ଯୁବକଙ୍କ ଉପରେ ଚଢ଼ିଗଲା ହାଇୱା ଟ୍ରକ, ରାଜପଥ ଅବରୋଧ କଲେ ସ୍ଥାନୀୟ ଲୋକ

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ: ଆଜି ଅପରାହ୍ନରେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା 53 ନଂ ଜାତୀୟ ରାଜପଥର ବଡଝରା ନିକଟରେ ଜଣେ ଶ୍ରମିକଙ୍କ ଉପରେ ହାଇୱା ଟ୍ରକ ଚଢିଯାଇଛି । ଯାହା ଫଳରେ ସେ ଶ୍ରମିକ ଜଣଙ୍କ ଗୁରୁତର ହୋଇଥିବା ଜଣାପଡ଼ିଛି । ତେବେ ଏହି ଦୁର୍ଘଟଣା ପାଇଁ ସ୍ଥାନୀୟ ଲୋକେ ଉତ୍ତେଜିତ ହୋଇ ରାସ୍ତାରୋକ କରିଥିବା ଦେଖିବାକୁ ମିଳିଥିଲା । ଗୁରୁତର ଯୁବକ ଜଣକ ପରଜଙ୍ଗ ଥାନା ଅନ୍ତର୍ଗତ ବଡଝରା ଗାଁର ପ୍ରଫୁଲ୍ଲ ପଣ୍ଡା । ତାଙ୍କୁ ଗୁରୁତର ଅବସ୍ଥାରେ 108 ଆମ୍ବୁଲାନ୍ସ ଯୋଗେ ପ୍ରଥମେ କାମାକ୍ଷାନଗର ମେଡ଼ିକାଲ ଏବଂ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

ସୂଚନା ଅନୁଯାୟୀ, ପ୍ରଫୁଲ୍ଲ କାମ ସାରି ଗାଁ ପାଖ ପୋଖରୀରୁ ଗାଧୋଇ ରାସ୍ତା ପାର ହେଉଥିବାବେଳେ କାମାକ୍ଷାନଗର ଆଡୁ ଆସୁଥିବା ଏକ ହାଇୱା ଟ୍ରକ ଦ୍ରୁତ ଗତିରେ ତାଙ୍କୁ ଧକ୍କା ଦେଇ କିଛି ବାଟ ଘୋଷାଡି ନେଇଥିଲା । ଏହି ହାଇୱା ଟ୍ରକଟି କୁନାଲ କମ୍ପାନୀର ଜଣାପଡିଛି । କୁନାଲ କମ୍ପାନୀ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଅଛି । ଯାହାକୁ ନେଇ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକମାନେ ରାସ୍ତାରୋକ କରିଥିଲେ । ରାସ୍ତାରୋକ କରାଯିବା ଯୋଗୁଁ କାମାକ୍ଷାନଗର-ତାଳଚେର ମଧ୍ୟରେ କିଛି ସମୟ ପାଇଁ ଯାନବାହନ ଚଳାଚଳ ଠପ ହୋଇପଡିଥିଲା । ତେବେ କୁନାଲ କମ୍ପାନୀ ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବୁଝାମଣା ହେତୁ ରାସ୍ତା ଅବରୋଧ ହଟିଥିଲା ।

ସୂଚନା ଥାଉ କି, ଏହି କମ୍ପାନୀର ଗାଡିଗୁଡିକ ବେଳେବେଳେ ଦ୍ରୁତ ଗତିରେ ଯାଉଥିବା ହେତୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଅଛି ।


ସେୟାର କରନ୍ତୁ