3 ଦିନ ପ୍ରବଳ ବର୍ଷା

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ବର: ଉତ୍ତର ବଙ୍ଗୋପସାଗର ଓ ବାଂଲାଦେଶ-ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ଲଘୁଚାପ ଦକ୍ଷିଣ ବାଂଲାଦେଶ ଅଞ୍ଚଳରେ ସ୍ଥିର ରହିଛି । ଯାହା ଫଳରେ ସମୁଦ୍ର ପତ୍ତନ ଠାରୁ 7 କିମି ଉପରେ ବାତ୍ୟାକ୍ଷେତ୍ର ସୃଷ୍ଟି ହେବା ସହ ଦକ୍ଷିଣ-ପଶ୍ଚିମ ଆଡ଼କୁ ଢଳି ରହିଛି । ଏହା କ୍ରମଶଃ ଉତ୍ତର ଓ ଉତ୍ତର-ପଶ୍ଚିମ ଆଡ଼କୁ ଗତି କରିବା ସମ୍ଭାବନା ରହିଛି । ଏହାର ପ୍ରଭାବରେ 19 ତାରିଖ ସୁଦ୍ଧା ବାଂଲାଦେଶ ଓ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଏକ ବଡ଼ ଲଘୁଚାପ ବଳୟ ସୃଷ୍ଟି ହେବ। ଫଳରେ ରାଜ୍ୟରେ 20 ତାରିଖ ଯାଏଁ ପ୍ରବଳ ବର୍ଷା ହେବ। ଏଥିପାଇଁ 6 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର । 21 ତାରିଖରୁ ବର୍ଷାର ପରିମାଣ ହ୍ରାସ ପାଇବ ବୋଲି ସୂଚନା ମିଳିଛି ।

ଆଜି ସକାଳ 8ଟା 30ରୁ ସନ୍ଧ୍ୟା 5ଟା 30 ମଧ୍ୟରେ ତାଳଚେରରେ ସର୍ବାଧିକ 55 ମିମି ବର୍ଷା ହୋଇଥିବା ବେଳେ ରାଉରକେଲାରେ 37.4, ସୁନ୍ଦରଗଡ଼ରେ 27.7, ବଲାଙ୍ଗୀରରେ 25.5, ଅନୁଗୁଳରେ 22, ଭଦ୍ରକରେ 14, ସୋନପୁରରେ 13.8, ଗୋପାଳପୁରରେ 13.6, କଟକରେ 12.2 ଓ ମାଲାକନଗିରିରେ 11.4 ମିମି ବର୍ଷା ରେକର୍ଡ କରାଯାଇଛି । 10ରୁ ଊର୍ଦ୍ଧ୍ବ ସହରରେ ବର୍ଷା ପରିମାଣ 10 ମିମି ଠାରୁ କମ୍‌ ରେକର୍ଡ କରାଯାଇଛି ।

18 ତାରିଖରେ ପ୍ରବଳ ବର୍ଷା ପାଇଁ ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। 19 ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ଦେବଗଡ଼ ଓ କେନ୍ଦୁଝର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

20 ତାରିଖ ପାଇଁ ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାକୁ ସତର୍କ ସୂଚନା ଜାରି ହୋଇଛି । 21 ପରେ ବର୍ଷାର ପରିମାଣ କମିବ । ଅନ୍ୟପଟେ ଚଳିତ ମୌସୁମୀରେ 760.0 ମିମି ସ୍ୱାଭାବିକ ବର୍ଷା ହେବା କଥା । କିନ୍ତୁ 680.5 ମିମି ବର୍ଷା ହୋଇଛି । ଏହା 10 ପ୍ରତିଶତ ନିଅଣ୍ଟିଆ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି ।


ସେୟାର କରନ୍ତୁ