ଟ୍ରେନ ଓ ଷ୍ଟେସନରେ ଘଟୁଥିବା ଅପରାଧକୁ ରୋକ: ଡିଜିପି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ରାଜ୍ୟରେ ରେଳବାଇ ଜନିତ ଅପରାଧ ରୋକିବା ପାଇଁ ଭୁବନେଶ୍ୱର ସ୍ଥିତ ଡିଜିପିଙ୍କ କ୍ୟାମ୍ପ କାର୍ଯ୍ୟାଳୟରେ ଏକ ଉଚ୍ଚସ୍ତରୀୟ ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି । ତୃତୀୟ ଥର ପାଇଁ ବସିଥିବା ଏହି ରାଜ୍ୟସ୍ତରୀୟ ସୁରକ୍ଷା କମିଟି ଫର୍ ରେଲୱେ ବୈଠକକୁ ଅଧକ୍ଷତା କରିଥିଲେ ଓଡ଼ିଶାର ଡିଜିପି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା । ବୈଠକରେ ବହୁ ବରିଷ୍ଠ ରେଳବାଇ ଅଧିକାରୀମାନେ ଯୋଗ ଦେଇଥିଲେ । ଟ୍ରେନ ଏବଂ ଯାତ୍ରୀଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବା ପାଇଁ ବୈଠକରେ ଆଲୋଚନା ହୋଇଥିଲା । ଏଥିସହ ଯାତ୍ରୀଙ୍କ ସୁରକ୍ଷା ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି ।

ରେଳବାଇରେ ଆଇନ ଶୃଙ୍ଖଳା ରକ୍ଷା କରିବା, ଅପରାଧ ନିୟନ୍ତ୍ରଣ, ରେଳ ଜନିତ ବିପତିକୁ ମୁକାବିଲା କରିବା, ମାଓବାଦୀ କାର୍ଯ୍ୟକଳାପ ଉପରେ ରୋକ ଲଗାଇବା, ରେଳବାଇ ସମ୍ପତିକୁ ସୁରକ୍ଷା ଯୋଗାଇବା ଆଦି ଦିଗ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଯିଦ କୌଣସି ସଂଗଠନ ରେଳ ରୋକ କରନ୍ତି ତାହାଲେ ଆରପିଏଫ ସେମାନଙ୍କ ବିରୋଧରେ ଅପରାଧୀକ ମାମଲା ରୁଜୁ କରିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଶ୍ରୀ ଶର୍ମା କହିଥିଲେ ।

ଏହାଛଡ଼ା ଏକ ଜବରଦଖଲ ଉଚ୍ଛେଦକାରୀ କମିଟି ଗଠନ କରିବା ପାଇଁ ମଧ୍ୟ ବୈଠକରେ ନିଷ୍ପତି ନିଆଯାଇଛି । ଯେଉଁଥିରେ ରେଞ୍ଜ ଆଇଜି ଓ ଡିଆଇଜି ମୁଖ୍ୟ ରହିବା ସହ ବରିଷ୍ଠ ଡିଏସସି, ଆରପିଏଫ, ରେଳବାଇ ଡିଆରଏମଙ୍କ ପ୍ରତିନିଧିଗଣ, ଜିଲ୍ଲା ମାଜିଷ୍ଟ୍ରେଟ, ଜିଲ୍ଲାପାଳ, ଏସପି ଓ ଆରପିଏଫ ଏସପି (କଟକ ଓ ରାଉରକେଲା ଡିଭିଜନ) ସଦସ୍ୟ ରହିବେ ବୋଲି ଆଲୋଚନାରେ ନିଷ୍ପତି ନିଆଯାଇଛି ।

ଷ୍ଟେସନ ଏବଂ ଟ୍ରେନମାନଙ୍କରେ ଅପରାଧ ରୋକିବା ପାଇଁ ରେଳବାଇ କର୍ତୃପକ୍ଷ ଅପରାଧପ୍ରବଣ ସ୍ଥାନଗୁଡିକରେ ସିସିିଟିଭି କ୍ୟାମେରା, ବ୍ୟାଗେଜ ସ୍କାନର ଲଗାଇବା ସହ ନିୟମିତ ଯାଚଂ କରିବା ପାଇଁ ମଧ୍ୟ କୁହାଯାଇଛି । ଜିଆରପି ଗୃହସ୍ଥଳୀକୁ ମରାମତି କରିବା ସହ ଉନ୍ନତମାନର ଉପକରଣ ଲଗାଇବା ପାଇଁ ରେଳବାଇ କର୍ତୃପକ୍ଷଙ୍କୁ କୁହାଯାଇଛି । ଜିଆରପି ଥାନାଗୁଡିକରେ ଦିନକୁ ଦିନ ମାମଲା ସଂଖ୍ୟା ବଢ଼ୁଥିବାରୁ ମାନବସମ୍ବଳ ବୃଦ୍ଧି ଲାଗି ମଧ୍ୟ ନିଷ୍ପତି ଗ୍ରହଣ କରାଯାଇଛି ।

ଏସପିଙ୍କ ତତ୍ୱାବଧନରେ ଜିଆରପି ଓ ଆରପିଏଫରେ ନିୟମିତ ବୈଠକ ବସିବା ଲାଗି ଶ୍ରୀ ଶର୍ମା ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ବୈଠକରେ ରେଳବାଇ ଓ କୋଷ୍ଟାଲ ସିକ୍ୟୁରିଟି ଅତିରିକ୍ତ ଡିଜିପି ପି.ଆର୍ଚାଯ୍ୟ, ଗୋଇନ୍ଦା ଆଇଜି ଆ.କେ ଶର୍ମା, ପୁର୍ବତଟ ରେଳବାଇ ଆରପିଏଫ ଆଇଜି ଅତୁଲ ପାଠକ, ଦକ୍ଷିଣପୂର୍ବ ରେଳବାଇ, କୋଲକାତା ଆରପିଏଫ ଆଇଜି ଏସ.ସି.ପାର୍ହି ଓ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ ।


ସେୟାର କରନ୍ତୁ