ସଉକ྄ ମେଣ୍ଟାଇବାକୁ ଯାଇ ନାମ ନେଲେ ହାବିଲଦାର…ବିମାନ ଚଢ଼ା ମହଙ୍ଗା ପଡ଼ିଲା…କାର୍ଯ୍ୟରୁ ନିଲମ୍ବିତ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ସଉକ྄ ମେଣ୍ଟାଇବାକୁ ଯାଇ ନାମ ନେଇଛନ୍ତି କମିଶନରେଟ ପୁଲିସର କଟକ ରିଜର୍ଭ ବାଟାଲିୟନର ଜଣେ ହାବିଲଦାର । ଖାଲି ଏତିକି ନୁହେଁ ଡ୍ୟୁଟିରେ ଥାଇ ବିନା ଅନୁମତିରେ ଚାଟାର୍ଡ ବିମାନରେ ଯିବା ତାଙ୍କୁ ମହଙ୍ଗା ପଡିଛି । ଏହା ଆମେ ନୁହେଁ ବରଂ ପୁଲିସ କର୍ମଚାରୀ ଟୁପୁରୁଟାପର ହେଉଥିବା ଶୁଣିବାକୁ ମିଳିଛି । କାର୍ଯ୍ୟରେ ଖିଲାପ କରିବା ସହ ପଖରେ ଗୁଳି ରଖିବା ନେଇ କମିଶନରେଟ ପୁଲିସ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା କଟକ ଡିସିପି ଅଖିଳେଶ୍ୱର ସିଂ ସୂଚନା ଦେଇଛନ୍ତି ।

ପୁଲିସ କହିବା ଅନୁଯାୟୀ, ପରିଚୟ ଗୋପନ ରଖିବା ଓ ପାଖରେ ୨୦ରାଉଣ୍ଡ ଗୁଳି ରଖିବା ଅଭିଯୋଗରେ କମିଶନରେଟ ପୁଲିସ ହାବିଲଦାର ଧନଞ୍ଜୟ ଦତ୍ତଙ୍କୁ ଗତକାଲି ଗିରଫ କରି କୋର୍ଟ ଚାଲାଣ କରିଥିଲା । ତାଙ୍କ ଘର କଟକ ଜିଲ୍ଲା କିଶନନଗର ଥାନା ଅଧିନ ବରୋଦା ଗ୍ରାମରେ ବୋଲି ଜଣାପଡିଛି । ଜାମିନ୍ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ବୁଧବାର ଏକ ଘରୋଇ କମ୍ପାନୀର ଚାଟାର୍ଡ ବିମାନରେ କଟକର ଆର.ଏନ୍ ସାହୁ ଓ ସେକ୍ ସିଆବୁଦ୍ଦିନ୍ ଅଲ୍ଲୀ ଭୁବନେଶ୍ୱରରୁ ଦିଲ୍ଲୀ ଯିବାର ଥିଲା । ହେଲେ ଆର.ଏନ୍ ସାହୁଙ୍କ ବଦଳରେ ଧନଞ୍ଜୟ ଦିଲ୍ଲୀ ଯିବା ପାଇଁ ବିମାନବନ୍ଦରରେ ପହଚିଂଥିଲେ । ଇତିମଧ୍ୟରେ ତାଙ୍କୁ ସିଆଇଏସଏଫ କର୍ମଚାରୀ ଯାଚଂ କରିଥିଲେ । ଯାଚଂ ବେଳେ ଧନଞ୍ଜୟଙ୍କ ବ୍ୟାଗରୁ ୨୦ଟି ଜୀବନ୍ତ ଗୁଳି ବାହାରିଥିଲା । ପଚରାଉଚରାରୁ ସେ ସଠିକ୍ ଜବାବ ଦେଇ ପାରିନଥିଲେ । ସିଆଇଏସଏଫ କର୍ମଚାରୀ ଏୟାରଫିଲ୍ଡ ଥାନାକୁ ଖବର ଦେବାରୁ ପୁଲିସ ତାଙ୍କୁ ଧରି ନେଇଥିଲା ।

ତେବେ ପରିଚୟ ଗୋପନ ରଖି ହାବିଲଦାର ଜଣଙ୍କ ଦିଲ୍ଲୀ କାହିଁକି ଯାଉଥିଲେ ଏୟାରଫିଲ୍ଡ ଥାନା ଅଧିକାରୀଙ୍କୁ ପଚାରିବାରୁ ସେ କହିଥିଲେ, ଏମସ୍ ରେ ଭର୍ତ୍ତି ହୋଇଥିବା ଶିଳ୍ପପତୀ ମହିମା ମିଶ୍ରଙ୍କୁ ଜଗିବା ଲାଗି ହାବିଲଦାର ଜଣଙ୍କ ମୁତୟନ ହୋଇଥିଲେ । କିନ୍ତୁ ଡ୍ୟୁଟି କରିବା ପରିବର୍ତ୍ତେ ହାବିଲଦାର ଧନଞ୍ଜୟ ଶ୍ରୀ ମିଶ୍ରଙ୍କ ପରିବାର ସଦସ୍ୟଙ୍କ ସହ ଦିଲ୍ଲୀ ବାହାରିଥିଲେ । ବିନା ଅନୁମତିରେ ଦିଲ୍ଲୀ ଯିବା ଓ ପାଖରେ ଗୁଳି ରଖିବା ଯୋଗୁ ତାଙ୍କୁ ଗିରଫ କରାଯାଇଥିଲା । ପରିଚୟ ଗୋପନ ନେଇ କୌଣସି ସନ୍ତୋଷଜନକ ଉତ୍ତର ପୁଲିସ ପାଖରୁ ମିଳିପାରି ନାହିଁ ।

ସୂଚନାଯୋଗ୍ୟ ଯେ, ମହିମା ମିଶ୍ର ପାରାଦ୍ୱୀପର ଜଣେ ଷ୍ଟିଭଡରିଂ କମ୍ପାନୀ ମ୍ୟାନେଜରଙ୍କୁ ହତ୍ୟା କରିବା ମାମଲାରେ ଗିରଫ ହୋଇ ଜେଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନତି ଘଟିବାରୁ ସେ ଏମସ୍ ରେ ଚିକିତ୍ସିତ ହେଉଛନ୍ତି । ହାଇକୋର୍ଟଙ୍କ ଆଦେଶାନୁଯାୟୀ ମହିମାଙ୍କୁ ଜଗିବା ପାଇଁ ହାବିଲଦାର ଧନଞ୍ଜୟ ଦତ୍ତ ଓ ଅନ୍ୟ ୪ କନଷ୍ଟେବଳ ସେଠାରେ ମୁତୟନ ହୋଇଥିଲେ ।


ସେୟାର କରନ୍ତୁ