ଘର ବାହାରେ ସ୍ପା ବ୍ୟାନର, ଭିତରେ ଚଲିଥିଲା ସେକ୍ସ ରାକେଟ: ୩ ପଶ୍ଚିମବଙ୍ଗ ଯୁବତୀ ଉଦ୍ଧାର, ୫ ଗ୍ରାହକ ଗିରଫ

ଅପରାଧ
ସେୟାର କରନ୍ତୁ

ଭୁବନେଶ୍ୱର: ରାଜଧାନୀରେ ପୁଣି ସ୍ପା ସେଣ୍ଟର ଉପରେ ରେଡ୍ ମାରିଛି କମିଶନରେଟ ପୁଲିସ । ଘର ବାହାରେ ସେଲୁନ୍ ଓ ସ୍ପା ବ୍ୟାନର ଲାଗିଥିବା ବେଳେ ଭିତରେ କିନ୍ତୁ ଚାଲିଥିଲା ଦେହ ବେପାର । ଯାହା ଉପରେ ଆଜି ରୋକ ଲଗାଇଛି କୁଇକ୍ ଆକ୍ସନ ଟିମ୍ (କ୍ୟୁଏଟି) ଓ ଖାରବେଳନଗର ଥାନା ପୁଲିସ । ସ୍ପା ସେଣ୍ଟରରେ ଅଚାନକ ଚଢ଼ଉ କରି ପୁଲିସ ୩ ପଶ୍ଚିମବଙ୍ଗୀୟ ଯୁବତୀଙ୍କୁ ଉଦ୍ଧାର କରିବା ସହ ୫ଗ୍ରାହକଙ୍କୁ ଗିରଫ କରିଛି ।
ଗିରଫ ଅଭିଯୁକ୍ତମାନେ ହେଲେ ଭଞ୍ଜନଗରର ସୁମିତ କୁମାର ପ୍ରଧାନ, ବାଙ୍କିର ଜଗମୋହନ ନାୟକ, ଗୌତମ ଗୋଚ୍ଛାୟତ, ରାଉରକେଲାର ସନ୍ଦୀପ ଏକ୍କା ଏବଂ ଘରର ମାଲିକ ବିଜୟ ଠାକୁର । ଉଦ୍ଧାର ହୋଇଥିବା ୩ ଜଣ ଯୁବତୀଙ୍କୁ ଡାକ୍ତରୀମାଇନା କରାଯିବା ପରେ ସର୍ଟଷ୍ଟେ ହୋମକୁ ପଠାଇ ଦିଆଯାଇଛି । ସେମାନଙ୍କଠାରୁ ପୁଲିସ ୩୫ଶହ ଟଙ୍କା, ମୋଟର ସାଇକେଲ, ମୋବାଇଲ ଫୋନ ଓ ବହୁ ଆପତ୍ତିଜନକ ସାମଗ୍ରୀ ଜବତ କରିଛି । ଗୁରୁବାର ଦିନ ୫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଖାରବେଳନଗର ଥାନା ଅଧିକାରୀ ସୂଚନା ଦେଇଛନ୍ତି ।
ସୂଚନା ମୁତାବକ, ଖାରବେଳନଗର ୟୁନିଟ-୩ କେଶରୀହଲ ପଛପଟେ ରହିଛି ମେ’ ମିଲନ ହେୟାର ସ୍ପା ସେଣ୍ଟର । ଏହି ସ୍ପାକୁ ରାଜା ବାରିକ ଓ ବିଜୟ କୁମାର ଠାକୁର ନାମକ ଦୁଇ ଦଲାଲ ସୁନ୍ଦରୀ ଯୁବତୀମାନଙ୍କ ଆଣି ଗ୍ରାହକଙ୍କର ଚୁଟି କାଟିବା ବାହାନାରେ ସେକ୍ସ କାରବାରରେ ଲିପ୍ତ କରାଉଥିଲେ । ସେକ୍ସ ରାକେଟ ଚାଲୁଥିବା ନେଇ କ୍ୟୁଏଟି ମୁଖ୍ୟ ଦୀପକ ଲେଙ୍କା ଯାଣିବାକୁ ପାଇଥିଲେ । ସେ ଉକ୍ତ ସ୍ପାରେ ଚଢ଼ଉ କରିବା ପାଇଁ ଏକ ସ୍ୱତନ୍ତ୍ର ଟିମ ପ୍ରସ୍ତୁତ କରିଥିଲେ ।
ଖାରବେଳନଗର ଥାନା ପୁଲିସଠାରୁ ଟିକ୍ ନିକ୍  ଖବର ନେଇ ବୁଧବାର ସନ୍ଧ୍ୟାରେ ଅଚାନକ ଚଢ଼ଉ କରି ୫ଜଣ ଗ୍ରାହକକୁ ଗିରଫ କରିବା ସହ ୩ ଜଣ ଯୁବତୀ ସେଠାରୁ ଉଦ୍ଧାର କରିଥିଲେ । ଦୁଇ ମାସ ତଳେ ଖାରବେଳନଗରରେ ଥିବା ଏକ ସ୍ପା ସେଣ୍ଟରରେ କ୍ୟୁଏଟି ଓ ସ୍ଥାନୀୟ ପୁଲିସ ଚଢ଼ଉ କରି ୭ ଜଣ ଗ୍ରାହକଙ୍କ ସମେତ ୮ ଥାଇ ଯୁବତୀଙ୍କୁ ଉଦ୍ଧାର କରିଥିଲା ।

ସେୟାର କରନ୍ତୁ