ଛାସେବୀ ସଂଗଠନ, ଲୋକପ୍ରତିନିଧି, ଛାତ୍ରଛାତ୍ରୀ ଓ ସ୍ଥାନୀୟ ଯୁବକ ସଂଘର କର୍ମକର୍ତ୍ତାଙ୍କୁ ସାମିଲ କରାଯାଇଥିଲା । ସମସ୍ତ ଜିଲ୍ଲାର ଏସ୍‍ପିମାନଙ୍କୁ ନୋଡାଲ ଅଫିସର ଭାବେ ନିଯୁକ୍ତ କରାଯାଇଥିଲା । ଏଥିପାଇଁ ୧୫ଟି ପରୀରଥ ପ୍ରସ୍ତୁତ କରାଯାଇଥିଲା । ପ୍ରତ୍ୟେକ ରଥରେ ଜଣେ ଲେଖାଏଁ ନୋଡାଲ ଅଫିସରଙ୍କ ସହ ୪ଜଣ ଅଧିକାରୀ ରହିଥିଲେ । ଏହି ରଥରେ ଏଲଇଡି ବ୍ୟବସ୍ଥା ସହ ଲିଫ୍ଲେଟ୍, ପୋଷ୍ଟର ଓ ପାମ୍ପଲେଟ ଆଦି ରଖାଯାଇ ଲୋକମାନଙ୍କୁ ବଣ୍ଟା ଯାଇଥିଲା । ହେଲେ ଏହି ପରୀ ରଥ ୧୫ ଦିନ ବୁଲିବା ପରେ ଜନସାଧାରଣଙ୍କ ଉପରେ ଏହାର କେତେ ପ୍ରଭାବ ପକାଇଛି ଏହା ଆଗାମୀ ଦିନରେ ଜଣାପଡିବ ।


ସେୟାର କରନ୍ତୁ