ବାଲିଘାଟ ଗଣ୍ଡ ନେଲା ଛାତ୍ରର ଜୀବନ…ପ୍ରତିବାଦରେ ରାଜପଥ ଅବରୋଧ, ପୁଲିସ ଓ ଅତିରିକ୍ତ ତହସିଲଦାରଙ୍କୁ ଠେଲାପେଲା

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ପିପିଲି ନିକଟସ୍ଥ ହରିପୁର ଠାରେ ଛାତ୍ର ମୃତ୍ୟୁକୁ ନେଇ ଉତ୍ତେଜନା । ଦୀର୍ଘ ସମୟ ଧରି ଟାୟାର ଜାଳି ରାଜପଥ ଅବରୋଧ କରିଥିଲେ ଲୋକେ । ନଦୀରେ ଜଳସ୍ତର କମ ଥିବା ବେଳେ ବାଲିଘାଟରେ ବେଆଇନ ଡଙ୍ଗା ମେସିନ ବ୍ୟବହାର ଯୋଗୁଁ କୃତ୍ରିମ ଗଣ୍ଡ ସୃଷ୍ଟି ହୋଇଥିବା ଅଭିଯୋଗ କରି ତୁରନ୍ତ ବାଲିଘାଟକୁ ବନ୍ଦ କରିବା ପାଇଁ ଜିଦ ଧରି ବସିଥିଲେ ଲୋକେ ।

ଏଥିସହ ମୃତକଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା କ୍ଷତିପୁରଣ ସହ ଉକ୍ତ ବାଲିଘାଟକୁ ବନ୍ଦ କରିବା ଦାବିରେ ରାସ୍ତା ଅବରୋଧକାରୀ ଅଟଳ ରହିଥିବା ବେଳେ ପୁଲିସ ଓ ସ୍ଥାନୀୟ ପ୍ରଶାସନ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାରେ ଫେଲ ମାରିଥିଲେ ।

ମିଳିଥିବା ସୂଚନା ଅନୁସାରେ, ପିପିଲି ନିକଟ ହରିପୁରର ଜୟକୃଷ୍ଣ ପାତ୍ରଙ୍କ ୧୩ ବର୍ଷ ବୟସର ପୁଅ ଜଗନ ପାତ୍ର ଗୁରୁବାର ସକାଳେ ହରିପୁର ଠାରେ ନଦୀକୁ ଗାଧୋଇ ଯାଇଥିଲେ । ତେବେ ପାଦ ଖସିଯାଇ ନଦୀର ଗଭୀର ଗଣ୍ଡରେ ଫସିଯାଇଥିଲେ ଜଗନ । ସେଠାରେ ଉପସ୍ଥିତ ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ବି ତାଙ୍କର ମୃତ୍ୟୁ ହୋଇସାରିଥିଲା । ସେ ଦଶମ ଶ୍ରେଣୀର ଛାତ୍ର ବୋଲି ଜଣାପଡିଛି ।

ଜଗନର ମୃତ୍ୟୁ ପରେ ତାତିଥିଲେ ସ୍ଥାନୀୟ ଲୋକେ । ହରିପୁର ଠାରେ ଚାଲୁଥିବା ବାଲିଘାଟରେ ବେଆଇନ ଭାବେ ଡଙ୍ଗା ମେସିନ ବ୍ୟବହୃତ ହେଉଥିବା ଫଳରେ ନଦୀସ୍ତର ଖାଲ ହୋଇ ଗଣ୍ଡ ସୃଷ୍ଟି ହୋଇଥିବା ଅଭିଯୋଗ କରିଛନ୍ତି ଲୋକେ । ତେଣୁ ତୁରନ୍ତ ଉକ୍ତ ବାଲିଘାଟକୁ ବନ୍ଦ କରିବା ସହ ମୃତକଙ୍କ ପରିବାରକୁ କ୍ଷତିପୁରଣ ଦାବୀରେ ଟାୟାର ଜାଳି ପିପିଲି-ନିମାପଡା ମୁଖ୍ୟରାସ୍ତାକୁ ଢ଼େର ସମୟ ଯାଏ ଅଚଳ କରି ଦେଇଥିଲେ । ଫଳରେ ଉଭୟ ପାଶ୍ୱର୍ରେ ଶହ ଶହ ସଂଖ୍ୟାରେ ଗାଡି ମୋଟର ଅଟକି ରହିଥିଲା ।

ଖବର ପାଇ ବଳଙ୍ଗା, ପିପିଲି ଓ ନିମାପଡା ଥାନା ଅଧିକାରୀ ଘଟଣାସ୍ଥଳରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିବା ବେଳେ ପୁଲିସ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା । ଅନ୍ୟପଟେ ପିପିଲି ଅତିରିକ୍ତ ତହସିଲଦାରଙ୍କୁ ମଧ୍ୟ ଉତ୍ୟକ୍ତ ଲୋକେ ଠେଲାପେଲା କରିଥିଲେ ।


ସେୟାର କରନ୍ତୁ