ପୁଅ ଚାକିରୀ କରିବ ପୁଲିସ୍, ବାପା କରିବ ସାଲିଷ୍

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: କଥାରେ ଅଛି ଚାକିରୀ କରିବ ପୁଲିସ୍ ମାଛ ଖାଇବ ଈଲିସ୍ । ଏଠି କିନ୍ତୁ ଘଟଣାଟି ପୁରା ଓଲଟା । ୨୦୦୮ ବ୍ୟାଚର ଓଡ଼ିଆ ଆଇପିଏସ ଅଫିସରଙ୍କ ନୁଙ୍ଗୁରାମି ଲୋକଙ୍କ ମନରୁ ନଲିଭୁଣୁ ଆଇପିଏସ ବାବୁଙ୍କ ବାପା ଥାନାରେ ବୁଲି ବୁଲି ବଟି ମଦ ଆଦାୟ କରିବା ଘଟଣା ଏବେ ସାମ୍ନାକୁ ଆସିଛି । ଏହା ଆମେ ନୁହେଁ ପୁଲିସ ଅଧିକାରୀମାନେ ଅଭିଯୋଗ ଆଣିଛନ୍ତି । ଆଇପିଏସ ବାବୁ ଜଣଙ୍କ ନାମରେ ଏକ ପ୍ରେମ ନୁଙ୍ଗୁରାମି ସୋସିଆଲ ମିଡ଼ିଆରେ ଘୁରି ବୁଲୁଥିବା ବେଳେ ପୁଲିସ ବାବୁ ନାମରେ ପୁଣି ଖୋଲିଛି ଏକ ଅଭିଯୋଗର ଫର୍ଦ ।

୨୦୧୩ରେ ଏସପି ଭାବେ ଦେବଗଡ଼ ଜିଲ୍ଲାରେ ରସିକିଆ ଆଇପିଏସ୍ ବାବୁ ଜଣଙ୍କ କାର୍ଯ୍ୟରତ ଥିଲେ । ସେହି ଜିଲ୍ଲାରେ ସ୍ୱାମୀସ୍ତ୍ରୀ ଦୁଇ ଜଣ ପୁଲିସ ଏସଆଇ ଭାବେ କାର୍ଯ୍ୟ କରୁଥିଲେ । ୨୦୧୩ରେ ପୁରୁଷ ପୁଲିସ ଏସଆଇ ଜଣଙ୍କୁ ଆଇପିଏସ ଅଫିସର ଜଣଙ୍କ ଏକ ମିଥ୍ୟା ଆରୋପରେ କାର୍ଯ୍ୟରୁ ନିଲମ୍ବିତ କରିଥିଲେ । ତା’ପରେ ନୁଙ୍ଗୁରାମି ଦୋଷ ବାହାରିଥିଲା ଏହି ବାବୁଙ୍କର । ପୁରୁଷ ଏସଆଇଙ୍କ ପତ୍ନୀଙ୍କୁ ପାଇବା ପାଇଁ ରଚିଥିଲେ ସଡ଼ଯନ୍ତ୍ର । ମହିଳା ଏସଆଇ ଜଣଙ୍କୁ ଅଫିସ କାମର ବାହାନା କରି ରାତି ଅଧିଆ ଡାକି ବ୍ୟାଟମିଣ୍ଟନ ଖେଳିବା ସହ ବିଭିନ୍ନ ଆକର୍ଶିତ ଯାଗାକୁ ବୁଲିବାକୁ ବାଧ୍ୟ କରୁଥିବା ଅଭିଯୋଗ ହୋଇଛି । ତା ସହ ରାତିଅଧିଆ ମୋବାଇଲରେ ଚାଟିଙ୍ଗ୍ କରିବାକୁ ମାନସିକ ଯନ୍ତ୍ରଣା ଦଉଥିଲେ । କାହାକୁ ବା ମହିଳା ଜଣଙ୍କ ଗୁହାରୀ କରିବେ । ସେପଟେ ପୁଣି ଆଇପିଏସ ବାବୁଙ୍କ ଧମକ ପାଟି ଖୋଲିଲେ ତାଙ୍କ ସ୍ୱାମୀଙ୍କୁ ବରବାଦ କରିଦେବି ବୋଲି ଭୟ ଦେଖାଉଥିଲେ ବାବୁ ଜଣଙ୍କ ।

ଖାଲି ଏତିକି ନୁହେଁ ଆଇପିଏସ ପୁଅ ସେପଟେ ପ୍ରେମ ଲୀଳା କରୁଥିବା ବେଳେ ବାପା ଏପଟେ ନିରିହ ପୁଲିସ ଉପରେ ଜୁଲୁମ ଲୀଳା କରୁଥିବା ମଧ୍ୟ ଅଭିଯୋଗ ଆସିଛି । ଆଇପିଏସ ବାବୁଙ୍କ ବାପା ସମସ୍ତ ଥାନା ବୁଲି ମଦ ଓ ଟଙ୍କା ମାଗିବା ସହ ନିଲମ୍ବିତ ପୁରୁଷ ଏସଆଇଙ୍କୁ ୩୦ହଜାର ଟଙ୍କା ମାଗିଥିବା ଅଭିଯୋଗ ହୋଇଛି । ଟଙ୍କା ଦେଲେ ପୁଅକୁ କହି ନିଲମ୍ବନରୁ ଖଲାସ କରିଦେବି ବୋଲି କହିଥିଲେ । କିନ୍ତୁ ଦୁଃଖର ବିଷୟ ସ୍ୱାମୀସ୍ତ୍ରୀ ଦୁଇ ଜଣ ଟଙ୍କା ଆଉ ଦେହ ଦେଇ ପାରିଲେନି ବୋଲି ପୁଲିସ ବାବୁ ଆଉ ବାପାଙ୍କର ଉଗ୍ରରୂପ ଦେଖିବାକୁ ମିଳିଥିଲା । ବାରମ୍ବାର ଦେଲେ ମାନସିକ ଯନ୍ତ୍ରଣା ।

ଭୁଲ ଏତିକି ରହିଲା ୩୦ହଜାର ଟଙ୍କା ଲାଚଂ ନଦେବା ଏବଂ ପତ୍ନୀ ପତିବ୍ରତା ହୋଇ ନିଜର ଇଜ୍ଜତ ଦେବାକୁ ରାଜି ନହେବାରୁ ନିଲମ୍ବିତ ଏସଆଇଙ୍କ ନାଁରେ ୨/୨୦୧୪ରେ ପ୍ରୋସେଡ଼ିଙ୍ଗ୍ ଜାରି ହୋଇଥିଲା । ନିଲମ୍ବିତ ଏସଆଇ ଜଣଙ୍କ ତାଙ୍କ ପତ୍ନୀ ଉପରେ ହୋଇଥିବା ଅତ୍ୟାଚାରର ଫଟୋ କପି ଓ ଚ୍ୟାଟିଙ୍ଗ କ୍ଲିପ୍ ସହ ସମସ୍ତ ପ୍ରମାଣ ବିଭାଗରେ ଦାଖଲ କରିଥିଲେ । ଏସଆଇ ଜଣଙ୍କ ନ୍ୟାୟ ପାଇବା ପାଇଁ ଏ ଅଫିସରୁ ସେ ଅଫିସ ବୁଲିବୁଲି ଶେଷରେ ନ୍ୟାୟ ପାଇବାରେ ଫେଲ ମାରିଥିଲେ । ଏଠାରେ ପ୍ରଶ୍ନ ଯଦି ଜଣେ ଆଇପିଏସ ଅଫିସର ହୋଇ ନିଜ ବିଭାଗର ଜଣେ ଏସଆଇଙ୍କୁ ଏପରି ହଇରାଣ କରନ୍ତି, ତାହାଲେ ସାଧାରଣ ଲୋକ ପୁଲିସଠାରୁ କି ନ୍ୟାୟ ପାଉଥିବେ ? ଆଇପିଏସ ଅଫିସର ଯଦି ଏଭଳି ଅରାଜକତା କରିବେ ତାହାଲେ ତଳସ୍ଥର ପୁଲିସ ଆଉ ସାଧାରଣ ଲୋକ କେତେ ସୁରକ୍ଷିତ ? ଏହି ଘଟଣାଟିକୁ ପୁଲିସ ମହାନିର୍ଦ୍ଦେଶକ ଗୁରୁତର ଭାବେ ନେବେକି ନା ଉକ୍ତ ରସିକିଆ ଆଇପିଏସ ଅଫିସରଙ୍କୁ ଘଣ୍ଟ ଘୋଡ଼ାଇ ରଖିବେ, ତାହା ଦେଖିବାକୁ ବାକି ରହିଲା ।

https://www.truthink.in/2018/06/26/ips-officer-cheat-women-part-ii/


ସେୟାର କରନ୍ତୁ