ବୀରତ୍ୱର ଅର୍ଥ ଶାରିରୀକ କିମ୍ବା ମାନସିକ ଇଚ୍ଛାଶକ୍ତି ନୁହେଁ, ଉଦ୍ଦେଶ୍ୟ ସବୁଠୁ ବଡ଼ ହେବା ଦରକାର– ଧର୍ମେନ୍ଦ୍ର ପ୍ରଧାନ

ରାଜ୍ୟ
ସେୟାର କରନ୍ତୁ

ସମ୍ବଲପୁର : ଅଗ୍ନିବୀରଙ୍କ ବୀରତ୍ୱ ଓ ମାନସିକ ଦୃଢତା ଦେଶର ଭବିଷ୍ୟତ ସହ ଯୋଡିହୋଇଛି । ବୀରତ୍ୱର ଅର୍ଥ କେବଳ ଶାରିରୀକ କିମ୍ବା ମାନସିକ ଇଚ୍ଛାଶକ୍ତି ନୁହେଁ । ଉଦ୍ଦେଶ୍ୟ ସବୁଠୁ ବଡ ହେବା ଦରକାର ବୋଲି ସମ୍ବଲପୁରରେ ବୀର ସୁରେନ୍ଦ୍ର ସାଏ ଡିଫେନ୍ସ ଟ୍ରେନିଂ ଏକାଡେମୀରେ ପ୍ରଶିକ୍ଷଣ ନେଉଥିବା ଅଗ୍ନିବୀର ମାନଙ୍କୁ ଭେଟିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ମହାନ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ବୀରତ୍ୱର ଜ୍ୱଳନ୍ତ ପ୍ରତୀକ ଥିଲେ । ବୀର ସୁରେନ୍ଦ୍ର ସାଏଙ୍କ ପାଖରେ ପ୍ରଚଣ୍ଡ ରାଷ୍ଟ୍ରପ୍ରେମ ସହ ଏକ ବଡ଼ ଉଦ୍ଦେଶ୍ୟ ଥିଲା । ଦେଶରୁ ବ୍ରିଟିଶ ଶକ୍ତିଙ୍କୁ ହଟାଇବା ଥିଲା ସୁରେନ୍ଦ୍ର ସାଏଙ୍କ ମୁଖ୍ୟ ଉଦ୍ଦେଶ୍ୟ । ସେ ଇଂରେଜମାନଙ୍କ ସହ ବୁଝାମଣା ନ କରି ସଂଗ୍ରାମ କରିଥିଲେ ଏବଂ ଶହୀଦ ହୋଇଥିଲେ । ସେ ସ୍ୱୟଂ ପାଇଁ ନୁହେଁ ସମୂହ ପାଇଁ ନିଜ ଜୀବନ ତ୍ୟାଗ କରିଥିଲେ । ସେହିପରି ଭାବରେ ତାଙ୍କ ବୀରତ୍ୱ ଓ ବିଚାରରେ ଅନୁପ୍ରାଣିତ ହୋଇ ଅଗ୍ନିବୀରର ଯୁବଶକ୍ତିମାନେ ଆଗାମୀ ଦିନରେ ଦେଶର ସୈନିକ ଶକ୍ତିକୁ ସୁଦୃଢ କରିବା ସହ ବିକଶିତ ଭାରତର ନେତୃତ୍ୱ ନେବେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆମ ଦେଶ ଏକ ମହାଶକ୍ତି ଭାବେ ପରିଗଣିତ ହେଉଛି । ଅଗ୍ନିପଥ ଯୋଜନା ରାଷ୍ଟ୍ର, ସେନା ଏବଂ ଆମର ଯୁବକମାନଙ୍କ ପାଇଁ ସଫଳ ହେଉଛି । ସମ୍ବଲପୁରରେ ବିଶେଷ ଭାବରେ ଅଗ୍ନିବୀରରେ ଭର୍ତ୍ତି ହେବା ପାଇଁ ନାରୀଶକ୍ତିଙ୍କ ଆଗ୍ରହ ମୋତେ ଉତ୍ସାହିତ କରିଛି । ସେନାରେ କିପରି ଅଧିକରୁ ଅଧିକ ଯୁବଶକ୍ତି ସାମିଲ ହୋଇ ଦେଶର ରକ୍ଷା ଦିଗରେ କାମ କରିପାରିବେ, ସେହି ଲକ୍ଷ୍ୟ ନେଇ ସେନାରେ ଅବସରର ବୟସ ସୀମା ହ୍ରାସ କରାଯାଇଛି । ଯୁବଶକ୍ତିଙ୍କୁ ଅଗ୍ନିବୀର ଭାବେ ଭର୍ତ୍ତି କରାଯାଉଛି । ଏହାର ସୁଯୋଗ ପ୍ରଶିକ୍ଷାର୍ଥୀ ମାନେ ନିଅନ୍ତୁ । ସୈନ୍ୟବାହିନୀରୁ ପୂର୍ବ ସୈନିକ ଭାବେ ଫେରିଲେ ଏଠାରେ ଲୋକେ ବହୁତ ସମ୍ମାନ ଦେବେ । କାରଣ ସୈନ୍ୟବାହିନୀରେ ଅଗ୍ନିବୀରମାନଙ୍କୁ ଶିଖାଯାଉଥିବା ଶୃଙ୍ଖଳା ଭବିଷ୍ୟତକୁ ସୁରକ୍ଷିତ ରଖେ । ପୂର୍ବ ସୈନିକ ଭାବେ ଅନେକ ସୁବିଧା ସୁଯୋଗ ପାଇବେ ।

ସେହିପରି ଏଠାରେ ପ୍ରଶିକ୍ଷଣ ନେଉଥିବା ଖେଳାଳି ମାନଙ୍କ ସହ ଆଲୋଚନା ବେଳେ କହିଛନ୍ତି, ସମ୍ବଲପୁର ହେଉଛି ଫୁଟବଲ, କବାଡି ପରି ସ୍ପୋର୍ଟସର ଏନ୍ତୁଡ଼ିଶାଳ । ୨୦୩୬ରେ ହେବାକୁ ଥିବା ଅଲମ୍ପିକ୍ସରେ ଯେପରି ସମ୍ବଲପୁର ପଦକ ଆଣିବ, ସେ ନେଇ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିବା । ଭାରତୀୟ ଦଳରେ ସାମିଲ ହୋଇ ସମ୍ବଲପୁରର ଖେଳାଳି ପଦକ ଆଣି ଜିଲ୍ଲା ଓ ଦେଶକୁ ଗୌରାବାନ୍ୱିତ କରିବେ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି ।

ଏହି କାର୍ଯ୍ୟକ୍ରମ ପରେ ଶ୍ରୀ ପ୍ରଧାନ ସମ୍ବଲପୁରରେ ସ୍କୁଟିରେ ବୁଲିବା ସହ ସ୍ଥାନୀୟ ଜନସାଧାରଣ ଓ ବ୍ୟବସାୟୀଙ୍କୁ ଭେଟି ସେମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଗୋଲବଜାର ବୈଦ୍ୟନାଥ ଛକରେ ପ୍ରମୋଦ ବାରିକଙ୍କ ଦୋକାନରେ କାର୍ଯ୍ୟକର୍ତ୍ତାଙ୍କ ସହ ଚା’ ପିଇଥିଲେ । ପ୍ରାୟ ୫୦ ବର୍ଷର ଏହି ପୁରୁଣା ଦୋକାନରେ ଅନେକ ବନ୍ଧୁ ମାନଙ୍କୁ ଭେଟି ଖୁସିବ୍ୟକ୍ତ କରିଥିଲେ କେନ୍ଦ୍ରମନ୍ତ୍ରୀ । ଏହି ଅବସରରେ ସାଧାରଣ ବ୍ୟକ୍ତିଙ୍କ ପରି କେନ୍ଦ୍ରମନ୍ତ୍ରୀ ବିଭିନ୍ନ ଦୋକାନରୁ ସାମଗ୍ରୀ କିଣାକିଣି କରିବା ସହ ଆତିଥେୟତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।


ସେୟାର କରନ୍ତୁ