କହି ହଉନି କି ସହି ହଉନି, ପୁଲିସ ବାବୁଙ୍କୁ ମେସେଜରେ ରୋକଠୋକ ମନା କରି ହଉନି, ସିଭିଲ ସର୍ଭିସେସ୍ କରାଇଦେବାକୁ କହି ପୁଲିସ ବାବୁ କରୁଥିଲେ ପ୍ରେମଲୀଳା

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ସକାଳୁ ଉଠିଲେ ଗୁଡ଼ ମର୍ଣ୍ଣିଙ୍ଗ ସହ ଆଜି ଫ୍ରି ଅଛ । ତା’ପରେ ମିସିବା ପାଇଁ ନିବେଦନ । କ’ଣ ପାଇଁ ପଚାରିଲେ ଚାଲ କୌଣସି ଏକାନ୍ତ ଜାଗାରେ ଯାଇ ବସିବା ଓ କଥା ହେବା କହି ଉତ୍ତର ଆସୁଥିଲା । ଖାଲି ଏତିକି ନୁହେଁ ମେସେଜରେ ଲଭ ସାଇନ ମଧ୍ୟ ପଠାଉଥିଲେ । ଆପଣ ଭାବୁଥିବେ ଯେ ମୋବାଇଲର ଏହି ହ୍ୱାଟ୍ସଆପ ଚାଟ ମେସେଜ ଦ୍ୱାରା ହେଉଥିବା କଥାବାର୍ତ୍ତା କୌଣସି ପ୍ରେମି ଯୁଗଳଙ୍କର ହୋଇଥିବ । ତେବେ ଏଥିରେ ଆଉ ନୁଆ କଥା କ’ଣ ରହିଲା ।
କିନ୍ତୁ ଜାଣି ଚକିତ ହେବେ ଏହି ମେସେଜ କୌଣସି ପ୍ରେମି ଯୁଗଳଙ୍କର ନୁହେଁ ବରଂ ଓଡ଼ିଶା ପୁଲିସରେ କାର୍ଯ୍ୟରତ ଥିବା ଜଣେ ପୁଲିସ ଆଇପିଏସ୍ ଅଫିସରଙ୍କର । ଯାହାର ଏକ ଜ୍ୱଳନ୍ତ ପ୍ରମାଣ ଓଡ଼ିଆ ନ୍ୟୁଜ୍ ଏକ୍ସପ୍ରେସ୍ ହାତରେ ଲାଗିଛି । ସିଭିଲ ସର୍ଭିସେସ୍ କରାଇଦେବାକୁ କହି ଯୁବତୀମାନଙ୍କୁ ପ୍ରେମ ନିବେଦନ କରି ଆସୁଥିଲେ ଏହି ପୁଲିସ ବାବୁ ଜଣଙ୍କ । ସକାଳୁ ରାତି ଯାଏଁ ଅହରହ ଯୁବତୀଙ୍କୁ ମେସେଜ ପଠାଉଥିଲେ । ମନା କରିବାରୁ ବିଭିନ୍ନ ଆଳ ଦେଖାଇ ସେମାନଙ୍କ ସହ କଥା ହେଉଥିଲେ ଏହି ରସିକିଆ ପୁଲିସ ଅଫିସର ଜଣଙ୍କ ।
ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପୁଲିସ ବାବୁ ଜଣଙ୍କ କିଛି ଜିଲ୍ଲାରେ ଏସପି ଭାବେ କାର୍ଯ୍ୟରତ ଥିଲା ବେଳେ ସେ ମହିଳା ପୁଲିସ କର୍ମଚାରୀଙ୍କ ସହ ମଧ୍ୟ ପ୍ରେମଲୀଳା କରିଥିବା ଅଭିଯୋଗ ଆସିଥିଲା । ହେଲେ ଭୁବନେଶ୍ୱରରେ ପୋଷ୍ଟିଂ ହେବା ପରେ ତାଙ୍କର ଏହି ସବୁ ଲୀଳା କିଛି ମାତ୍ରାରେ କମି ଯାଇଥିବା ଶୁଣିବାକୁ ମିିଳିଥିଲା । ହେଲେ କିଏ କ’ଣ ନିଜର ପୁରୁଣା ଦୋଷକୁ ସହଜରେ ଏଡ଼େଇ ପାରିଛି । ରାଜଧାନୀରେ ପ୍ରେମଳୀଳା ଆରମ୍ଭ କରିବା ପାଇଁ ପୁଲିସ ବାବୁ ଜଣଙ୍କ ଅପଣାଇଥିଲେ ଏକ ଭିନ୍ନ ତରିକା ।
ଜ୍ଞାନ ଦେବାକୁ ଭାବି ପୁଲିସ ବାବୁ ଜଣଙ୍କ ଏଠାରେ ଥିବା ବିଭିନ୍ନ କୋଚିଂ ସେଣ୍ଟରକୁ ପାଠପଢ଼ାଇବାକୁ ଯାଉଥିଲେ । ସିଭିଲ ସର୍ଭିସେସ୍ କରାଇଦେବା ଆଳରେ ସୁନ୍ଦରୀ ଯୁବତୀଙ୍କ ମୋବାଇଲ ନମ୍ବର ଯୋଗାଡ଼ କରି ଆରମ୍ଭ କରିଥିଲେ ପ୍ରେମ ଆଳପ । ବାରମ୍ବାର ମେସେଜ ଆସୁଥିବା ଯୋଗୁ ଜୈନିକ ଯୁବତୀ ରାଗି ଯାଇ ତାଙ୍କର ଜଣେ ନିକଟତମ ବନ୍ଧୁଙ୍କୁ କହିଥିଲେ । ପୁଲିସ ବାବୁ ଜଣେ ଆଇପିଏସ୍ ଅଫିସର ହୋଇଥିବାରୁ ଯୁବତୀ ଜଣଙ୍କ ତାଙ୍କୁ ରୋକଠୋକ ମନା କରିବାକୁ ସାହାସ ଜୁଟାଇ ପାରୁନଥିବା ଜଣାପଡିଛି । ଅନ୍ୟ ଅର୍ଥରେ କହିବାକୁ ଗଲେ ଘଟଣାକୁ ନେଇ ଯୁବତୀ ଜଣଙ୍କ ନା ପୁଲିସ ବାବୁଙ୍କୁ କିଛି କହି ପାରୁଛନ୍ତି ନା ତାଙ୍କ ମେସେଜକୁ ପଢ଼ି ସହି ପାରୁଛନ୍ତି । ତେଣୁ ପୁଲିସ ଡ଼ିଜି ଉକ୍ତ ପୁଲିସ ବାବୁଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି ।

ସେୟାର କରନ୍ତୁ