ଅନ୍ୟଙ୍କ ନ୍ୟୁଜ୍ କରିବା ପରିବର୍ତ୍ତେ ନିଜେ ନ୍ୟୁଜ୍ ହୋଇଗଲେ, ବ୍ୟବସାୟୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରିଦେବା ଧମକ ଦେଇ ଧରାପଡ଼ିଲେ ପୋର୍ଟାଲ ସାମ୍ବାଦିକ, ଜାଣନ୍ତୁ କେମିତି ରଚିଥିଲେ ପ୍ଲାନ…

ଅପରାଧ
ସେୟାର କରନ୍ତୁ

ଭୁବନେଶ୍ୱର: ରାଜଧାନୀରେ ଜଣେ ପୋର୍ଟାଲ ସାମ୍ବାଦିକ ଅନ୍ୟଙ୍କ ନ୍ୟୁଜ୍ କରିବା ପରିବର୍ତ୍ତେ ନିଜେ ନ୍ୟୁଜ୍ ହୋଇଯାଇଛନ୍ତି । ଜଣେ ବ୍ୟବସାୟୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତ ଭିଡିଓ ଭାଇରାଲ କରିଦେବା ଧମକ ଦେଇ ସାମ୍ବାଦିକ ଜଣଙ୍କ ତାଙ୍କୁ ପରେ ବ୍ଲାକମେଲିଂ କରିବା ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ଅଭିଯୁକ୍ତ ସାମ୍ବାଦିକଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଯାଜପୁରର ଅନନ୍ତ ମହାରଣା । ସେ ଖଣ୍ଡଗିରି ବରବାରୀ ଅଚଂଳରେ ରହୁଥିଲେ ।
ସବୁଠୁ ବଡ଼ କଥା ହେଉଛି ଅଭିଯୁକ୍ତ ଜଣଙ୍କ ନିଜ ଗାର୍ଲଫ୍ରେଣ୍ଡକୁ ଏହି ଚକ୍ରାନ୍ତରେ ସାମିଲ କରି ଏପରି ବ୍ଲାକମେଲିଂ କରିଥିବା ପୁଲିସ କହିଛି । ସଂପୃକ୍ତ ଯୁବତୀ ଜଣଙ୍କୁ ଧରିବା ପାଇଁ ପୁଲିସ ଛାନଭିନ ଚଳାଇଛି । ଅଭିଯୁକ୍ତ ଅନନ୍ତ ମହାରଣାଙ୍କ ପ୍ରଥମ ସ୍ତ୍ରୀ ଗାଁରେ ରହୁଥିବା ବେଳେ ସେ ଦ୍ୱିତୀୟ ସ୍ତ୍ରୀ ଦେବସ୍ମିତା ମହାରଣାଙ୍କୁ ବିବାହ କରି ବରମାରୀରେ ରଖୁଥିଲେ । ସାମ୍ବାଦିକ ପେସାକୁ ବାଦ ଦେଲେ ଅନନ୍ତ ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ ସଂସ୍ଥା ପାଇଁ ମଧ୍ୟ କାମ କରନ୍ତି ।
ବରଗଡ଼ ଜିଲ୍ଲା ଅତାବିରା ଗୋଡଭଙ୍ଗା ଗ୍ରାମର ବ୍ୟବସାୟୀ ନିତେଶ ଶର୍ମାଙ୍କ ସହ ଅନନ୍ତଙ୍କ ବର୍ଷେ ତଳେ ଭୁବନେଶ୍ୱରରେ ଦେଖାସାକ୍ଷାତ ହୋଇଥିଲା । ଦୁହେଁ ଫୋନ ନମ୍ବର ଦିଆନିଆ ହେବା ପରେ ଦୁହିଁଙ୍କ ମଧ୍ୟରେ ସଂପର୍କ ଘନିଷ୍ଠ ହୋଇଥିଲା । ଅନନ୍ତ ନିତେଶଙ୍କୁ ନିଜ ଘରକୁ ଡାକିଥିଲେ । ଯାହା ଫାଇଦା ଅନନ୍ତ ଓ ସ୍ତ୍ରୀ ଦେବସ୍ମିତା ନେବା ପାଇଁ ପ୍ଲାନିଂ କରିଥିଲେ । ନିତେଶକୁ ପ୍ରେମ ଜାଲରେ ଫସାଇ ଟଙ୍କା ରୋଜଗାର କରିବା ଲକ୍ଷ୍ୟରେ ଦୁହେଁ ରଚିଥିଲେ ଷଡ଼ଯନ୍ତ୍ର । ନିତେଶ ଓ ଦେବସ୍ମିତାଙ୍କ କିଛି ଅନ୍ତରଙ୍ଗ ମୂହୁର୍ତ୍ତର ଭିଡିଓକୁ ଅନନ୍ତ ସୁଟ୍ କରି ନିଜ ପାଖରେ ରଖିଥିଲେ ।
ତା’ପରେ ଆରମ୍ଭ ହୋଇଥିଲା ବ୍ଲାକମେଲିଂ । ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ କରି ଦେବାର ଭୟ ଦେଖାଇ ନିତେଶଙ୍କୁ ଅନନ୍ତ ୫ଲକ୍ଷ ଟଙ୍କା ଦାବି କରିଥିଲେ । ଦାବି ପୁରଣ ନ ହେଲେ ଭିଡ଼ିଓକୁ ଅଭିଯୁକ୍ତ ଚଲାଉଥିବା ଏକ ପୋର୍ଟାଲରେ ଛାଡ଼ିବା ପାଇଁ ମଧ୍ୟ ଧମକ ଦେଇଥିଲେ । ଏଭଳି ଧମକ ଦେବା ପରେ ଉପାୟଶୂନ୍ୟ ହୋଇ ନିତେଶ ତିନୋଟି କିସ୍ତିରେ ଅଭିଯୁକ୍ତଙ୍କ ଆକାଉଣ୍ଟକୁ ୩ଲକ୍ଷ ଟଙ୍କା ପଠାଇଥିଲେ । ଅବଶିଷ୍ଟ ୨ଲକ୍ଷ ଟଙ୍କା ପାଇବାକୁ ଅଭିଯୁକ୍ତ ବାରମ୍ବାର ଦାବି କରିଥିଲେ । ଶେଷରେ ନିରାଶ ହୋଇ ନିତେଶ ୨୯ ତାରିଖ ଦିନ ଖଣ୍ଡଗିରି ଥାନାରେ ଦେବସ୍ମିତା ଓ ଅନନ୍ତ ନାଁରେ ଏକ ଏତଲା ଦାୟାର କରିଥିଲେ । ଖଣ୍ଡଗିରି ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ ବରବାରୀ ଅଚଂଳରେ ଚଢ଼ଉ କରି ଅନନ୍ତଙ୍କୁ ଗିରଫ କରିଥିଲା ।

ସେୟାର କରନ୍ତୁ