ମାନବ ଚାଲାଣ ଘଟଣା…ଜେଲ ଗଲେ ଦୁଇ ଦଲାଲ

ଅପରାଧ
ସେୟାର କରନ୍ତୁ

ଭୁବନେଶ୍ୱର: ମାନବ ଚାଲାଣ ଘଟଣାରେ ଦଲାଲ ପ୍ରମୋଦ କୁମାର ମହାରଣା ଓ ଅସ୍ଗର ଅଲ୍ଲୀ ସୟଦଙ୍କୁ କମିଶନରେଟ ପୁଲିସ ରିମାଣ୍ଡରେ ଆଣିଥିବା ଅବଧି ଗତକାଲି ଶେଷ ହୋଇଛି । ଅଭିଯୁକ୍ତ ଦ୍ୱୟକୁ ଆଜି ସ୍ଥାନୀୟ କୋର୍ଟରେ ହାଜର କରାଯାଇ ଜେଲ ପଠାଇ ଦିଆଯାଇଛି । ସେମାନଙ୍କୁ ଜେରା ବେଳେ ଖଣ୍ଡଗିରି ପୁଲିସ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଥିବା ଜଣାପଡିଛି ।

ଏହି ଗ୍ୟାଙ୍ଗରେ ୨୦ ରୁ ୩୦ ଜଣ ଦଲାଲ କାମ କରୁଥିବା ସୂଚନା ମିଳିଛି । ସେମାନଙ୍କୁ ମୋଟା ଅଙ୍କର ଅର୍ଥ ଦିଆଯାଉଥିବାରୁ ସେମାନେ ଗାଁ ଗାଁ ବୁଲି ବେକାର ଯୁବକମାନଙ୍କୁ ଦୁବାଇ ଯିବାକୁ ନାନା ପ୍ରକାରର ପ୍ରଲୋଭନ ଦେଖାନ୍ତି । ଗ୍ୟାଙ୍ଗର ସହଯୋଗୀଙ୍କୁ ଧରିବା ପାଇଁ ଏକ ଟିମ ଚଢ଼ଉ ଜାରି ରଖିଛି ।

ଗତ ସୋମବାର ଖଣ୍ଡଗିରି ଥାନା ପୁଲିସ କୋଳଥିଆରେ ଥିବା ଏକ ଗେଷ୍ଟ ହାଉସରେ ଚଢ଼ଉ କରି ୬ଜଣଙ୍କୁ ଗିରଫ କରିଥିଲା । ସେମାନଙ୍କ ନିକଟରୁ ପୁଲିସ ୭୫ଟି ଭାରତୀୟ ପାସପୋର୍ଟ, ବିଭିନ୍ନ ଜାଲ ଟୁର ଆଣ୍ଡ ଟ୍ରାଭେଲ୍ସର ଭିଜିଟିଙ୍ଗ କାର୍ଡ, ୨ ଶହ ଜଣ ଆବେଦନକାରୀଙ୍କ ବାୟୋ-ଡାଟା, ପ୍ୟାନ୍ କାର୍ଡ, ଭୋଟ ପରିଚୟପତ୍ର ଓ ଆଧାର କାର୍ଡ ଆଦି ଜବତ କରିଥିଲା । ଅଭିଯୁକ୍ତମାନେ ମାନବ ଚାଲାଣ କରୁଥିବା ପୁଲିସ ଜେରା ବେଳେ ଜାଣିବାକୁ ପାଇଛି ।


ସେୟାର କରନ୍ତୁ