ଓଡ଼ିଶାରୁ ପଶ୍ଚିମବଙ୍ଗ ଭାୟା ଭୁବନେଶ୍ୱର ଗୋରୁ ଚାଲାଣ, ଗୋରୁ ବୋଝେଇ ଟ୍ରକ ଜବତ: ୩୦ବଳଦ ଉଦ୍ଧାର, ୩ଗିରଫ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରୁ ପୁଣି କମିଶନରେଟ ପୁଲିସ ଏକ ଗୋରୁ ବୋଝେଇ ଟ୍ରକ ଜବତ କରିଛି । ଶୁଣାଯାଉଛି ଟ୍ରକରେ ୩୦ଟି ବଳଦ ଓଡ଼ିଶାରୁ ପଶ୍ଚିମବଙ୍ଗ ଚାଲାଣ ହେଉଥିଲା । ଯାହା ଉପରେ ଆଜି ରୋକ ଲଗାଇଛି ପୁଲିସ । ଟ୍ରକରୁ ତିନି ଜଣ ଦଲାଲଙ୍କୁ ଗିରଫ କରିବା ସହ ୩୦ଟି ବଳଦକୁ ଉଦ୍ଧାର କରିଛି ପୁଲିସ । ହେଲେ ଟ୍ରକକୁ ସୁରକ୍ଷା ଦେଇ ଯାଉଥିବା ଏକ ସ୍କର୍ପିଓ ଗାଡ଼ି ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ପୁଲିସ ସୂଚନା ଦେଇଛି ।
ଦଲାଲମାନେ (ଓଆର-୦୨କ୍ୟୁ-୫୬୯୬) ନମ୍ବର ଥିବା ଏକ ଟ୍ରକରେ ଗୋରୁ ବୋଝେଇ କରି ଖୋର୍ଦ୍ଧାରୁ କଟକ ଅଭିମୁଖେ ଯାଉଥିବା ପୁଲିସକୁ ଖବର ମିଳିଥିଲା । ତାହା ପୁଣି ଟ୍ରକକୁ ସୁରକ୍ଷା ଦେବା ଲାଗି ଏକ ସ୍କର୍ପିଓ ଗାଡ଼ି ଏସ୍କର୍ଟ କରି ନେଉଥିଲା । ଟ୍ରକକୁ ଧରିବା ଲାଗି ବାଲିଅନ୍ତା ଥାନା ପୁଲିସ ସଜାଗ ରହିଥିଲା । ହେଲେ ବାଟରେ ପୁଲିସ ଜଗିଥିବା ସୁରାକ ପାଇ ଦଲାଲମାନେ ଟ୍ରକକୁ ଦୃତ ଗତିରେ ନେଇଥିଲେ । ହେଲେ ପୁଲିସ ଗାଡ଼ିର ପିଛା କରି ଶେଷରେ ପାହାଳ ନିକଟରେ ଟ୍ରକକୁ ଅଟକାଇ ଥିଲା । ଇତିମଧ୍ୟରେ ଆଗରେ ଯାଉଥିବା ସ୍କର୍ପିଓ ଗାଡ଼ି ପୁଲିସ ହାବୁଡ଼ରୁ ଖସି ପଳାଇବାରେ ସକ୍ଷମ ହୋଇଥିଲା ।
ଏହି ଟ୍ରକ ବୋଝେଇ ଗୋରୁ ଓଡ଼ିଶାରୁ ପଶ୍ଚିମବଙ୍ଗ ଚାଲାଣ ହେଉଥିବା ଜଣାପଡିଛି । ଖାଲି ଏତିକି ନୁହେଁ ପ୍ରତି ବର୍ଷ ଓଡ଼ିଶାରୁ ହଜାର ହଜାର ଗୋରୁ ଚାଲାଣ ହେଉଥିବା ବେଳେ ପୁଲିସ କେତେକ ଘଟଣାରେ ଟ୍ରକକୁ ଠାବ କରିବାରେ ସଫଳ ହୋଇଛି । ଦଲାଲମାନେ ଗୋରୁକୁ ଭୁବନେଶ୍ୱର ଦେଇ ପଶ୍ଚିମବଙ୍ଗରେ ବିକ୍ରି କରିଥାଆନ୍ତି । ଏଥିରୁ ସେମାନେ ଲକ୍ଷାଧିକ ଟଙ୍କା ରୋଜଗାର କରୁଥିବା ପୁଲିସ କହିଛି ।

ସେୟାର କରନ୍ତୁ