‘ସାଇବର ଅପରାଧ ରୋକିବା ପାଇଁ ଆରମ୍ଭ ହେବ ତିନୋଟି ନୂଆ ସାଇବର ପୁଲିସ ଷ୍ଟେସନ’

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ସାଇବର ଅପରାଧ ବୃଦ୍ଧି ପାଉଛି । ଯାହା ଓଡ଼ିଶା ପୁଲିସ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ତେଣୁ ଏହାକୁ ରୋକିବା ପାଇଁ ପୁଲିସ ତତ୍ପର ହୋଇ ଉଠିଛି । କେମିତି ଉନ୍ନତ ଧରଣର ଜ୍ଞାନ କୌଶଳ ପଦ୍ଧତିକୁ ଆପଣାଇ ସାଇବର ଅପରାଧ ରୋକି ହେବ ସେନେଇ ପୁଲିସ ରଣକୌଶଳ ପ୍ରସ୍ତୁତ କରିଛି । ଏହାକୁ ନେଇ ଆଜି ଭୁବନେଶ୍ୱର ସ୍ଥିତ ପୁଲିସ ଭବନରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଯାହାକୁ ଅଧ୍ୟକ୍ଷତା କରିଥିଲେ ପୁଲିସ ଡିଜିପି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା । ଦୁଇ ଦିନ ଧରି ହେବାକୁ ଥିବା ଏହି କର୍ମଶାଳା କ୍ରାଇମବ୍ରାଚଂ ଦ୍ୱାରା ଆୟୋଜନ କରାଯାଇଛି ।

ଡିଜିପି ଶ୍ରୀ ଶର୍ମା କହିଥିଲେ ରାଜ୍ୟରେ ସାଇବର ଅପରାଧ ରୋକିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ତିନୋଟି ନୂଆ ସାଇବର ପୁଲିସ ଷ୍ଟେସନ । ବର୍ତମାନ କଟକ, ବ୍ରହ୍ମପୁର, ରାଉରକେଲା ଓ ସମ୍ବଲପୁରରେ ସାଇବର ପୁଲିସ ଷ୍ଟେସନ ରହିଛି । ଆଗକୁ ତିନୋଟି ନୂଆ ସାଇବର ପୁଲିସ ଷ୍ଟେସନ ଜୟପୁର, ବାଲେଶ୍ୱର ଓ ଭୁବନେଶ୍ୱରରେ ଖୋଲା ଯିବ । ଏହାବାଦ ସାଧାରଣ ପୁଲିସ ଷ୍ଟେସନ ଗୁଡିକରେ ଭିତିଭୂମିର ବିକାଶ ସହ ଅଧିକାରୀଙ୍କୁ ସାଇବର ସମ୍ପର୍କୀତ ଉନ୍ନତମାନର ଟ୍ରେନିଂ ଦିଆଯିବ । ଯାହା ଦ୍ୱାରା ଖାଲି ସାଇବର ପୁଲିସ ଷ୍ଟେସନ ନୁହେଁ ବରଂ ଅନ୍ୟ ପୁଲିସ ଷ୍ଟେସନର ଅଧିକାରୀମାନେ ମଧ୍ୟ ସାଇବର ଅପରାଧ ରୋକିବାରେ ସଫଳ ହୋଇପାରିବେ ବୋଲି ସେ କହିଥିଲେ ।

ରାଜ୍ୟର ବିଭିନ୍ନ ଥାନାରେ କାର୍ଯ୍ୟରତ ଥିବା ଏସଆଇ ଠାରୁ ଆରମ୍ଭ କରି ଏସପି ପାହ୍ୟା ଅଧିକାରୀଗଣ କର୍ମଶାଳାରେ ଅଂଶଗ୍ରହଣ କରିଥିଲେ । ଦିଲ୍ଲୀରୁ ଇସାନ ସିହ୍ନା ନାମକ ଜଣେ ସାଇବର ବିଶେଷଜ୍ଞ କାର୍ଯ୍ୟକ୍ରମରେ ଯୋଗ ଦେଇ ପୁଲିସ ଅଧିକାରୀମାନଙ୍କୁ ସାଇବର ଅପରାଧ ତଦନ୍ତ ନେଇ ବିଭିନ୍ନ ଉନ୍ନତମାନର ପ୍ରଶିକ୍ଷଣ ଦେଇଥିଲେ । ସୋସିଆଲ ମିଡ଼ିଆ ମନିଟରିଂ, ସସପେକ୍ଟେଡ଼ ଟ୍ରାକିଂ, ସାଇବର ଓଭର୍ଟ, ନାମବିହୀନତା ଓ ଏହାର ମୁକାବିଲା, ମାଲୱେର ସିଗ୍ନେଚର ଚିହ୍ନଟ ବିଷୟ ବସ୍ତୁ ଉପରେ କର୍ମଶାଳାରେ ଆଲୋଚନା କରାଯାଇଥିଲା । ଅନ୍ୟ ସାଇବର ଜନ୍ନିତ ଅପରାଧକୁ ମୁକାବିଲା ପାଇଁ ବିଭିନ୍ନ ଦିଗଗୁଡିକ ଉପରେ ବିଶେଷଜ୍ଞଙ୍କ ଦ୍ୱାରା ଶିକ୍ଷା ପ୍ରଦାନ କରାଯାଇଥିଲା ।

ଉକ୍ତ କାର୍ଯ୍ୟକ୍ରମରେ କ୍ରାଇମବ୍ରାଚଂ ଏଡ଼ିଜି ସନ୍ତୋଷ ଉପାଧ୍ୟାୟ, ଆଇଜି ଅରୁଣ ବୋଥ୍ରା, ଗୁଇନ୍ଦା ଆଇଜି ଘନଶ୍ୟାମ ଉପାଧ୍ୟାୟ, ଏସଟିଏଫ ଡିଆଇଜି ହିମାଂଶୁ ଲାଲ, କ୍ରାଇମବ୍ରାଚଂ ଏସପି ରାଜେଶ ପଣ୍ଡିତ ଓ ଏସଟିଏଫ ଏସପି ସତ୍ୟଜିତ୍ ନାୟକ ଉପସ୍ଥିତ ଥିଲେ ।


ସେୟାର କରନ୍ତୁ