ସ୍ୱସ୍ତିକ ନିର୍ଦ୍ଦେଶକ ଜଗବନ୍ଧୁ ପଣ୍ଡାଙ୍କୁ ୫ବର୍ଷ ଜେଲ୍

ଅପରାଧ
ସେୟାର କରନ୍ତୁ

ଭୁବନେଶ୍ୱର: ଅର୍ଥତତ୍ତ୍ୱ(ଏଟି) ଚିଟଫଣ୍ଡ ଠକେଇ ମାମଲାର ବିଚାର କରି ସ୍ଥାନୀୟ ସ୍ୱତନ୍ତ୍ର ସିଜେଏମ (ସିବିଆଇ)ର ବିଚାରପତି ପ୍ରଶାନ୍ତ କୁମାର ମିଶ୍ର ଉକ୍ତ ସଂସ୍ଥାର ନିର୍ଦେଶକ ଜଗବନ୍ଧୁ ପଣ୍ଡାଙ୍କୁ ୫ ବର୍ଷ ଜେଲଦଣ୍ଡ ଦେବା ସହିତ ୧୦ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି । ଜଗବନ୍ଧୁ ଗତ ୨୫ ତାରିଖରେ ସିବିଆଇ କୋର୍ଟରେ ନିଜ ଦୋଷ ବିଚାରପତିଙ୍କ ସମ୍ମୁଖରେ ସ୍ୱୀକାର କରିଥିଲେ । ଏହାପରେ ବିଚାରପତି ମାମଲାର ବିଚାର କରି ଆଇପିସିର ଧାରା ୪୦୬ରେ ୫ ବର୍ଷ ଜେଲଦଣ୍ଡ ସହିତ ୫,୦୦୦ ଟଙ୍କା ଜରିମାନା ଭରିବା ସହ ଧାରା ୪୦୯ରେ ୩ ବର୍ଷ ଓ ୫,୦୦୦ ଟଙ୍କା ଜରିମାନା ଭରିବାକୁ ତାଙ୍କ ରାୟରେ କହିଛନ୍ତି ।

ସହିପରି ଧାରା ୧୨୦(ଖ)ରେ ୨ ବର୍ଷ ଏବଂ ଧାରା ୪୨୦ରେ ୧ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଗତ ମେ’ ୫ ତାରିଖରେ ଜଗବନ୍ଧୁ ଜେଲ ଅଧୀକ୍ଷକଙ୍କ ମାଧ୍ୟମରେ ତାଙ୍କ ଦୋଷ ସ୍ୱୀକାରୋକ୍ତି ନାମା କୋର୍ଟରେ ଦାଖଲ କରିଥିଲେ । ତେବେ ଜଗବନ୍ଧୁ ଅନ୍ୟ ଏକ ଚିଟ୍ଫଣ୍ଡ କମ୍ପାନୀ ସ୍ୱସ୍ତିକ ଇଣ୍ଡିଆର ମଧ୍ୟ ନିର୍ଦ୍ଦେଶକ ଥିଲେ । ଉକ୍ତ ମାମଲାରେ ମଧ୍ୟ କୋର୍ଟ ଜଗବନ୍ଧୁଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୩ବର୍ଷ ଜେଲ ଦଣ୍ଡାଦେଶ ନିର୍ଦ୍ଦେଶ ଦେଇଛନ୍ତି ।

ଏଠାରେ ସୂଚନାଯୋଗ୍ୟ ଯେ, ଜଗବନ୍ଧୁଙ୍କୁ ଖାରବେଳନଗର ଥାନା ପୁଲିସ୍ ୨୦୧୩ ମସିହାରେ ଗିରଫ କରିଥିଲା । ସେବେଠାରୁ ସେ ଝାରପଡ଼ା ସ୍ୱତନ୍ତ୍ର କାରାଗାରରେ ବିଚାରଧୀନ କଏଦୀ ଭାବେ ରହିଛନ୍ତି । ଉଲ୍ଲେଖଯୋଗ୍ୟ, ଜଗବନ୍ଧୁ ପ୍ରଥମେ ଏଟି ଗ୍ରୁପ୍ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରି ସାଧାରଣ ଜମାକାରୀଙ୍କ ଠାରୁ କୋଟି କୋଟି ଟଙ୍କା ଠକିନେବା ପରେ ନୂଆ ସଂସ୍ଥା କରିବାକୁ ସେ ଯୋଜନା କରିଥିଲେ ।


ସେୟାର କରନ୍ତୁ