ଡେଲାଙ୍ଗ ସରପଂଚଙ୍କ ନିଲମ୍ବନ ପଛରେ ରାଜନୈତିକ ଚକ୍ରାନ୍ତ ଅଭିଯୋଗ ! ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର କରି ମନ୍ତ୍ରୀଙ୍କୁ ଖୁସି କରୁଛନ୍ତି ଅତିରିକ୍ତ ସଚିବ

ରାଜ୍ୟ
ସେୟାର କରନ୍ତୁ

ପୁରୀ: ନିଲମ୍ବିତ ସରପଂଚଙ୍କୁ ପୁନଃଅବସ୍ଥାପିତ କରିବା ପାଇଁ ପଂଚାୟତିରାଜ ବିଭାଗକୁ ନିର୍ଦ୍ଦେଶ ଦେଲେ ଉଚ୍ଚତମ ନ୍ୟାୟାଳୟ । ହେଲେ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବେ କଣ ବରଂ ସେ ନିର୍ଦ୍ଦେଶନାମାକୁ ମୋଡି ମକଚି ଫିଙ୍ଗି ଦେଇଛି ବିଭାଗ । କେବଳ ବିଭାଗୀୟ ମନ୍ତ୍ରୀଙ୍କୁ ଖୁସି କରିବାକୁ ଯାଇ ଏମିତି ଗେମ ଖେଳିଛନ୍ତି ପଂଚାୟତିରାଜ ବିଭାଗର ଅତିରିକ୍ତ ସଚିବ ବିଜୟ କୁମାର ରଥ । ଯାହାକୁ ନେଇ ଏବେ ପିପିଲି-ଡେଲାଙ୍ଗ ରାଜନୀତି ଉଠୁଛି ପଡୁଛି ।

ପୁରା ଘଟଣାଟି ଏମିତି । ୧୨ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଚାଇଁପୁର ଗ୍ରାମପଂଚାୟତର ସରପଂଚ ପ୍ରଦ୍ୟୁମ୍ନ ପରିଡାଙ୍କୁ ନିଲମ୍ବନ କରାଯାଇଥିଲା । ଗତ ୨୬.୧୦.୨୦୧୭ରେ ପ୍ରଦ୍ୟୁମ୍ନଙ୍କୁ ନିଲମ୍ବନ କରିଥିଲା ପଂଚାୟତିରାଜ ବିଭାଗ । ସ୍ୱତନ୍ତ୍ର ଅଡିଟ୍ ସମୟରେ ହେରାଫେରି ହୋଇଥିବା ଅଭିଯୋଗରେ ତାଙ୍କୁ ନିଲମ୍ବନ କରାଯାଇଥିଲା ହେଲେ ଏହା ପଛରେ କୌଣସି ହେରାଫେରି ନୁହେଁ ବରଂ ରାଜନୈତିକ ଷଡଯନ୍ତ୍ର ଥିବା ଏବେ ଚର୍ଚ୍ଚା ହେଉଛି । କାରଣ ଚାଇଁପୁର ପଂଚାୟତର ସ୍ୱତନ୍ତ୍ର ଅଡିଟ୍ ୩୧.୦୭.୨୦୧୭ ଠାରୁ ଆରମ୍ଭ ହୋଇ ୨୮.୧୦.୨୦୧୭ ପର୍ଯ୍ୟନ୍ତ ଚାଲିବ ବୋଲି ପଂଚାୟତିରାଜ ବିଭାଗ କରିଥିବା ଚିଠିରେ ଉଲ୍ଲେଖ ରହିଛି । ଚିଠିରେ ଏହି ଅଡିଟ୍ ନେଇ ସରପଂଚ ଥିବା ପ୍ରଦ୍ୟୁମ୍ନ ପରିଡାକୁ ଅବଗତ କରାଯିବା ପାଇଁ ଲିଖିତ ଥିଲେ ବି ନା ଜିଲ୍ଲା ପ୍ରଶାସନ ନା ବ୍ଲକ ପ୍ରଶାସନ ତାଙ୍କୁ ଅବଗତ କରି ନଥିବା ପ୍ରଦ୍ୟୁମ୍ନ କହିଛନ୍ତି ।

ତେବେ ସବୁଠୁ ରୋଚକ କଥାଟି ହେଉଛି ୨୮ ଅକ୍ଟୋବରରେ ଅଡିଟ୍ ଶେଷ ହେବାର ଦୁଇଦିନ ପୂର୍ବରୁ ଅକ୍ଟୋବର ୨୬ରେ ପ୍ରଦ୍ୟୁମ୍ନଙ୍କୁ ନିଲମ୍ବନ କରାଗଲା । ଟଙ୍କା ହେରଫେର ନେଇ ଜିଲ୍ଲାପାଳ ପଂଚାୟତିରାଜ ବିଭାଗକୁ ଲେଖିଥିବା ଚିଠି ବଳରେ ତାଙ୍କୁ ନିଲମ୍ବନ କରାଯାଇଥିଲା । ହେଲେ ପ୍ରଶ୍ନ ଉଠିବା ସ୍ୱାଭାବିକ କଥା, ଅଡିଟ୍ ଶେଷ ହେବାର ୨ ଦିନ ପୂର୍ବରୁ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ କେମିତି ଜାଣିଲେ ସରକାରୀ ଅର୍ଥ ଏଠାରେ ତୋଷରପାତ ହୋଇଛି ବୋଲି । ଯଦି ଜିଲ୍ଲାପାଳ ବିନା ଅଡିଟରେ ଏହା ଜାଣିପାରିଲେ ତାହେଲେ ସରକାରୀ ଖର୍ଚ୍ଚରେ ଅଡିଟ କାହିଁକି କରାଯାଇଥିଲା ବୋଲି ପ୍ରଶ୍ନ ଉଠିଛି ।

ଏବେ ଆସିବା ମଂଜି କଥାକୁ । ରାଜନୈତିକ ଅଭିସନ୍ଧି ତଥା ଷଡଯନ୍ତ୍ର କରି ତାଙ୍କୁ ନିଲମ୍ବନ କରାଯାଇଥିବା ଅଭିଯୋଗ ଆଣି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପ୍ରଦ୍ୟୁମ୍ନ ପରିଡା । ପଂଚାୟତିରାଜ ବିଭାଗ ଠାରୁ ମାମଲା ସମ୍ବନ୍ଧୀୟ ବିଷଦ ବିବରଣୀ ଜାଣିବାକୁ ଚାହିଁଥିଲେ କୋର୍ଟ । ହେଲେ ବିଭାଗୀୟ ଅଧିକାରୀ କୌଣସି ସନ୍ତୋଷଜନକ ଉତ୍ତର ନଦେବାରୁ ହାଇକୋର୍ଟ ବିରକ୍ତି ପ୍ରକାଶ କରିବା ସହ ଆଗାମୀ ମାସକ ଭିତରେ ବିଭାଗୀୟ ତଦନ୍ତ ଶେଷ ନହେଲେ, ପିଟିସନର ଅର୍ଥାତ ପ୍ରଦ୍ୟୁମ୍ନ ପରିଡାଙ୍କୁ ସରପଂଚ ପଦବୀରେ ପୁନଃଅବସ୍ଥାପିତ କରାଯିବା ସହ ବିଭାଗୀୟ ତଦନ୍ତ ଯଥାପୂର୍ବ ଚାଲୁ ରହିବ ବୋଲି ଗତ ୨୭.୦୩.୨୦୧୮ରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ପଂଚାୟତିରାଜ ବିଭାଗକୁ ନିର୍ଦ୍ଦେଶ ଦେଲେ ।

ହେଲେ ଏହି ନିର୍ଦ୍ଦେଶ ମାନିବାକୁ ନାରାଜ ପଂଚାୟତିରାଜ ବିଭାଗ । ଏପରିକି ଏହି ନିର୍ଦ୍ଦେଶନାମାର ଠିକ ମାସକ ପରେ ଅର୍ଥାତ ୨୮.୦୪.୨୦୧୮ରେ ପଂଚାୟତିରାଜ ବିଭାଗର ଅତିରିକ୍ତ ସଚିବ ବିଜୟ କୁମାର ରଥଙ୍କୁ ନ୍ୟାୟାଳୟଙ୍କ ନିର୍ଦ୍ଦେଶନାମା କାର୍ଯ୍ୟକାରୀ କରିବା ସହ ସରପଂଚ ଭାବେ ପୁନଃଅବସ୍ଥାପିତ କରିବାକୁ ଚିଠି ଲେଖି ଜଣାଇଲେ ପ୍ରଦ୍ୟୁମ୍ନ । କିନ୍ତୁ କିଛି ଶୁଣିଲାନି ବିଭାଗ । ବରଂ ନ୍ୟାୟାଳୟଙ୍କ ବଦଳରେ ମନ୍ତ୍ରୀଙ୍କୁ ବିଶ୍ୱାସକୁ ନେଲା ବିଭାଗ ।

ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବେ କଣ ଓଲଟି ପଂଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ପାଖରେ ମାମଲାର ଶୁଣାଣୀ କରିବାକୁ ଚାହିଁଛନ୍ତି ବିଭାଗୀୟ ଅତିରିକ୍ତ ସଚିବ ବିଜୟ କୁମାର ରଥ । ୧୩.୦୬.୨୦୧୮ ଦିନ ସାଢ଼େ ୧୧ଟା ବେଳେ ସଚିବାଳୟରେ ଥିବ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଚ୍ୟାମ୍ବରରେ ଏନେଇ ହାଜର ହେବାକୁ ପ୍ରଦ୍ୟୁମ୍ନଙ୍କୁ ଚିଠି ଜରିଆରେ ଜଣାଇଥିଲେ ଅତିରିକ୍ତ ସଚିବ । ସଚିବାଳୟରେ ପ୍ରଦ୍ୟୁମ୍ନ ହାଜର ହୋଇଥିଲେ ବି ମାମଲା କୋର୍ଟରେ ବିଚରାଧିନ ଥିବାରୁ କିଛି କାଗଜାତ ଦେଇପାରିବେ ନାହିଁ ଓ ଯାହା ଦେବା କଥା କୋର୍ଟରେ ଦେଇଛନ୍ତି ବୋଲି କହିଥିଲେ । ଏହାସହ ହାଇକୋର୍ଟଙ୍କ ଅର୍ଡର କାହିଁକି କାର୍ଯ୍ୟକାରୀ ହେଉନାହିଁ ବୋଲି ଜାଣିବାକୁ ଚାହିଁଥିଲେ ବି ମନ୍ତ୍ରୀ ଚୁପ ରହିଥିଲେ ।

ନିଲମ୍ବିତ ସରପଂଚ ଜଣକ ହେଉଛନ୍ତି ଖୋଦ ମନ୍ତ୍ରୀ ମହାରଥୀଙ୍କ ନିଜ ନିର୍ବାଚନମଣ୍ଡଳୀର । ଡେଲାଙ୍ଗ ନିର୍ବାଚନ ମଣ୍ଡଳୀରେ ବିରୋଧୀ କଂଗ୍ରେସ ଦଳର ଜଣେ ଲଢ଼ୁଆ କର୍ମୀ ଭାବେ ନିର୍ବାଚନରେ ଆମ୍ନା ସାମ୍ନା ହୁଏ ପ୍ରଦ୍ୟୁମ୍ନ ଆଉ ପ୍ରଦୀପଙ୍କର । ଏପରିସ୍ଥଳେ, ମନ୍ତ୍ରୀଙ୍କ ପ୍ରକୋଷ୍ଠରେ ପ୍ରଦ୍ୟୁମ୍ନଙ୍କୁ କାହିଁକି ଶୁଣାଣୀ ପାଇଁ ଡକାଯାଇଥିଲା ତାର ଉତର କାହା ପାଖରେ ନାହିଁ । ମାନ୍ୟବର ହାଇକୋର୍ଟ ସଫା ସଫା କହିଛନ୍ତି, ଏକମାସ ଭିତରେ ତଦନ୍ତ ଶେଷ ନହେଲେ ପିଟିସନର ପୁନଃଅବସ୍ଥାପିତ ହେବେ, ହେଲେ ନିର୍ଦ୍ଦେଶନାମାର ଅଢ଼େଇମାସ ପରେ ମନ୍ତ୍ରୀଙ୍କୁ ୟା ଭିତରକୁ କାହିଁକି ଟାଣିଲେ ବିଭାଗୀୟ ଅତିରିକ୍ତ ସଚିବ ରଥବାବୁ , ତାହା ବି ବୁଝା ପଡୁନାହିଁ ।

ମନ୍ତ୍ରୀ ନିଜେ ପ୍ରଦ୍ୟୁମ୍ନଙ୍କ ମାମଲାର ଶୁଣାଣୀ ପାଇଁ ଚାହିଁଥିଲେ ନା ରଥବାବୁ ମାମଲାଟା ଗୋଳମାଳ କରୁଛନ୍ତି ତା ବି ବୁଝାପଡୁନି । କିନ୍ତୁ ଗୋଟିଏ କଥା ତ ସ୍ପଷ୍ଟ, ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବିଭାଗ କାର୍ଯ୍ୟକାରୀ ନକରିବା ପଛରେ କିଛି ତ ଗୋଟିଏ କେଁ ରହିଛି । ଯାହା ଜାଣିଛନ୍ତି ବିଭାଗୀୟ ଅତିରିକ୍ତ ସଚିବ ବିଜୟ କୁମାର ରଥ । ତେବେ ଖୁବଶୀଘ୍ର ସଂପୃକ୍ତ ସରକାରୀ ଅଧିକାରୀ କାଠଗଡାକୁ ଟଣା ହୋଇ ପାରନ୍ତି ବୋଲି ଏବେ ଡେଲାଙ୍ଗ ନିର୍ବାଚନମଣ୍ଡଳୀରେ ଆଲୋଚନା ହେଉଛି ।


ସେୟାର କରନ୍ତୁ