ବାରବାଟୀ ଜମି କେଳେଙ୍କାରୀ ମାମଲା: ଆଶୀର୍ବାଦଙ୍କ ଜ୍ୱାଇଁ ସଞ୍ଜିତ ସାମଲଙ୍କୁ ଇଡ଼ିର ଜେରା

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ବାରବାଟୀ ଜମି କେଳେଙ୍କାରୀ ମାମଲାର ଅଧିକ ଠୋସ ତଥ୍ୟ ଯୋଗାଡ଼ କରିବା ପାଇଁ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ଜ୍ୱାଇଁ ସଞ୍ଜିତ ସାମଲଙ୍କୁ ଗୁରୁବାର ଜେରା କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡ଼ି) । ଗତ ମଙ୍ଗଳବାର ତାଙ୍କୁ ଇଡ଼ି କାର୍ଯ୍ୟାଳୟରେ ହାଜର ହେବା ପାଇଁ ସମନ (ନୋଟିସ) କରାଯାଇଥିଲା । ଏହାକୁ ମାନି ଶ୍ରୀ ସାମଲ ଆଜି ସକାଳ ପ୍ରାୟ ସାଢ଼େ ୧୧ଟାରେ ଇଡ଼ିରେ ହାଜର ହୋଇଥିଲେ ।

ତିନି ଘଣ୍ଟା ଧରି ତାଙ୍କୁ ଠକେଇ ସମ୍ପର୍କିିତ ମାରାଥନ ଜେରାର ସମ୍ମୁଖୀନ ହେବାକୁ ପଡିଥିଲା । ଜେରା ପରେ ବାରବାଟୀ ଜମି ଦୁର୍ନିତି ନେଇ ଇଡ଼ି ତାଙ୍କୁ ଡ଼ାକି ଥିବା ସେ ଗଣମାଧ୍ୟମକୁ କହିଥିଲେ । ଇଡ଼ି ଯାହା ତଥ୍ୟ ମାଗିଥିଲା ତାହା ସେ ଦେଇଥିବା କହିଛନ୍ତି । ହେଲେ ତାଙ୍କର ଘୋଟାଲାରେ କୌଣସି ସଂପୃକ୍ତି ନଥିବା ଶ୍ରୀ ସାମଲ ଜଣାଇଛନ୍ତି ।

ଉକ୍ତ ଘୋଟାଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଇଡି ଆଶୀର୍ବାଦ ଏବଂ ତାଙ୍କ ପୁଅ, ଜ୍ୱାଇଁଙ୍କ ବିରୋଧରେ ୨୦୧୭ରେ ଠକେଇ ଓ ଟଙ୍କା ହେରଫେର ସମ୍ପର୍କିତ ଏକ ମାମଲା ରୁଜୁ କରିଥିଲା । ତଦନ୍ତ ବେଳେ ସେମାନଙ୍କ ବିରୋଧରେ କିଛି ତଥ୍ୟ ମିଳିଛି । ଯାହାକୁ ନେଇ ଇଡ଼ି ଠକେଇ ସମ୍ପର୍କିତ ଅଧିକ ତଥ୍ୟ ହାତେଇବା ଲାଗି ତଦନ୍ତ ଜାରି ରଖିଛି ।

ଦୀର୍ଘ ଦିନ ହେବ ଇଡ଼ି ବାରବାଟୀ ଜମି କେଳେଙ୍କାରୀ ସହ ଜଡିତ ଥିବା ଆର୍ଥିକ ଅନିୟମିତତା, ଆଶୀର୍ବାଦଙ୍କ ଗୁପ୍ତ ଧନ ସନ୍ଧାନଠାରୁ ଆରମ୍ଭ କରି ଆର୍ଥିକ କାରବାର ସମ୍ପର୍କରେ ଖୋଳତାଡ଼ କରୁଛି ।

ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ)ରେ ଦୀର୍ଘ ୧୬ ବର୍ଷ ଧରି ସମ୍ପାଦକ ପଦବୀକୁ ମାଡ଼ି ବସିଥିବା ଆଶୀର୍ବାଦ ବେହେରା ତାଙ୍କ କାର୍ଯ୍ୟକାଳ ସମୟରେ ବହୁ ଦୁର୍ନୀତି କରିଥିବା ଅଭିଯୋଗ ହୋଇଥିଲା । ଏକର ଏକର ସରକାରୀ ଜମିକୁ ବେଆଇନ୍ ଭାବେ ଦଖଲ କରି ସେଥିରେ ବ୍ୟବସାୟୀକ ପ୍ରତିଷ୍ଠାନ ଖୋଲି କୋଟି କୋଟି ଟଙ୍କା ହଡ଼ପ କରିଥିଲେ ବୋଲି ତଦନ୍ତରେ ଜଣାପଡିଥିଲା ।


ସେୟାର କରନ୍ତୁ