ରାଷ୍ଟ୍ରପତି ନିର୍ବାଚନରେ ୟଶବନ୍ତ ସିହ୍ନା ହେବେ ବିରୋଧୀ ଦଳର ପ୍ରାର୍ଥୀ, ଶରଦ ପାୱାରଙ୍କ ଘରେ ଅନୁଷ୍ଠିତ ବୈଠକରେ ନିଆଗଲା ନିଷ୍ପତ୍ତି

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ : ରାଷ୍ଟ୍ରପତି ପ୍ରାର୍ଥୀଙ୍କ ସମ୍ପର୍କରେ ମଙ୍ଗଳବାର ଅନୁଷ୍ଠିତ ବୈଠକରେ ବିରୋଧୀ ଦଳ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ସୂଚନାନୁସାରେ, ୟଶବନ୍ତ ସିହ୍ନାଙ୍କୁ ବିରୋଧୀ ଦଳରୁ ରାଷ୍ଟ୍ରପତି ପ୍ରାର୍ଥୀ କରିବାକୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି । ମଙ୍ଗଳବାର ଏନ୍‌ସିପି ମୁଖ୍ୟ ଶରଦ ପାଓ୍ୱାରଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ସୂଚନା ମିଳିଥିଲା । କୁହାଯାଉଛି ଯେ ୟଶବନ୍ତ ସିହ୍ନା ଜୁନ୍ 27 ରେ ତାଙ୍କ ନାମାଙ୍କନପତ୍ର ଦାଖଲ କରିବେ । ସୂଚନାଯୋଗ୍ୟ ଯେ ବିରୋଧୀ ଦଳର ପୂର୍ବ ବୈଠକରେ ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀଙ୍କ ଦ୍ୱାରା ଏନସିପି ମୁଖ୍ୟ ଶରଦ ପାୱାରଙ୍କ ନାମ ମଧ୍ୟ ପ୍ରସ୍ତାବ ଦିଆଯାଇଥିଲା, କିନ୍ତୁ ପାୱାର ଏହି ଦାବିକୁ ଗ୍ରହଣ କରିବାକୁ ମନା କରିଦେଇଥିଲେ । ଏହା ବ୍ୟତୀତ ଗୋପାଳ କୃଷ୍ଣ ଗାନ୍ଧୀଙ୍କ ନାମ ମଧ୍ୟ ଆସିଛି । କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ ୟଶବନ୍ତ ସିହ୍ନାଙ୍କ ଅଭିଯାନକୁ ଆଗେଇ ନେବା ପାଇଁ ଏକ କମିଟି ଗଠନ କରାଯାଇଛି ।

ବିରୋଧୀ ଦଳର ଏହି ବୈଠକରେ 13 ଟି ଦଳର ପ୍ରତିନିଧୀ ଯୋଗ ଦେଇଥିବା ସୂତ୍ରରୁ ପ୍ରକାଶ । ଏଥିରେ କଂଗ୍ରେସ, ତୃଣମୂଳ କଂଗ୍ରେସ ସମେତ ସମସ୍ତ ଦଳର ପ୍ରତିନିଧୀ ଥିଲେ । ବିରୋଧୀ କହିଛନ୍ତି ଯେ ସହମତି ଅନୁଯାୟୀ ରାଷ୍ଟ୍ରପତି ନିର୍ବାଚିତ ହେବା ଉଚିତ୍ । ମଙ୍ଗଳବାର ସନ୍ଧ୍ୟାରେ ବିଜେପି ସଂସଦୀୟ ଦଳର ବୈଠକ ମଧ୍ୟ ଅନୁଷ୍ଠିତ ହେବାକୁ ଯାଉଛି, ଏବେ ଏହା ଦେଖିବାକୁ ପଡ଼ିବ ଯେ ଆଜି ଶାସକ ଦଳ ତରଫରୁ କୌଣସି ନାମରେ ମୋହର ବାଜୁଛି । ନାମ ସ୍ଥିର ହେବା ପରେ ଜଣାପଡିବ କି ୟଶବନ୍ତ ସିହ୍ନାଙ୍କ ବିରୋଧରେ ସରକାର ତରଫରୁ କିଏ ପ୍ରାର୍ଥୀ ହେବ ।

ସୂଚନା ଥାଉକି, ୟଶବନ୍ତ ସିହ୍ନା ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱ ଏନ୍ଡିଏ ସରକାରରେ କେନ୍ଦ୍ରୀୟ ଅର୍ଥମନ୍ତ୍ରୀ ପରେ ବିଦେଶ ମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିଛନ୍ତି । ପରେ 2018ରେ ବିଜେପି ଦଳ ଛାଡିଥିଲେ ଏବଂ 2021ରେ ତୃଣମୂଳ କଂଗ୍ରେସରେ ସାମିଲ ହୋଇଥିଲା । ଗତ ବିଧାନସଭା ନିର୍ବାଚନ ପୂର୍ବରୁ ତାଙ୍କୁ ପାର୍ଟିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲା ।


ସେୟାର କରନ୍ତୁ