ମମତା ଯୋଜନା: 2ଗୁଣ ହେଲା ସହାୟତା ରାଶି

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ବର: ମାତୃ ଓ ଶିଶୁ ଅପପୁଷ୍ଟି ହ୍ରାସ ପାଇଁ ଆରମ୍ଭ କରିଥିବା ‘ମମତା ଯୋଜନା’ର ସହାୟତା ରାଶିକୁ 2ଗୁଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ନିଷ୍ପତ୍ତି ଅନୁଯାୟୀ ଏହାକୁ 10 ହଜାର ଟଙ୍କା କରିଦିଆଯାଇଛି । ବର୍ତ୍ତମାନ ମମତା ଯୋଜନାରେ ଗର୍ଭବତୀ ମହିଳାମାନଙ୍କୁ 2ଟି କିସ୍ତିରେ 5 ହଜାର ଟଙ୍କା ପ୍ରଦାନ କରାଯାଉଥିଲା । 2023 ଅଗଷ୍ଟ ମାସରୁ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଏହି ବର୍ଦ୍ଧିତ ରାଶି ମିଳିବ । ଚଳିତ ଫେବୃୟାରୀ ମାସ 20 ରୁ 25 ତାରିଖ ମଧ୍ୟରେ ବକେୟା ରାଶି ହିତାଧିକାରୀମାନଙ୍କୁ ମିଳିବ ।

ନୂଆ ନିଷ୍ପତ୍ତି ଅନୁଯାୟୀ ମମତା ଯୋଜନାରେ 2ଟି କିସ୍ତିରେ ହିତାଧିକାରୀଙ୍କ ଜମା ଖାତାକୁ ସହାୟତା ରାଶି ସିଧାସଳଖ ଦିଆଯିବ । ପ୍ରଥମ କିସ୍ତିରେ (ଗର୍ଭାବସ୍ଥାର 6 ମାସ ପରେ) 6000 ଟଙ୍କା ଏବଂ ଦ୍ୱିତୀୟ କିସ୍ତିରେ ଶିଶୁକୁ ଦଶମାସ ହେବା ପରେ 400 ଟଙ୍କା ପ୍ରଦାନ କରାଯିବାର ବ୍ୟବସ୍ଥା ରଖାଯାଇଛି ।

19 ବର୍ଷରୁ ଊର୍ଦ୍ଧ୍ୱ ସବୁ ଗର୍ଭବତୀ ମହିଳା 2ଟି ଜୀବିତ ସନ୍ତାନ ନିମନ୍ତେ ଏହି ସହାୟତା ପାଇପାରିବେ । 13ଟି ନିର୍ଦ୍ଦିଷ୍ଟ ଆଦିମ ଜନଜାତି ଗୋଷ୍ଠୀର ମା’ ମାନଙ୍କୁ ପ୍ରତ୍ୟେକ ଗର୍ଭ ନିମନ୍ତେ ମମତା ସହାୟତା ରାଶି ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଛି ।

ସୂଚନା ଥାଉକି, 5ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲାଗସ୍ତ ସମୟରେ ବିଭିନ୍ନ ସ୍ଥାନରେ ମା’ ମାନେ ଏହି ସହାୟତା ରାଶି ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୁ ଏହା ଆସିବା ପରେ ମମତା ଯୋଜନାର ସହାୟତା ରାଶି ପରିମାଣକୁ ବୃଦ୍ଧି କରିଛନ୍ତି ।

ଏହି ଯୋଜନା ଆରମ୍ଭ ହେବାଠାରୁ ଏ ପର୍ଯ୍ୟନ୍ତ 60 ଲକ୍ଷରୁ ଊର୍ଦ୍ଧ୍ୱ ଗର୍ଭବତୀ ଓ ପ୍ରସୂତି ମା ଉପକୃତ ହେଉଛନ୍ତି । ଏଥି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ 2 ହଜାର 900 କୋଟି ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରାଯାଇଛି ।


ସେୟାର କରନ୍ତୁ