କାମାକ୍ଷାନଗର : ସ୍ଥାନୀୟ ମଠକରଗୋଳା ମହାବିଦ୍ୟାଳୟରେ ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ସହାୟତା କ୍ରମେ ଛାତ୍ରୀ ମାନଙ୍କ ନିମନ୍ତେ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ ହୋଇଯାଇଛି । ମହାବିଦ୍ୟାଳୟର ଶକ୍ତି ଶ୍ରୀ ସଶକ୍ତିକରଣ କେନ୍ଦ୍ର ଆନୁକୁଲ୍ୟରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଚିତ୍ତ ରଞ୍ଜନ ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ଛାତ୍ରୀମାନଙ୍କୁ ପ୍ରଶିକ୍ଷଣ କିପରି ସଶକ୍ତ ହେବାକୁ ସହାୟତା ପ୍ରଦାନ କରିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ମାନସିକ ସ୍ତରରେ ଦୃଢ଼ ହେବା ସହ ଆତ୍ମରକ୍ଷା କୌଶଳ ଶିକ୍ଷା ଅପରିହାର୍ଯ୍ୟ ବୋଲି ଅଧ୍ୟକ୍ଷ ଶ୍ରୀ ଦାଶ ମତବ୍ୟକ୍ତ କରିଥିଲେ ।
ମୂଖ୍ୟ ବକ୍ତା ଭାବେ ଯୋଗଦେଇ ବାଣିଜ୍ୟ ବିଭାଗର ମୂଖ୍ୟ ଅଧ୍ୟାପକ ସୁଧାଂଶୁ ଶେଖର ପାତ୍ର ଆତ୍ମରକ୍ଷା ପ୍ରଶିକ୍ଷଣ ଏବଂ ନାରୀ ସଶକ୍ତିକରଣର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ । ସମ୍ମାନିତ ଅତିଥି ଇଂରାଜୀ ବିଭାଗର ମୂଖ୍ୟ ଅଧ୍ୟାପିକା ସ୍ଵପ୍ନିତା ରାଉତ ଆଧୁନିକ ସମାଜରେ ସଶକ୍ତ ନାରୀର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ଶକ୍ତି ଶ୍ରୀ ସଂଯୋଜିକା ଅଧ୍ୟାପିକା ଶୁଭ ସ୍ମିତା ବିଶ୍ଵାଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରିଥିଲେ ।
ଇତିହବିଭାଗର ମୂଖ୍ୟ ଅଧ୍ୟାପିକା ସବିତା ଦେହୁରୀ ଅନ୍ୟତମ ବକ୍ତା ଭାବେ ଯୋଗଦେଇ ନାରୀ ସମାଜ ର ଐତିହାସିକ ଭିତ୍ତିଭୂମି ଉପରେ ଆଲୋକପାତ କରିବା ସହ ସୁସ୍ଥ ସମାଜ ଗଠନ ନିମନ୍ତେ ଆଦର୍ଶ ନାରୀ ର ଭୂମିକା ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ପ୍ରାଣୀ ବିଜ୍ଞାନ ବିଭାଗର ମୂଖ୍ୟ ଅଧ୍ୟାପିକା ବିଦ୍ୟାବତୀ ରାଜୀନ୍ଦ୍ର ପ୍ରତିକୁଳ ପରିସ୍ଥିତିକୁ ମୁକାବିଲା କରିବାରେ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଛାତ୍ରୀ ମାନଙ୍କର ମନୋବଳକୁ ଦୃଢ଼ କରିବାରେ ସହାୟକ ହେବ ବୋଲି ମତ ରଖିଥିଲେ ।
ପ୍ରଶିକ୍ଷଣ ସଂଯୋଜିକା ଅଧ୍ୟାପିକା ଅର୍ଚ୍ଚିତା ମହାମାନସିଂ ଛଅ ଦିନ ଧରି ଚାଲିବାକୁ ଥିବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ନିର୍ଘଣ୍ଟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ପ୍ରଶିକ୍ଷିକା ପିନାକ୍ଷୀ ସ୍ଵାଇଁ ପାଠ୍ୟକ୍ରମ ବିଷୟରେ ବିବରଣୀ ପ୍ରଦାନ କରିବା ସହ ପ୍ରଶିକ୍ଷାର୍ଥୀଙ୍କୁ ସଶକ୍ତ ହେବାକୁ ଆହ୍ବାନ ଦେଇଥିଲେ । ଅଧ୍ୟାପିକା ବିଜୟିନୀ ଲେଙ୍କା ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ । ଅଧ୍ୟାପିକା ଦିପ୍ତିମୟୀ ସାହୁ ରଶ୍ମିତା ଖୁଣ୍ଟିଆ, ରୋଜାଲିନ୍ ପୃଷ୍ଟି ଓ ଫକୀର ମୋହନ ଲେଙ୍କା ପ୍ରମୁଖ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ସଫଳତାରେ ସହାୟତା ପ୍ରଦାନ କରିଥିଲେ । ଏଥିରେ ଯୁକ୍ତ ତିନି ଶ୍ରେଣୀର ଅଶୀ ଜଣ ଛାତ୍ରୀ ପ୍ରଶିକ୍ଷଣରେ ଅଂଶଗ୍ରହଣ କରିଥିଲେ ।