ପୁରାତନ ଛାତ୍ର ସଂସଦ ପକ୍ଷରୁ ଆଲୁମିନ ପ୍ରତିଷ୍ଠା ଦିବସ ଉଦଘାଟିତ

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ଶନିବାର ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ମହାବିଦ୍ୟାଳୟ ସଭାଗୃହରେ ପୁରାତନ ଛାତ୍ର ସଂସଦ ପକ୍ଷରୁ ଆଲୁମିନ ପ୍ରତିଷ୍ଠା ଦିବସ ଉଦଘାଟିତ ହୋଇଯାଇଛି । ଆଲୁମିନ ସଂଘର ସଭାପତି ତଥା ପୁରାତନ ଛାତ୍ର ସୁବାସ ପାଣିଙ୍କ ନେତୃତ୍ୱ ଓ ପ୍ରାକ୍ତନ ଅଧ୍ୟକ୍ଷ ତଥା ଆଲୁମିନ ସଂଘ ଉପଦେଷ୍ଟା ସନାତନ ସାମଲଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇଥିଲା ।

ଅନୁଷ୍ଠିତ ସଭାରେ ପୁରାତନ ଛାତ୍ର ସଂସଦ ପକ୍ଷରୁ ମହାବିଦ୍ୟାଳୟର ଅବସର ପ୍ରାପ୍ତ ଅଧ୍ୟକ୍ଷ ଡ଼ ନିହାର ରଞ୍ଜନ ସାହୁଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜଣାଇଥିବା ବେଳେ ନବ ନିଯୁକ୍ତ ଅଧ୍ୟକ୍ଷା ସ୍ମିତାରାଣୀ ସାହୁଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଯାଇଥିଲା । ଅନ୍ୟତମ ଅତିଥି ତଥା ଆଲୁମିନ ସଂଘର ଉପଦେଷ୍ଟା ଅବସର ପ୍ରାପ୍ତ ଇଂରାଜୀ ବିଭାଗ ପ୍ରାଧ୍ୟାପକ ପ୍ରବୋଧ କୁମାର ରଥ ଯୋଗ ଦେଇଥିଲେ ।

ସମସ୍ତ ମଞ୍ଚାସୀନ ଅତିଥିଙ୍କୁ ପୁରାତନ ଛାତ୍ର ସଂସଦ ପକ୍ଷରୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିବା ବେଳେ ଅବସର ପ୍ରାପ୍ତ ଅଧ୍ୟକ୍ଷ ଡ଼ ସାହୁଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ମଞ୍ଚାସୀନ ଅତିଥି ଓ ପୁରାତନ ଛାତ୍ର ସଂସଦଙ୍କ ଦ୍ଵାରା ଆଲୁମିନ ପ୍ରତିଷ୍ଠା ଦିବସକୁ ଶୁଭ ଉଦଘାଟନ କରିଥିଲେ । ପୁରାତନ ଛାତ୍ର ସଂସଦର ଦୀର୍ଘ ବର୍ଷ ଅବସାନ ପରେ ଆଜି ମନରେ ରହିଥିବା ଆଶା ଆକାଂକ୍ଷା ପ୍ରତିଫଳିତ ହେବାକୁ ଯାଉଛି ବୋଲି ଉପଦେଷ୍ଟା ସଦସ୍ୟ ଶ୍ରୀ ରଥ ବକ୍ତବ୍ୟ ରଖିଥିଲେ । ସଂଘରେ ସମସ୍ତ ପୁରାତନ ଛାତ୍ର ଛାତ୍ରୀ,ଓ ପ୍ରାକ୍ତନ ସମସ୍ତ କର୍ମଚାରୀ ସାମିଲ ହେବାକୁ ପରାମର୍ଶ ଦେଇଥିଲେ ।

ସଂଘ ଅନେକ ଘାତ ପ୍ରତିଘାତ ମଧ୍ୟରେ ଆଜି ରେଜିଷ୍ଟ୍ରେସନ ହେବାକୁ ଯାଉଛି । ଯାହା ଫଳରେ ଏହି ସଙ୍ଘ ଜରିଆରେ କଲେଜର ପ୍ରତ୍ୟେକ ଉନ୍ନତି ମୂଳକ କାର୍ଯ୍ୟ କରିବାକୁ ଅନ୍ୟତମ ଉପଦେଷ୍ଟା ସନାତନ ସାମଲ ସମ୍ୟକ ସୂଚନା ଦେଇଥିଲେ ।

ଅନୁଷ୍ଠାନର ପ୍ରତିଷ୍ଠାତା ସ୍ବର୍ଗତ ପରମାନନ୍ଦ ସାହୁଙ୍କ ଉଦ୍ଦେଶ୍ୟରେ କଲେଜ ପରିସରରେ ପରମାନନ୍ଦ କୁଟୀର ନିର୍ମାଣ କରିବାକୁ ସଙ୍ଘ ସଭାପତି ଶ୍ରୀ ପାଣି ଦୃଢୋକ୍ତିର ସହ କହିଥିଲେ ।

ଆୟୋଜିତ କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ, ପୁରାତନ ଛାତ୍ର ନଗେନ ବିନାୟକ, ରାଜେନ୍ଦ୍ର ପାତ୍ର, ପ୍ରଶାନ୍ତ ପାତ୍ର, ନକ୍ଷତ୍ର ଭୂଷଣ ନାଥ, ରୋହିତ ଖିଲାରଙ୍କ ସମେତ ଅନ୍ୟ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ପରିଶେଷରେ ସଙ୍ଘ ସମ୍ପାଦକ ଅମୂଲ୍ୟ କୁମାର ସାହୁ ଧନ୍ୟବାଦ ଅର୍ପଣ ସଭା ସାଙ୍ଗ କରିଥିଲେ ।


ସେୟାର କରନ୍ତୁ