ଗାଡ଼ିରେ ନୀଳବତୀ ଓ ଭାରତ ସରକାରଙ୍କ ନାମଫଳକ ଲଗେଇ ଲକ୍ଷାଧିକ ଟଙ୍କା ଠକେଇ… ସନ୍ଦିଗ୍ଧ ଅବସ୍ଥାରେ ଗିରଫ ହେଲେ ୬ ବଙ୍ଗୀୟ ଯୁବକ

ଅପରାଧ
ସେୟାର କରନ୍ତୁ

ଭୁବନେଶ୍ୱର: ରାଜଧାନୀରେ ଅସମାଜିକ ବ୍ୟକ୍ତିମାନେ ବିଭିନ୍ନ ତରିକାରେ ଲୋକଙ୍କୁ ଠକି ଚାଲିଛନ୍ତି । ସୁଲଭ ମୂଲ୍ୟରେ ଲୋକଙ୍କୁ ଜମିବାଡ଼ି ଯୋଗାଇଦେବା ଘଟଣା ହେଉ ବା ଚାକରି ଦେବାକୁ କହି ବେକାର ଯୁବକଯୁବତୀଙ୍କୁ ଠକିବା । ଏମିତି ବହୁ ଢ଼ଙ୍ଗରେ ଦଲାଲମାନେ ବିଗତଦିନରେ ଠକେଇରେ ଲିପ୍ତ ରହିଥିବା ନଜିର ରହିଛି । ସେହିଭଳି ଏକ ହାଇ ପ୍ରୋଫାଇଲ ଠକେଇ ରାଜଧାନୀରେ ଘଟିଛି ଯାହାର ପର୍ଦ୍ଦାଫାସ କରିଛି ସ୍ପେଶାଲ ସ୍କ୍ୱାଡ୍ । ସନ୍ଦିଗ୍ଧ ଅବସ୍ଥାରେ ପୁଲିସ ଗିରଫ କରିଛି ୬ବଙ୍ଗୀୟ ଯୁବକଙ୍କୁ । ସେମାନଙ୍କ ଠାରୁ ପୁଲିସ ୨ଟି ବନ୍ଧୁକ, ଦୁଇଟି ଗୁଳି, ଖଣ୍ଡା, ଭୁଜାଲି, ନୀଳବତୀ ଲାଗିଥିବା ଇନୋଭା ଗାଡିକୁ ଜବତ କରିଛି ।

ବେକାର ଯୁବକଙ୍କୁ ଫସେଇବା ପେଇଁ ଅଭିଯୁକ୍ତ ସୁମନ୍ତ ଦାସ, ସପନ ହଳଧର, ଅଜୟ ମାଝୀ, ନନ୍ଦନ ଝା, ରମେଶ ପ୍ରସାଦ ଓ ଗୋପାଳ ଯାଦବ ପୁରାପୁରି ରଚିଥିଲେ ଷଡ଼ଯନ୍ତ୍ର । ଏକ ଇନୋଭା ଗାଡ଼ିରେ ନୀଳବତୀ ଓ ଭାରତ ସରକାରଙ୍କ ନାମଫଳକ ଲଗାଇ ସାଜିଥିଲେ ଟେଲିକମ୍ ଅଫିସର । ଯୋଜନା ଥିଲା ମଚେଂଶ୍ୱର ଅଚଂଳରେ ମୋବାଇଲ ଟାୱାର ଲଗାଇ ଯୁବକମାନଙ୍କୁ ଚାକରି ଦେବା । ଏଥିପାଇଁ ଉକ୍ତ ଅଚଂଳରେ ଥିବା ଲା’ଫେସଟା ହୋଟେଲରେ ଅଭିଯୁକ୍ତମାନେ ରଖିଥିଲେ ଟ୍ରେନିଂ ଦେବା କାର୍ଯ୍ୟକ୍ରମ । ଟ୍ରେନିଂ ପରେ ଚାକିରି ଦେବା ପାଇଁ ଟଙ୍କା ମଧ୍ୟ ନେଉଥିଲେ । ଚାକିରି ଆଶାରେ ବହୁ ସଂଖ୍ୟାରେ ଯୁବକ ମଧ୍ୟ ପରୀକ୍ଷା ଦେବା ପାଇଁ ଆସିଥିଲେ । ହେଲେ ସଂସ୍ଥା ଅଧିକାରୀ ନକଲି ଥିବା ଜାଣିବାକୁ ପାଇଥିଲେ । ଖବର ପାଇ ସ୍ପେଶାଲ ସ୍କ୍ୱାଡ୍ ଘଟଣାସ୍ଥଳରେ ପହଚିଂ ଦୁଇ ଜଣଙ୍କୁ ଗିରଫ କରି ପଚରାଉଚରା କରିଥିଲା ।

ପଚରାଉଚରା ବେଳେ ଠକେଇ ଘଟଣାରେ ଅନ୍ୟ ୪ ସହଯୋଗୀ ସାମିଲ ଥିବା ପୁଲିସ ଜାଣିବାକୁ ପାଇଥିଲା । ତୁରନ୍ତ ଏକ ଟିମ କୁଆଖାଇ ନଦୀକୁ ଲାଗି ଯାଇଥିବା ଜାତୀୟ ରାଜପଥରେ ଚଢ଼ଉ କରି ଅନ୍ୟ ୪ଜଣ ଦଲାଲକୁ ଗିରଫ କରିବାରେ ସଫଳ ହୋଇଥିଲା । ଅଭିଯୁକ୍ତମାନେ ପଶ୍ଚିମବଙ୍ଗର ବାସିନ୍ଦା ବୋଲି ପୁଲିସ କହିଛି ।

ରାଜଧାନୀରେ ଚାରୋଟି ଜିଓ ଟାୱାର ବସାଇବା ନେଇ ଯୁବକମାନଙ୍କୁ ଫେକ ଟ୍ରେନିଂ ଦେଇ ଟଙ୍କା ଲୁଟ କରିବା ସେମାନଙ୍କ ପ୍ଲାନ ଥିଲା ବୋଲି ପୁଲିସ କହିଛି । ଗିରଫ ଦଲାଲମାନେ ଟାୱାର ବସାଇବା ନାମରେ ୭୦ ପିଲାଙ୍କୁ ଟ୍ରେନିଂ ଦେଇ ଜଣଙ୍କ ପିଛା ୧୪ଶହ ଟଙ୍କା ନେବା ସହ ପଛରେ ଜଣଙ୍କ ପିଛା ୧ଲକ୍ଷ ଟଙ୍କା ହିସାବରେ ନେବାକୁ ଯୋଜନା କରିଥିଲେ ।


ସେୟାର କରନ୍ତୁ