ମୁମ୍ବାଇ: ଆଜି କୃଷକମାନେ କୃଷି ନିୟମ ବିରୋଧରେ ‘ଭାରତ ବନ୍ଦ’ର ଆହ୍ୱାନ ଦେଇଥିଲେ । ଗତ ଦୁଇ ସପ୍ତାହ ଧରି କୃଷକମାନେ ଦିଲ୍ଲୀ ସୀମାରେ କୃଷି ନିୟମକୁ ବିରୋଧ କରିଆସୁଛନ୍ତି । ବଲିଉଡର ସେଲିବ୍ରେଟମାନେ ସୋସିଆଲ ମିଡିଆ ମାଧ୍ୟମରେ କୃଷକମାନଙ୍କୁ ମଧ୍ୟ ସମର୍ଥନ କରୁଛନ୍ତି । ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ମଧ୍ୟ ଦିଲଜିତ ଦୋସାଞ୍ଜଙ୍କ ଟ୍ୱିଟ୍କୁ ରିଟୁଇଟ କରି ଚାଷୀଙ୍କୁ ସମର୍ଥନ କରିଛନ୍ତି । ଆଜି ବି ପ୍ରିୟଙ୍କା ଟ୍ୱିଟରରେ ଟ୍ରେଣ୍ଡ କରୁଛନ୍ତି । ସୋସିଆଲ ମିଡିଆ ବ୍ୟବହାରକାରୀମାନେ ପ୍ରିୟଙ୍କାଙ୍କୁ ପ୍ରଶଂସା କରୁଛନ୍ତି । ପ୍ରିୟଙ୍କାଙ୍କ ବ୍ୟତୀତ ସୋନମ କପୁର ଅହୁଜା, ପରିନୀତି ଚୋପ୍ରା ଏବଂ ପ୍ରୀତି ଜିଣ୍ଟା ମଧ୍ୟ ଚାଷୀଙ୍କ ସହ ସ୍ୱର ଉତ୍ତୋଳନ କରିଛନ୍ତି ।
ଦିଲଜିତ ଦୋସାଞ୍ଜଙ୍କ ଟ୍ୱିଟକୁ ରିଟ୍ୱିଟ କରି ପ୍ରିୟଙ୍କା ଚୋପ୍ରା ଲେଖିଛନ୍ତି, ‘ଆମର କୃଷକମାନେ ଭାରତର ଖାଦ୍ୟ ସୈନିକ । ସେମାନଙ୍କ ଭୟକୁ ଦୂର କରିବାର ଆବଶ୍ୟକତା ଅଛି । ସେମାନଙ୍କ ଆଶା ପୂରଣ କରିବାର ଆବଶ୍ୟକତା ଅଛି । ଏକ ସମୃଦ୍ଧ ଗଣତନ୍ତ୍ର ଭାବରେ ଆମେ ନିଶ୍ଚିତ କରିବାକୁ ପଡିବ ଯେ ଏହି ସଙ୍କଟ ଶୀଘ୍ର ସମାଧାନ ହେବ ।’
କୃଷକଙ୍କ ପ୍ରଦର୍ଶନର ଫଟୋ ସେୟାର କରି ପ୍ରୀତି ଜିଣ୍ଟା ଲେଖିଛନ୍ତି, ‘ଏହି ମହାମାରୀରେ ଶୀତରେ ଆନ୍ଦୋଳନ କରୁଥିବା କୃଷକ ଏବଂ ସେମାନଙ୍କ ପରିବାରବର୍ଗଙ୍କ ପ୍ରତି ମୋର ହୃଦୟ ଅଛି । ସେମାନେ ହେଉଛନ୍ତି ମାଟିର ସୈନିକ, ଯେଉଁମାନେ ଆମ ଦେଶକୁ ଅଗ୍ରଗତି କରୁଛନ୍ତି । ମୁଁ ଆଶା କରୁଛି କୃଷକ ଏବଂ ସରକାରଙ୍କ ମଧ୍ୟରେ କଥାବାର୍ତ୍ତା ଶୀଘ୍ର ସକରାତ୍ମକ ଫଳାଫଳ ଦେବ ଏବଂ ସମସ୍ତ ସମାଧାନ ହେବ ।

ସାମ୍ପ୍ରତିକ ଘଟଣାଗୁଡ଼ିକ ଉପରେ ସୋନମ କପୁର ମଧ୍ୟ ନିଜର ମତ ରଖିଛନ୍ତି । କୃଷକଙ୍କ ସମର୍ଥନରେ ଟୁଇଟ୍ କରି ସୋନମ ଲେଖିଛନ୍ତି, ‘କୃଷକମାନେ ମାନବ ସଭ୍ୟତାର ପ୍ରତିଷ୍ଠାତା’ । କହିବାକି ନେହା ଶର୍ମା, ଅର୍ଚ୍ଚନା ପୁରନ ସିଂହ, ଦିବ୍ୟେଣ୍ଦୁ ଶର୍ମା ଏବଂ ଗୁରୁ ରନ୍ଧୱାଙ୍କ ସମେତ ଅନେକ ସେଲିବ୍ରେଟ୍ ଚାଷୀଙ୍କ ପାଇଁ ସ୍ୱର ଉତ୍ତୋଳନ କରିଛନ୍ତି ।