କେରଳ ଆସିବ ଡେରିରେ ମୌସୁମୀ, ଜୁନ ପ୍ରଥମ ସପ୍ତାହ ରାଜ୍ୟରେ ବଢିପାରେ ତାତି

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଏ ବର୍ଷ ମୌସୁମୀ କେରଳ ଛୁଇଁବାକୁ ଡେରି ହେବ । ଜୁନ୍‌ 10 ପୂର୍ବରୁ ମୌସୁମୀ ଓଡ଼ିଶା ମାଟି ଆସିବାର ସମ୍ଭାବନା କ୍ଷୀଣ ରହିଛି । ପୂର୍ବରୁ ଆକଳନ କରାଯାଉଥିଲା, ଜୁନ୍‌ ପ୍ରଥମ ସପ୍ତାହରେ ହିଁ ମୌସୁମୀ ଓଡ଼ିଶା ଛୁଇଁପାରେ । କିନ୍ତୁ ଜୁନ୍‌ ପ୍ରଥମ ସପ୍ତାହରେ ରାଜ୍ୟରେ ପ୍ରାକ୍‌ ମୌସୁମୀ ସମ୍ଭାବନା ବି କମ୍‌ ରହିଛି । ବରଂ ଜୁନ୍‌ ପ୍ରଥମ ସପ୍ତାହ ଓଡ଼ିଶାରେ ନିଆଁ ଢାଳିବ ।

ପାଣିପାଗ ବିଶେଷଜ୍ଞଙ୍କ ତାଜା ଆକଳନ ଅନୁଯାୟୀ, ଜୁନ୍‌ ପ୍ରଥମ ସପ୍ତାହରେ ତାତି ଚଳିତବର୍ଷର ରେକର୍ଡ ଭାଙ୍ଗିପାରେ । ଏହା 46-47 ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ ତାତି ଓଡ଼ିଶାରେ ହୋଇପାରେ । ପାଣିପାଗକୁ ନେଇ ଏମିତି ପୂର୍ବାନୁମାନ ଦେଖାଇଛନ୍ତି ବିଶେଷଜ୍ଞ ।

ଏ ବର୍ଷ ମୌସୁମୀ କେରଳ ଛୁଇଁବା ନେଇ ଯେଉଁ ତାରିଖ (27 ମେ’) ଆକଳନ କରାଯାଇଥିଲା, ତାହା ଏବେ ଲମ୍ବା ହେବାକୁ ଯାଉଛି । ମୌସୁମୀ ଠିକଣା ସମୟରେ ଆସିଲେ ବି ଆରମ୍ଭରେ ଭଲ ବର୍ଷା ସମ୍ଭାବନା ନାହିଁ । ଆଗମୀ ଦୁଇ ସପ୍ତାହ ଭିତରେ କୌଣସି ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ନାହିଁ । ତେଣୁ ମୌସୁମୀ ବିଶେଷ ଭାବରେ ସକ୍ରିୟ ହୋଇନପାରେ । ସେତିକି ନୁହେଁ, ଜୁନ୍‌ 10 ପୂର୍ବରୁ ମୌସୁମୀ ଓଡ଼ିଶା ମାଟି ମାଡ଼ିବାର ନାହିଁ ।

କେରଳରେ ଗତ କିଛିଦିନ ହେଲା ସ୍ୱଳ୍ପ ବର୍ଷା ହେଉଛି । 27ରୁ 30 ତାରିଖ ପର୍ଯ୍ୟନ୍ତ ତିରୁବନ୍ତପୁରମ ଓ ସଂଲଗ୍ନ ଅଞ୍ଚଳରେ ବର୍ଷା କମିବ । ବର୍ତ୍ତମାନ କେରଳ ଉପକୂଳରେ ସମୁଦ୍ର କଡ଼େକଡ଼େ ଅଧିକ ବର୍ଷା ହେଉଛି । ସ୍ଥଳଭାଗକୁ ମୌସୁମୀ ଆସିପାରୁନି । ସାମୟିକ ଭାବେ ମେ’ 31 ଓ ଜୁନ୍‌ 1ରେ ଉପକୂଳରେ କିଛି ବର୍ଷା ବଢିବ । ତା’ପରେ ପୁଣି କମିଯିବ, ଦୁର୍ବଳ ରହିବ । ଜୁନ୍‌ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ମୌସୁମୀ ପ୍ରବଳ ବର୍ଷିବା ସମ୍ଭାବନା ନାହିଁ ।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଆକଳନ କରିଛି, ଆସନ୍ତା 48 ଘଣ୍ଟା ଭିତରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଦକ୍ଷିଣ ଆରବ ସାଗର, ସମ୍ପୂର୍ଣ୍ଣ ମାଲଦ୍ୱୀପ ଓ ଲାକ୍ଷାଦ୍ୱୀପର କିଛି ଅଂଶକୁ ଛୁଇଁବ । ଏଇ ସପ୍ତାହରେ ମୌସୁମୀ କେରଳ ପ୍ରବେଶ କରିବ । ମାତ୍ର କେବେ ଛୁଇଁବ, ତାହା ଏଯାଏ ସ୍ପଷ୍ଟ ହୋଇନାହିଁ ।

କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ ମଧ୍ୟ ତାତି ବୃଦ୍ଧି ନେଇ ପୂର୍ବାନୁମାନ କରିଛନ୍ତି । ତାଙ୍କ ଆକଳନ ହେଲା, ଆସନ୍ତା 31 ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ହେବା ସହ ତାପମାତ୍ରା ବିଶେଷ ବଦଳିନି । ଜୁନ୍‌ ପହିଲା ପରେ ରାଜ୍ୟ ତମାମ ଗରମ ବଢ଼ିବ । ମୌସୁମୀ ବର୍ଷା ନ ହେବା ପର୍ଯ୍ୟନ୍ତ ଜାରି ରହିବ ଗରମ । ଜୁନ୍‌ 3 ଓ 4 ତାରିଖ ବେଳକୁ ରାଜ୍ୟର ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା 44 ଡିଗ୍ରୀ ବା ତା’ଠାରୁ ଅଧିକ ରହିପାରେ । ଏପରିକି ଭୁବନେଶ୍ୱରରେ ପାରଦ ବି 44 ଛୁଇଁପାରେ । ଗୁଳୁଗୁଳି ବି ଅଧିକ ରହିବ । ଗ୍ରୀଷ୍ମ ପ୍ରବାହ ଛଟପଟ କରିପାରେ ।


ସେୟାର କରନ୍ତୁ