ରାଜ୍ୟରେ ସକ୍ରିୟ ମୌସୁମୀ ବାୟୁ, ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଦୀର୍ଘ ଦିନ ବ୍ୟବଧାନ ପରେ ସାରା ଓଡ଼ିଶା ଛୁଇଁଛି ମୌସୁମୀ ବାୟୁ । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସୋମବାର ସବୁ ଜିଲ୍ଲାମାନଙ୍କରେ ପ୍ରବେଶ କରିଛି । ଆଗରୁ ଏହା 6 ଜିଲ୍ଲା ସ୍ପର୍ଶ କରି ସୁପ୍ତ ରହିଥିଲା । ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଏହି ଘୋଷଣା କରାଯାଇଛି । ଆସନ୍ତା 5 ଦିନ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବ । ଏଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଆଞ୍ଚଳିକ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ମଙ୍ଗଳବାର ଉତ୍ତର ଉପକୂଳ ଓଡିଶା ସମେତ ରାଜ୍ୟର ଅନ୍ୟ ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଢେଙ୍କାନାଳ, ଅନୁଗୁଳ, ଖୋର୍ଦ୍ଧା, ପୁରୀ, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ବାକି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।

ସେଇଭଳି 22ରେ ଆଭ୍ୟନ୍ତରୀଣ ଓଡ଼ିଶା ଓ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ସୋନପୁର, ସମ୍ବଲପୁର, ବରଗଡ଼, ବୌଦ୍ଧ, କନ୍ଧମାଳ, ଅନୁଗୁଳ, ଦେବଗଡ଼, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଅଛି । 23, 14 ଓ 25 ରେ ବି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବ । ଆସନ୍ତା 5 ଦିନ ଲଗାଣ ବର୍ଷାକୁ ଆଖି ଆଗରେ ରଖି ସ୍ୱତନ୍ତ୍ର ରିଲିଫ କମିଶନର ସତର୍କତା ଜାରି କରିଛନ୍ତି । ସମସ୍ତ ଜିଲ୍ଲାପାଳଙ୍କୁ ଏଥିପାଇଁ ସତର୍କ କରାଯାଇଛି । ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାରେ ପ୍ରଶାସନିକ କଳ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।


ସେୟାର କରନ୍ତୁ