୪୨୦ରୁ ସାମ୍ବାଦିକ: କେସ ନମ୍ବର ୧୩/୧୧

ଅପରାଧ
ସେୟାର କରନ୍ତୁ

ଭୁବନେଶ୍ୱର: କେସ ନମ୍ବର ୧୩/୧୧ । ସେଦିନ ଥିଲା ବେଶ ଚର୍ଚ୍ଚାରେ । ସମସ୍ତ ସାମ୍ବାଦିକଙ୍କର ଆଟେନସନରେ ଥିଲେ ଜଣେ ଯୁବକ । କ୍ୟାମେରା ଲେନ୍ସରେ କଏଦ ହୋଇଥିବା ଏହି ଯୁବକ ଥିଲେ ଜଣେ ୪୨୦ । ତାଙ୍କ ନାଁରେ ରୁଜୁ ହୋଇଥିଲା ମାମଲା । ଜେଲ ମଧ୍ୟ ଯାଇଥିଲେ । ସମସ୍ତ କାହାଣୀ ଗିରଫ କରିଥିବା ଥାନା ଅଫିସର ସାମ୍ବାଦିକଙ୍କ ଆଗରେ ବଖାଣିଥିଲେ । ଘଟଣାଟି ବେସ ମଜାଦାର ଖବର ପାଲଟିଥିଲା ସମସ୍ତ ଖବରକାଗଜରେ । ଟିଭିରେ ବି ଏହି ୪୨୦ ଯୁବକଙ୍କ ଝଲକ ବେଶ ଚର୍ଚ୍ଚାର ବିଷୟ ହୋଇଥିଲା ।

ଜଣେ ଫିଲ୍ମଷ୍ଟାର କମ ରାଜନେତାଙ୍କ ପିଏ ବୋଲି ନିଜକୁ ପରିଚୟ ଦେଇ ଏହି ୪୨୦ କାରନାମା କରିଥିଲେ ଉକ୍ତ ଯୁବକ । ପିଏ ତ’ ନୁହେଁ ପୋଡାମୁହାଁ ଅଙ୍ଗାର ସାଜିଥିଲେ ସେ । ତେବେ ସେହି ୪୨୦ ଯୁବକ ଜଣଙ୍କ ପୁଲିସର ଆକ୍ସନ ପ୍ଲାନକୁ ଯେତିକି ଲକ୍ଷ୍ୟ କରିନଥିଲେ ବରଂ ଥାନା ହାଜତରେ ରହି ସାମ୍ବାଦିକଙ୍କର ଦବଦବା ଆଉ ଥାନାରେ ମିଳୁଥିବା ଖାଦିକୁ ଅନୁଧ୍ୟାନ କରିଥିଲେ । ଆଉ ସେହି ହାଜତରୁ ହିଁ ସାମ୍ବାଦିକ ହେବା ଲାଗି ମନବଳାଇଥିଲେ । ପରେ ଜେଲରୁ ବାହାରି କେମିତି ସାମ୍ବାଦିକ ହେବେ ସେନେଇ ବହୁ କସରତ ମଧ୍ୟ କରିଥିଲେ ।

ଶିକ୍ଷାଗତ ଯୋଗ୍ୟତା ବିହିନ ଏହି ୪୨୦ ଯୁବକ ଜଣଙ୍କ ସାମ୍ବାଦିକ ହେବା ପାଇଁ ପ୍ରଥମେ କିଛି ପେଶାଦାର ସାମ୍ବାଦିକଙ୍କ ସହ ମିଶି ସେମାନଙ୍କ ବୋଲାହକ କରିଥିଲେ । ପରେ ପରେ ସୁଯୋଗ ଦେଖି ଏକ ନୂତନ ଖବର କାଗଜରେ ନିଜକୁ ସାମ୍ବାଦିକ ଭାବେ ଗଢ଼ିତୋଳିବା ଲାଗି ପାଦ ଥାପିଥିଲେ । ଆଉ ଏଠାରୁ ହିଁ ସେ ପାଲଟିଯାଇଥିଲେ ୪୨୦ରୁ ସାମ୍ବାଦିକ । ଏହାପରେ ତାଙ୍କ ସମସ୍ତ କେସ ହିଷ୍ଟ୍ରିକୁ ଘୋଡାଇବା ସହ କେତେକ ପେଶାଦାର ସାମ୍ବାଦିକଙ୍କ ସହ ଦୈନନ୍ଦିନ ଘୁରି ବୁଲି ଥାନାରେ ରୋବାବ ଦେଖାଇବା ଆରମ୍ଭ କରିଥିଲେ । ଧୀରେ ଧୀରେ ଏବେ ସେ ନିଜକୁ ଏକ ପ୍ରତିଷ୍ଠିତ ଆଉ ଦାମି ସାମ୍ବାଦିକ ବୋଲି ବୋଲାଉଛନ୍ତି । ହେଲେ ସେ ଭୁଲିଯାଇଛନ୍ତି ସେହି କଳଙ୍କିତ ଇତିହାସକୁ । ଯେଉଁ ଦିନ ସେ ହାତରେ ପିନ୍ଧିଥିଲେ ହାତକଡ଼ି ଓ ଆଉ ୪୨୦ ଭାବେ ସମସ୍ତ ଖବରକାଗଜର ପୃଷ୍ଠା ମଣ୍ଡନ କରିଥିଲେ ।

ଏବେ ଗଣମାଧ୍ୟମର ପ୍ରତିଯୋଗୀତାରେ କିଛି ଏମିତି ଅଣପେଶାଦାର ୪୨୦ ସାମ୍ବାଦିକ ପଶିଆସି ପୂରା ସାମ୍ବାଦିକ ସମାଜକୁ ଏକ ପ୍ରକାର କଳଙ୍କିତ ଆଉ ହାସ୍ୟାଷ୍ପଦ କରିବାରେ ସଫଳ ହୋଇଛନ୍ତି । ଏମାନଙ୍କର ଉଦ୍ଦେଶ୍ୟ ଚରିର୍ତାଥ ହୋଇଥିବା ବେଳେ ଗଣମାଧ୍ୟମ ପାଲଟିଯାଇଛି କଳଙ୍କିତ ପ୍ଲାଟଫର୍ମ । ଯେଉଁଥିପାଇଁ ଏବେ ଗଣମାଧ୍ୟମ ଆଉ ଚତୁର୍ଥ ସ୍ତମ୍ଭ ନୁହେଁ ବରଂ ଅଯୋଗ୍ୟ ଖମ୍ବ ହୋଇ ପଡିଛି ।


ସେୟାର କରନ୍ତୁ