ଯୁବତୀଙ୍କ ଅଶ୍ଲିଳ ଭିଡିଓ ଭାଇରାଲ କରି ନାମ ନେଲା ଦଗାଦିଆ ପ୍ରେମିକ, ଜଟଣୀରୁ ଧରିଲା ପୁଲିସ

ଭାଇରାଲ
ସେୟାର କରନ୍ତୁ

ଭୁବନେଶ୍ୱର: ରାଜଧାନୀରେ ଏକ ଭିଡ଼ିଓ ଭାଇରାଲ ହେବା ଘଟଣାର ପର୍ଦାଫାସ କରିଛି କମିଶନରେଟ ପୁଲିସ । ଯୁବତୀଙ୍କ ଅନ୍ତରଙ୍ଗ ମୂହୁର୍ତ୍ତର ଭିଡ଼ିଓକୁ ଭାଇରାଲ କରି ନାମ ନେଇଛନ୍ତି ଜଣେ ଦଗାଦିଆ ପ୍ରେମିକ । ଶେଷରେ ନୟାପଲ୍ଲୀ ଥାନା ପୁଲିସ ଅଭିଯୁକ୍ତ ପ୍ରେମିକକୁ ଜଟଣୀରୁ କାବୁ କରିଛି । ଅଧିକ ତଥ୍ୟ ଯୋଗାଡ଼ କରିବା ପାଇଁ ପୁଲିସ ଅଭିଯୁକ୍ତକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ଅଭିଯୁକ୍ତ ଜଣଙ୍କ ହେଲେ ଯୁନିଟ-୮ ଅଚଂଳର ସୁଶାନ୍ତ । ସେ ରାଜଧାନୀରେ ମେଡ଼ିସିନ୍ ରିପ୍ରେଜେନ୍ଟେଟିଭ ଭାବେ କାମ କରନ୍ତି ।

ଅନ୍ୟପଟରେ ଭିଡ଼ିଓ ଭାଇରାଲ ଘଟଣା ପଛରେ ତାଙ୍କ ହାତ ନଥିବା ଅଭିଯୁକ୍ତ ଜଣଙ୍କ ପୁଲିସକୁ କହିଛନ୍ତି । ପୁଲିସ ଅଭିଯୁକ୍ତର ମୋବାଇଲ ଓ ଯୁବତୀଙ୍କ ମୋବାଇଲ ଓ ଅନ୍ୟ କିଛି ଗ୍ୟାଜେଟ୍ କୁ ଜବତ କରି ତଦନ୍ତ ଚଳାଇଛି । ଆସନ୍ତାକାଲି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି । ଇତିମଧ୍ୟରେ ଯୁବତୀଙ୍କ ଡ଼ାକ୍ତରୀ ମାଇନା କରିବା ସହ ତାଙ୍କ ବୟାନ ରେକର୍ଡ କରିଛି ପୁଲିସ ।

ପୁଲିସ ସୂଚନା ଅନୁଯାୟୀ, କିଛି ମାସ ତଳେ ଅଭିଯୁକ୍ତ ଜଣଙ୍କ ନୟାପଲ୍ଲୀ ଥାନା ଅଚଂଳରେ ରହୁଥିବା ଜଣେ ଯୁବତୀଙ୍କ ସହ ଫେସବୁକରେ ମିଶିଥିଲେ । ପରେ ଲୋଭନୀୟ କଥା କହିବା ସହ ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଥିଲେ । ପ୍ରଥମେ ଯୁବତୀଙ୍କ ସହ ଶାରୀରିକ ସମ୍ପକ ରଖିବା ପାଇଁ ଦୁଇଥର ଜୋର ଜବରଦସ୍ତ କରିଥିଲେ । ଶେଷରେ ବାରମ୍ବାର ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ଇତିମଧ୍ୟରେ ଦୁହେଁଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓ ପ୍ରେମିକ ଜଣଙ୍କ ସୁଟିଂ କରିଥିଲେ ।

କୌଣସି କାରଣବଶତଃ ଦୁହିଁଙ୍କ ମଧ୍ୟରେ ଝଗଡା ହେବାରୁ ଯୁବତୀ ଜଣଙ୍କ ପ୍ରେମିକଠାରୁ ଦୂରେଇ ରହିଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଘନିଭୂତ ହେବାରୁ ପ୍ରେମିକାର ଅଶ୍ଲିଳ ଭିଡିଓକୁ ଅଭିଯୁକ୍ତ ଜଣଙ୍କ ଭାଇରାଲ କରିଥିବା ପୁଲିସ ସୂଚନା ଦେଇଛି । ଏହି ଘଟଣା ସୋସିଆଲ ମିଡ଼ିଆରେ ପ୍ରଚାରିତ ହେବା ପରେ ଯୁବତୀଙ୍କ ପରିବାର ଲୋକେ ଏନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ ।

ସୂଚନା ମୁତାବକ, ରାଜଧାନୀର ଜଣେ ଯୁବତୀଙ୍କ ୪ମିନିଟର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓ ଭାଇରାଲ ହୋଇଥିବା ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଯାହା ପୁରା ରାଜ୍ୟରେ ଚହଳ ପକାଇଥିଲା ।


ସେୟାର କରନ୍ତୁ