ପଳାଶୁଣିରେ ରାତି ଅଧିଆ ମଦ ବନ୍ଦ….ବନ୍ଧା ହେଲା ମଦ ବେପାରୀ ହାଡିଆ…

ଅପରାଧ
ସେୟାର କରନ୍ତୁ

ଭୁବନେଶ୍ୱର: ପଳାଶୁଣି ଅଞ୍ଚଳରେ କେହି ରାତି ଅଧିଆ ମଦ ଚାହୁଁଛନ୍ତି କି? ଏଣିକି ଆଉ ବିଳମ୍ବିତ ରାତିରେ ମଦ ମିଳିବା ବନ୍ଦ । କାରଣ ରାତି ୧୧ଟା ପରେ ଏଠାରେ ମଦ ବେପାରୀ ହାଡିଆର ମଦ କାରବାର ରାଜ ଚାଲେ । କମିଶନରେଟ ପୁଲିସ ସବୁ ଜାଣିବି ହାତ ବାନ୍ଧି ବସେ । ହେଲେ ଏହି ଏରିଆରେ ରାତି ଅଧିଆ ମଦ ମିଳିବା ବନ୍ଦ ହୋଇଛି । କାରଣ ମଞ୍ଚେଶ୍ୱର ଥାନା ପୁଲିସ ମଦ ବେପାରୀ ତଥା ଦୁର୍ଦ୍ଦାନ୍ତ ଅପରାଧି ହାଡିଆ ରାଉତରାୟକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ପୂର୍ବରୁ ବହୁ ବାର ପୁଲିସ ହାତରେ ଧରାପଡିଛି ହାଡିଆ । ଜେଲ ବି ଯାଇଛି । ହେଲେ ସବୁଥର ଜାମିନରେ ଆସିବା ପରେ ସେ ତାର ମଦ ବେପାରରେ ଲାଗିପଡେ । ହେଲେ ଏବେ ଆଉ ନୁହେଁ । ଗତକାଲି ଜଣେ ଯୁବକକୁ ହତ୍ୟା କରିବା ମାମଲାରେ ତାକୁ ପୁଲିସ ବାନ୍ଧିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହାଡିଆ ଯୁବକଙ୍କୁ ଛୁରାମାଡ କରିଥିବା ପୁଲିସ ସୂଚନା ଦେଇଛି । ତାଠାରୁ ପୁଲିସ ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ଓ ବାଇକ ଜବତ କରିଛି । ତା’ର ଅନ୍ୟ ଜଣେ ସହଯୋଗୀକୁ ପୁଲିସ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି ।

ଗତ ଫେବୃୟାରୀ ୨୦ ତାରିଖରେ ହାଡିଆ ନିଜ ଭାଇ ଘରେ ନିଆଁ ଲଗାଇ ଦେବା ସହ ପିପିଲିରେ ରହୁଥିବା ଭଉଣୀଙ୍କୁ ଗୁଳି କରିଥିଲା । ଏତେ ସବୁ ଘଟଣା ଘଟିଲା ପରେ ବି ମଞ୍ଚେଶ୍ୱର ପୁଲିସ ତାକୁ ଗିରଫ ନ କରିବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ପୁଲିସ ସୂଚନା ମୁତାବକ, ଗତକାଲି ମୃତ୍ୟୁବରଣ କରିଥିବା ଧୋବା ଗତ କିଛି ବର୍ଷ ହେବ ଅଭିଯୁକ୍ତ ହାଡିଆ ପାଖରେ କାମ କରୁଥିଲା । ଏପରିକି ହାଡିଆ ଚୋରା ମଦ ବ୍ୟବସାୟରେ ସେ ସହଯୋଗ କରୁଥିଲା । ହେଲେ କୌଣସି କାରଣରୁ କିଛି ଦିନ ହେବ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗି ରହିଥିଲା ।

ଗତ ଫେବ୍ରୁଆରୀ ମାସରେ ପାରିବାରିକ ଗଣ୍ଡଗୋଳ ପରେ ହାଡିଆ ଫେରାର ରହିଥିଲା । ଯାହାର ଭରପୁର ଫାଇଦା ଉଠାଇଥିଲା ଧୋବା । ଧୋବା ନିଜେ ଚୋରା ମଦ ବେପାର ଆରମ୍ଭ କରିଥିଲା । ଭଲ ବେପାର ହେଉଥିବାର ଦେଖି ହାଡିଆର ପତ୍ନୀ ଓ ଝିଅ ଧୋବାକୁ ଲାଭ ଟଙ୍କା ଦେବାକୁ କହିଥିଲେ । ହେଲେ ଧୋବା ସେମାନଙ୍କ କଥା ଶୁଣିନଥିଲା । ପରେ ରାଗ ରଖି ସେମାନଙ୍କୁ ଗାଳିଗୁଲଜ କରିଥିଲା ।

ଏସବୁ ସହି ନପାରି ପରିବାର ଲୋକ ଧୋବା ବିଷୟରେ ହାଡିଆକୁ ଜଣାଇଥିଲେ । ଏକଥା ଶୁଣି ହାଡିଆ ରକ୍ତମୁଖା ହୋଇଥିଲା । ଧୋବାକୁ ଠାବ କରିବା ପାଇଁ ହାଡିଆ ଯୋଜନା କରିଥିଲା । ଗତକାଲି ଧୋବା ପଳାଶୁଣି ମଦ ଦୋକାନ ନିକଟକୁ ମଦ କିଣିବାକୁ ଆସିଥିଲା । ଏହି ସମୟରେ ହାଡିଆ ହେଲମେଟ ପିନ୍ଧି ତା’ ନିକଟରେ ପହଞ୍ôଚଥିଲା । ପରିବାର ଲୋକଙ୍କୁ ଗାଳି କରିବା ସମ୍ପର୍କରେ ପଚାରିବାରୁ ଉଭୟଙ୍କ ମଧ୍ୟରେ ପ୍ରଥମେ କଥା କଟାକଟି ପରେ ହାତାହାତି ହୋଇଥିଲା । ଏଥିରେ ରାଗିଯାଇ ହାଡିଆ ପାଖରେ ରଖିଥିବା ଛୁରୀରେ ତା’ ପେଟକୁ ବାରମ୍ବାର ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ହିଁ ଧୋବାର ମୃତ୍ୟୁ ହୋଇଥିଲା ।


ସେୟାର କରନ୍ତୁ