ମଧ୍ୟପ୍ରଦେଶରେ ଏକ ପରିବାରରେ 11 ଜଣ କରୋନା ସଂକ୍ରମିତ

ଦେଶବିଦେଶ
ସେୟାର କରନ୍ତୁ

ଭୋପାଳ: ଏବେ ସାରା ଦୁନିଆରେ କରୋନା ଭାଇରସ ତାର କାୟା ବିସ୍ତାର କରି ଚାଲୁଅଛି । ଭାରତରେ ମଧ୍ୟ ଏହି ଦେଖା ଯାଉନଥିବା ଭୁତାଣୁ ତାର ଗୋଡ଼ ମେଲାଇ ଚାଲୁଅଛି । ତେବେ ମଧ୍ୟପ୍ରଦେଶର ମୋରେନା ଜିଲ୍ଲା ଅନ୍ତର୍ଗତ ଗୋଟିଏ ପରିବାରର 11 ଜଣ କ‌ରୋନା ଭାଇରସ ସଂକ୍ରମିତ ହୋଇଛନ୍ତି । ତେବେ ଏଥିରେ ଚିନ୍ତାର ବିଷୟ ହେଉଛି କି ଏହି ପରିବାର ପକ୍ଷରୁ ଏକ ଭୋଜିର ଆୟୋଜନ କରାଯାଇଥିଲା । ଏହି ଭୋଜିରେ 1500ରୁ ଅଧିକ ଲୋକ ସାମିଲ ହୋଇଥିବାର ଜଣାପଡ଼ିଅଛି ।

ସେମାନଙ୍କ ମଧ୍ୟରୁ ଅନେକ ଭାଇରସ୍‌ ସଂକ୍ରମିତ ହୋଇଥାଇ ପାରନ୍ତି ବୋଲି କୁହାଯାଉଛି । ଏହାଦ୍ବାରା ମଧ୍ୟପ୍ରଦେଶ ସରକାର ଏବଂ ପ୍ରଶାସନର ଚିନ୍ତା ବଢ଼ିଅଛି । ସମ୍ପୃକ୍ତ ପରିବାରର ଗୋଟିଏ ଡାଏରି ସିଜ୍‌ କରାଯାଇଛି । ଏହି ଭୋଜିରେ ନିମନ୍ତ୍ରିତ ହୋଇଥିବା ସମସ୍ତ ବ୍ୟକ୍ତିମାନଙ୍କର ନାମ ଏଥିରେ ‌ଲେଖା ହୋଇଅଛି । ଏ ସମସ୍ତବ୍ୟକ୍ତିଙ୍କୁ ଏବେ ପୁଲିସ ଖୋଜିବା ଆରମ୍ଭ କରିଦେଇଛି ।

ଏହା ହେଉଛି ମାର୍ଚ୍ଚ 20 ତାରିଖର ଏହି ଘଟଣା । ଏହି ପରିବାରର ଜଣେ ବ୍ୟକ୍ତି ଗୁରୁବାର ଭାଇରସ୍‌ ସଂକ୍ରମିତ ଥିବା ଜଣାପଡ଼ିଥିଲା । ସେ ନିକଟରେ ଦୁବାଇରୁ ମା’ଙ୍କ ମୃତ୍ୟୁପ‌‌ରେ ଫେରିଥିଲେ । ତେବେ ପରିବାରର ଜଣେ ସଂକ୍ରମିତ ହେଲେ ଅନ୍ୟ ମାନଙ୍କୁ ମଧ୍ୟ ପରୀକ୍ଷା କରାଯାଇଥିଲା ଯଦ୍ୱାରା ଶୁକ୍ରବାର ପରିବାରର ଅନ୍ୟ 10 ଜଣ ସଦସ୍ୟ ଭାଇରସ୍‌ ସଂକ୍ରମିତ ହୋଇଥିବା କଥା ଜଣାପଡିଥିଲା । ପରେ ପ୍ରଶାସନ ଜାଣିବାକୁ ପାଇଥିଲା ଯେ, ଉକ୍ତ ବ୍ୟକ୍ତିଙ୍କ ମା’ଙ୍କ ଏକାଦଶାହ ଭୋଜିରେ 1500ରୁ ବେଶୀ ଲୋକ ଯୋଗ ଦେଇଥିଲେ ।


ସେୟାର କରନ୍ତୁ