୫୫୦୦ ଟଙ୍କା ଦାଖଲ କର, ରେଳବାଇରେ ଚାକିରି କରିବ କହି ଠକେଇ, ୭ଅଟକ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ୫ହଜାର ୫୦୦ଟଙ୍କା ଦାଖଲ କର, ରେଳବାଇରେ ଚାକିରି ମିଳିବ । ଖାଲି ତାହା ନୁହେଁ ମାସକୁ ୧୦ହଜାରରୁ ଅଧିକ ଟଙ୍କା ଦରମା ପାଇବାର ଆଳ ଦେଖାଇ ବହୁ ଆବେଦନକାରୀଙ୍କୁ ଠକିବା ଅଭିଯୋଗରେ କମିଶନରେଟ ପୁଲିସ ୭ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ଅଟକମାନଙ୍କ ଭିତରୁ ଜଣେ ମହିଳା ଥିବା ପୁଲିସ ସୂଚନା ଦେଇଛି । ଘଟଣାରେ ସଂପୃକ୍ତ ମାଷ୍ଟରମାଇଣ୍ଡକୁ ଧରିବା ପାଇଁ ପୁଲିସ ଛାନଭିନ ଜାରି ରଖିଛି । ଏଥିସହ ଠକେଇ ସମ୍ପର୍କିତ ତଥ୍ୟ ହାସଲ କରିବା ପାଇଁ ପୁଲିସ ବିଭିନ୍ନ ଜିଲ୍ଲାରୁ ଆସିଥିବା ୮ଜଣ ଆବେଦନକାରୀଙ୍କୁ ଥାନାରେ ଅଟକ ରଖି ସେମାନଙ୍କର ବୟାନ ରେକର୍ଡ କରୁଥିବା ଜଣାପଡିଛି ।

ପୁଲିସ ସୂଚନା ଅନୁଯାୟୀ, ବେକାର ଯୁବକଯୁବତୀଙ୍କୁ ରେଳବାଇରେ ଚାକିରି ଦେବା ପାଇଁ କିଛି ବ୍ୟକ୍ତି ସହିଦନଗର ଥାନା ଅଧୀନ କୋରଡ଼କଣ୍ଟାରେ ଏକ ସଂସ୍ଥା କାର୍ଯ୍ୟାଳୟ ଖୋଲିଥିଲେ । ଯାହାର ନାଁ ଥିଲା ୟୁନିଭର୍ସାଲ ରେଲ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ଼ । ସଂସ୍ଥାର କର୍ମକର୍ତ୍ତା ଏଥିପାଇଁ ଖବରକାଗଜରେ ବିଜ୍ଞାପନ ମଧ୍ୟ ଦେଇଥିଲେ । ଯେଉଁଥିରେ ଲେଖା ଥିଲା ଯେ କୌଣସି ଯୁବକଯୁବତୀ ରେଳବାଇରେ ଚାକିରି କରିବାକୁ ଇଚ୍ଛୁକ ସେମାନେ ଏକ ଫର୍ମ ପୁରଣ କରିବା ସହ ୫ହଜାର ୫୦୦ ଟଙ୍କା ଦାଖଲ କରିବେ ।

ଚାକିରି ବିଷୟରେ ଜାଣି ବହୁ ବେକାର ଯୁବକଯୁବତୀ ଏଥିପାଇଁ ଅବେଦନ କରିଥିଲେ । ହେଲେ ସଠିକ ସମୟରେ ସଂସ୍ଥା ପକ୍ଷରୁ କୌଣସି ଉତ୍ତର ନଆସିବାରୁ ଆବେଦନକାରୀ ଠକେଇର ଶୀକାର ହୋଇଥିବା ଜାଣିବାକୁ ପାଇଥିଲେ ଏବଂ ପୁଲିସକୁ ଖବର ଦେଇଥିଲେ । ସହିଦନଗର ଥାନା ପୁଲିସ ଓ ସ୍ପେଶାଲ ସ୍କ୍ୱାଡ ଆଜି ସଂସ୍ଥାର କୋରଡ଼କଣ୍ଟା କାର୍ଯ୍ୟାଳୟରେ ଚଢ଼ଉ କରି ୭ଜଣ କର୍ମକର୍ତ୍ତାଙ୍କୁ ଅଟକ ରଖିଛି ।


ସେୟାର କରନ୍ତୁ