ଘାଣ୍ଟିଲେ ଆଇପିଏସ ଅଫିସର ହିମାଂଶୁ ଲାଲ, ଗ୍ୟାଙ୍ଗଷ୍ଟର ଟିଟୋଙ୍କ ବ୍ୟବସାୟିକ ଲିଙ୍କ ଉପରେ ଲାଗିଲା ରୋକ୍

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ଟିଟୋଙ୍କୁ ଜେରା ପରେ କ୍ରାଇମବ୍ରାଚଂ ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ଡିଆଇଜି ହିମାଂଶୁ ଲାଲଙ୍କ ଆକ୍ସନ ପୁଣି ଥରେ ଦେଖିବାକୁ ମିଳିଛି । ରାଜ୍ୟରେ ଟିଟୋଙ୍କ ବ୍ୟବସାୟିକ ଲିଙ୍କ ଉପରେ ରୋକ ଲଗାଇଛନ୍ତି ଶ୍ରୀ ଲାଲ । ଏସଟିଏଫ ଏସପି ସତ୍ୟଜିତ୍ ନାୟକ ଓ କେନ୍ଦ୍ରାପଡ଼ା ଏସପି ନିତି ଶେଖରଙ୍କ ସହ ମିଶି ପୁରାପୁରି ଘାଣ୍ଟିଛନ୍ତି ଏହି ବରିଷ୍ଠ ଆଇପିଏସ ଜଣଙ୍କ । ଟିଟୋ ଚଲାଉଥିବା ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଓ ସମ୍ପର୍କୀୟଙ୍କ ବାସଭବନରେ ଅଚାନକ ଏକକାଳୀନ ରେଡ଼ ମାରିଛି ଏସଟିଏଫ ଟିମ । ତାହା ପୁଣି ଜଣେ ଏକଜିକ୍ୟୁଟିଭ ମ୍ୟାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ।

ଡିଆଇଜି ଶ୍ରୀ ଲାଲଙ୍କ ନେତୃତ୍ୱରେ ଏକ ଟିମ ଟିଟୋଙ୍କ ସିମରୋନ ବସ୍ତ୍ରାଳୟ ଉପରେ ଚଢ଼ଉ କରିବା ସହ ଦୁଇଟି ଦୋକାନ ଉପରେ ରେଡ଼ ମାରିଥିଲେ । ଯାହାକି ଜି.ବାବୁ ନାମକ ଜଣେ ସହଯୋଗୀ ଏହାକୁ ଚଲାଉଥିବା ଜଣାପଡିଛି । ପୁଲିସ ଅନ୍ୟ ଏକ ସହଯୋଗୀ ସଏଦ୍ ସବୀର ଅଲ୍ଲୀଙ୍କ ମୋବାଇଲ ଦୋକାନରେ ଚଢ଼ଉ କରି ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି । ଏହି ସବୁ ଦୋକାନକୁ ସିଲ କରିଛି ଏସଟିଏଫ । ଦିଲାରପୁରରେ ରହୁଥିବା ବହୁ ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢ଼ଉ କରିଛି ପୁଲିସ ।

ଏହାଛଡ଼ା ଟିଟୋ ଦ୍ୱାରା ପରିଚାଳିତ ହେଉଥିବା କୋବ୍ରା ଟାନ୍ସପୋର୍ଟ, କେନ୍ଦ୍ରାପଡ଼ା ବାଇପାସ୍ ରୋଡ଼ରେ ଥିବା ସମ୍ବୁଲ ଟ୍ରେଡ଼ର୍ସ, ପଟ୍ଟାମୁଣ୍ଡେଇରେ ଥିବା ବାଇକ୍ ସୋରୁମ, ପାରାଦ୍ୱୀପ ଓ କେନ୍ଦ୍ରାପଡ଼ାରେ ଥିବା ପେଟ୍ରୋଲ ପମ୍ପ, ବେନାଜିର ଇନଫ୍ରୋ ପ୍ରାଇଭେଟ ଲିମିଟେଡ଼ କାର୍ଯ୍ୟାଳୟ, ପାରାଦ୍ୱୀପରେ ଚାଲିଥିବା ଷ୍ଟିଭେଡ଼ର କମ୍ପାନୀ ଓ କଟକର ଚାଟାର୍ଡ଼ ଆକାଉଁଟାଣ୍ଟ କାର୍ଯ୍ୟାଳୟରେ ଏକକାଳୀନ ଚଢ଼ଉ କରିଛି ପୁଲିସ । ୩୭ଟି ବେଆଇନ୍ ଟ୍ରାଞ୍ଜାକ୍ସନ ସହ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି ଏସଟିଏଫ । ଏହି ସବୁ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକୁ ସିଲ କରିଛି ପୁଲିସ । ଟିଟୋଙ୍କ ସମସ୍ତ ବ୍ୟାଙ୍କ ଆକାଉଣ୍ଟକୁ ବନ୍ଦ କରିବା ପାଇଁ ଏସଟିଏଫ ଉଦ୍ୟମ ଜାରି ରଖିଥିବା ସୂଚନା ମିଳିଛି ।

ଚଢ଼ଉ ବେଳେ ଏସଟିଏଫ ଟିଟୋଙ୍କ ଘରୁ ୬ଟି ବ୍ୟାଙ୍କ ଚେକ୍ ବୁକ୍ ଓ ଏକ ପାସ ବୁକ୍ ଜବତ କରିଛି । ଗ୍ୟାଙ୍ଗଷ୍ଟରଙ୍କ ଭାଇ ସାପୋଙ୍କ କାର୍ଯ୍ୟାଳୟରୁ ମଧ୍ୟ ବହୁ କାଗଜପତ୍ର ଜବତ କରାଯାଇଛି । ବେନାଜିର ଇନଫ୍ରୋ ପ୍ରାଇଭେଟ ଲିମିଟେଡ଼ କାର୍ଯ୍ୟାଳୟ ପରିସରରୁ ୧୭ଟି ଟିପର, ୮ଟି ଖନନକାରୀ ମେସିନ୍ ଓ ଅନ୍ୟ ଦାମି ଉପକରଣ ଜବତ କରିଛି ପୁଲିସ । ବିଭିନ୍ନ କାର୍ଯ୍ୟାଳୟଗୁଡିକରୁ କମ୍ପ୍ୟୁଟର, ସିପିୟୁ ଓ ଅନ୍ୟାନ୍ୟ ଉପକରଣ ମଧ୍ୟ ଜବତ କରିଛି ପୁଲିସ ।

ପୁଲିସ ସୂଚନା ଅନୁଯାୟୀ, ଟିଟୋ ବେଆଇନ ବନ୍ଧୁକ କାରବାର ଜରିଆରେ ଲକ୍ଷାଧିକ ଟଙ୍କା ରୋଜଗାର କରିବା ନିମନ୍ତେ ପଡ଼ୋଶୀ ରାଷ୍ଟ୍ରର ଏଜେଣ୍ଟମାନଙ୍କ ସହ ଯୋଗାଯୋଗ କରନ୍ତି । ଖାଲି ଏତିକି ନୁହେଁ ଟିଟୋଙ୍କ ବିନା ଜାଣତରେ କଟକ ଜିଲ୍ଲାରେ କେହି ବି ଟେଣ୍ଡର ଆବେଦନ କରୁନଥିଲେ । ଯଦି କେହି ବି ଟିଟୋଙ୍କ ଅଜାଣତରେ ଟେଣ୍ଡର ପାଇଁ ଆବେଦନ କରୁଥିଲେ ସେହି ଠିକାଦାରଙ୍କୁ ତୁରନ୍ତ ଦଣ୍ଡିତ କରାଯାଉଥିଲା । ଆବଶ୍ୟକ ପଡ଼ିଲେ ସଂପୃକ୍ତ ଠିକାଦାରଙ୍କୁ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦିଆଯାଉଥିଲା ।


ସେୟାର କରନ୍ତୁ